ବାତ୍ୟା ‘ଅର୍ଣ୍ଣବ’ ମୁକାବିଲାରେ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ ।

0 157

ଭୁବନେଶ୍ୱର, ୨୮/୧୦(ପିପିଟି):ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ସହ ଫସଲ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ଓଡ଼ିଶାର  ରାଜ୍ୟପାଳ ବ୍ରଜ ମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି।

ବୁଧବାର ଦିନ ଲୋକଭବନଠାରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ଆଲୋଚନା କରି ରାଜ୍ୟପାଳ ବାତ୍ୟାର ସ୍ଥିତି ଓ ମୁକାବିଲା ପାଇଁ ନିଆଯାଇଥିବା ପ୍ରସ୍ତୁତିମୂଳକ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ପାଟିଲ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

ଗଜପତି, ମାଲକାନଗିରି ଓ ରାୟଗଡ଼ା ସମେତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ବିଷୟରେ ଶ୍ରୀ ପାଟିଲ ସୂଚନା ଦେଇଥିଲେ। ଯଦିଓ ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁନାହିଁ, ତଥାପି ପ୍ରବଳ ବର୍ଷା ଓ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଇଛି।

ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ୍ ଟିମ୍‌ଗୁଡ଼ିକୁ ମୁତୟନ କରାଯାଇଥିବା ସହ ସେମାନଙ୍କୁ ସଜାଗ ରଖାଯାଇଛି। ଏଥିସହ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଆବଶ୍ୟକ ସ୍ଥଳେ ତ୍ୱରିତ ପଦକ୍ଷେପ ଗ୍ରହଣ କରୁଥିବା ସମ୍ପର୍କରେ ଶ୍ରୀ ପାଟିଲ ରାଜ୍ୟପାଳଙ୍କୁ ଜଣାଇଥିଲେ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ଏବଂ ମିଳିତ ଜାତିସଂଘ ଓ ବିଶ୍ୱବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଦ୍ୱାରା ଏକ ଆଦର୍ଶ ରାଜ୍ୟ ଭାବେ ଏହାର ସ୍ୱୀକୃତି ସମ୍ପର୍କରେ ମଧ୍ୟ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା।

ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ ସମସ୍ତ ସମ୍ପୃକ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ନିରନ୍ତର ସମନ୍ୱୟ ଓ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ବାତ୍ୟା ମୁକାବିଲା ସମୟରେ ଲୋକଙ୍କ ଜୀବନ ସୁରକ୍ଷା, ଫସଲର ସୁରକ୍ଷା ଏବଂ ଧନସମ୍ପତ୍ତିର କ୍ଷୟକ୍ଷତିକୁ ହ୍ରାସ କରିବାକୁ ସର୍ବାଧିକ ପ୍ରାଥମିକତା ଦେବା ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ।

Leave A Reply

Your email address will not be published.