ଘନ କୁହୁଡ଼ିର ଧଳା ଚାଦର ତଳେ ଲୁଚିଲା ସ୍ମାର୍ଟ ସିଟି; ଶୀତର ପ୍ରଥମ ଆଭାସ ।

0 11

ଭୁବନେଶ୍ୱର, ୩୧/୧୦(ପିପିଟି) : ବର୍ଷାର ବିଦାୟ ପରେ ଧୀରେ ଧୀରେ ଅନୁଭୂତ ହେଲା ଶୀତର ପ୍ରଭାବ। ଶନିବାର ସକାଳୁ ରାଜଧାନୀ ଭୁବନେଶ୍ୱର ଘନ କୁହୁଡ଼ିର ଏକ ଧଳା ଆସ୍ତରଣରେ ଆଚ୍ଛାଦିତ ହୋଇପଡ଼ିଥିଲା। ଚଳିତ ଋତୁର ପ୍ରଥମ ଘନ କୁହୁଡ଼ି ଯୋଗୁଁ ସହରରେ ଦୃଶ୍ୟମାନ ଦୂରତା ପ୍ରାୟ ୧୫୦ ମିଟରକୁ ହ୍ରାସ ପାଇଥିଲା। ଫଳରେ ରାସ୍ତାଘାଟ, ଗଛଲତା, ଉଚ୍ଚ ଅଟ୍ଟାଳିକା ଓ ସହରର ବିଭିନ୍ନ ପ୍ରମୁଖ ସ୍ଥାନ କୁହୁଡ଼ି ଭିତରେ ଅସ୍ପଷ୍ଟ ହୋଇପଡ଼ିଥିଲା।
କେବଳ ରାଜଧାନୀ ନୁହେଁ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ସକାଳୁ ଘନ କୁହୁଡ଼ିର ପ୍ରଭାବ ଅନୁଭୂତ ହୋଇଥିଲା। କମ୍ ଦୃଶ୍ୟମାନ ଦୂରତା ଯୋଗୁଁ ସକାଳୁ ଯାନବାହନ ଚଳାଚଳ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ିଚାଳକମାନେ ହେଡ୍ଲାଇଟ୍ ଜଳାଇ ଅତ୍ୟନ୍ତ ସତର୍କତାର ସହ ଧୀରେ ଧୀରେ ଯାତ୍ରା କରୁଥିବା ଦେଖାଯାଇଥିଲା।
ଅନ୍ୟପକ୍ଷରେ, କୁହୁଡ଼ିରେ ଢାଙ୍କି ହୋଇଥିବା ସହରର ମନୋରମ ଦୃଶ୍ୟ ରାଜଧାନୀବାସୀଙ୍କୁ ଆକର୍ଷିତ କରିଥିଲା। ଶୀତୁଆ ସକାଳର ଏହି ପ୍ରାକୃତିକ ପରିବେଶକୁ ଅନେକ ଲୋକ ଉପଭୋଗ କରିଥିଲେ। ପାଣିପାଗ ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ରାତିର ତାପମାତ୍ରା ଆହୁରି ହ୍ରାସ ପାଇଲେ ଶୀତର ପ୍ରକୋପ ବଢ଼ିବା ସହ କୁହୁଡ଼ିର ପ୍ରଭାବ ମଧ୍ୟ ଅଧିକ ଦେଖିବାକୁ ମିଳିପାରେ।

Leave A Reply

Your email address will not be published.