କୋଟିଆରେ ସୀମା ବିବାଦ ତୀବ୍ର: ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ, ଚେକ୍ଗେଟ୍ରେ ଯାନବାହନ ଯାଞ୍ଚ ।

0 6

କୋରାପୁଟ,୨୫/୧୦(ପିପିଟି): ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋଟିଆ ଅଞ୍ଚଳରେ ଦୀର୍ଘଦିନ ଧରି ଜାରି ରହିଥିବା ସୀମା ବିବାଦ ପୁଣି ଉଗ୍ର ରୂପ ନେଇଛି। କୋଟିଆ ପଞ୍ଚାୟତ ଉପରେ ନିଜର ଅଧିକାର ଦାବି କରି ଆନ୍ଧ୍ରପ୍ରଦେଶ ପକ୍ଷରୁ ନଭେମ୍ବର ୩ରେ ଏମ୍ପିଟିସି ଓ ଜେଡ୍ପିଟିସି ନିର୍ବାଚନ କରାଇବାକୁ ପ୍ରସ୍ତୁତି ଚାଲିଥିବାରୁ ଉଭୟ ରାଜ୍ୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। କୋଟିଆ ଅଞ୍ଚଳରୁ ତିନିଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଆନ୍ଧ୍ରର ଏହି ନିର୍ବାଚନୀ ପଦକ୍ଷେପକୁ ଓଡ଼ିଶା ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।

ସୂଚନା ଅନୁଯାୟୀ, ଗଞ୍ଜେଇପଦରରୁ ୱାଇଏସ୍ଆର୍ କଂଗ୍ରେସ ପ୍ରାର୍ଥୀ ମାଝୀ କାନପୁରି ଏବଂ ଟିଡିପି ପ୍ରାର୍ଥୀ ତାଡ଼ିଙ୍ଗି ଚିରଞ୍ଜିବୀ ନାମାଙ୍କନ ଦାଖଲ କରିଥିବାବେଳେ ଫଗୁଣସିନେରୀରୁ ଟିଡିପି ପ୍ରାର୍ଥୀ ରେଣ୍ଡୋ ହାରେକା ପ୍ରାର୍ଥିପତ୍ର ଭରିଛନ୍ତି। ଏହାକୁ ନେଇ ଓଡ଼ିଶା ପ୍ରଶାସନ ସତର୍କ ହୋଇପଡ଼ିଛି। କୋରାପୁଟର ଉପଜିଲ୍ଲାପାଳ କୁମାରୀ ହାବି ରସିଦ କୋଟିଆରେ ରାତ୍ରିଯାପନ କରିବା ସହ ବିଭିନ୍ନ ଗାଁକୁ ଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଅଞ୍ଚଳରେ ପ୍ରଶାସନିକ ଉପସ୍ଥିତିକୁ ସୁଦୃଢ଼ କରିବା ସହ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି ପ୍ରସଙ୍ଗରେ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ମଧ୍ୟ ସକ୍ରିୟ ହୋଇଛନ୍ତି। ବିଜେଡିର ୧୬ ଜଣିଆ ପ୍ରତିନିଧି ଦଳ କୋଟିଆ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛି। ଅନ୍ୟପଟେ ବିଜେପି ନେତା ଓ କର୍ମୀମାନେ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଗ୍ରାମବାସୀଙ୍କୁ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରକ୍ରିୟାରେ ଅଂଶ ନ ନେବାକୁ ଆହ୍ୱାନ ଦେଇଛନ୍ତି। ଏହି ଅଭିଯାନ ସମୟରେ ବିଜେପି କର୍ମୀ ଓ ଆନ୍ଧ୍ର ପୋଲିସ ମଧ୍ୟରେ ବଚସା ହୋଇଥିବା ଜଣାପଡ଼ିଛି।
ଓଡ଼ିଶା ପକ୍ଷରୁ ବିରୋଧ ତୀବ୍ର ହେବା ପରେ ଆନ୍ଧ୍ରପ୍ରଦେଶ ପୋଲିସ ଉପର ସେମ୍ବି ଗ୍ରାମରେ ମୁତୟନ ହୋଇଛି। ସେଠାରେ ଏକ ଅସ୍ଥାୟୀ ଚେକ୍ଗେଟ୍ ସ୍ଥାପନ କରାଯାଇ ଯାତାୟାତ କରୁଥିବା ଗାଡ଼ିମୋଟରକୁ ଯାଞ୍ଚ କରାଯାଉଛି। ଏଥିସହ ରାସ୍ତାକଡ଼ରେ ସିସିଟିଭି କ୍ୟାମେରା ଲଗାଇ ଯାତାୟାତ ଓ ସନ୍ଦେହଜନକ ଗତିବିଧି ଉପରେ ନଜର ରଖାଯାଉଛି।

ଏହାର ଜବାବରେ ଓଡ଼ିଶା ପୋଲିସ ମଧ୍ୟ କୋଟିଆ ଥାନା ସମ୍ମୁଖରେ ଚେକ୍ଗେଟ୍ ସ୍ଥାପନ କରି ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଫାଟୁସିନେରୀ ଓ ନେରେଇୱାଳସା ଅଞ୍ଚଳରେ ପୋଲିସ ମୁତୟନ କରାଯାଇ ଯାନବାହନ ଯାଞ୍ଚ କରାଯାଉଛି। ଫଳରେ ସୀମାନ୍ତ ଅଞ୍ଚଳରେ ଉଭୟ ରାଜ୍ୟର ପୋଲିସ ଓ ପ୍ରଶାସନିକ ତତ୍ପରତା ବଢ଼ିଛି। ନିର୍ବାଚନକୁ କେନ୍ଦ୍ର କରି କୋଟିଆରେ ଦେଖାଦେଇଥିବା ଉତ୍ତେଜନା ଏବେ ରାଜ୍ୟର ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି। ସୀମା ବିବାଦର ସମାଧାନ ଓ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଉଭୟ ରାଜ୍ୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ଓ ସମନ୍ୱୟର ଆବଶ୍ୟକତା ରହିଛି।

Leave A Reply

Your email address will not be published.