ଭୁବନେଶ୍ୱର,୨୫/୧୦(ପିପିଟି): ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗରେ ୨ କୋଟି ୬୦ ଲକ୍ଷ ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡ଼ପ ହୋଇଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗର ସିନିୟର ଆସିଷ୍ଟାଣ୍ଟ ବାବୁଲୁ ସୁନାଙ୍କୁ ଗିରଫ କରିଛି। ଦୀର୍ଘ ଛଅ ମାସ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଭିଜିଲାନ୍ସ ଟିମ୍ ବଲାଙ୍ଗୀରରୁ ଗିରଫ କରିଥିବା ସୂଚନା ମିଳିଛି।
ବାବୁଲୁ ସୁନା ସୁନାବେଡ଼ା ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ସହ ଏଷ୍ଟାବ୍ଲିସମେଣ୍ଟ ସେକ୍ସନର ଦାୟିତ୍ୱରେ ଥିଲେ। ତଦନ୍ତ ଅନୁସାରେ, ୨୦୨୩ ମସିହାରୁ ସେ MACP ଓ RACP ଯୋଜନା ଅଧୀନରେ ଜାଲ୍ ବକେୟା ଦେୟ ବିଲ୍ ପ୍ରସ୍ତୁତ କରି ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ନିଜ ପଦବୀର ଅପବ୍ୟବହାର କରି ବିଭାଗର ପୂର୍ବତନ, ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ପରିଚୟ ବ୍ୟବହାର କରି ଜାଲ୍ ବିଲ୍ ପ୍ରସ୍ତୁତ କରୁଥିଲେ। ଏହି ବିଲ୍ ମାଧ୍ୟମରେ ଉଠାଯାଇଥିବା ଅର୍ଥକୁ ନିଜ ପରିବାରର ସଦସ୍ୟ ଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା କୁହାଯାଇଛି। ଏହା ସହ ନିଜ ଦରମାକୁ ବେଆଇନ ଭାବେ ବୃଦ୍ଧି କରି ପ୍ରାୟ ୧୦.୫୮ ଲକ୍ଷ ଟଙ୍କା ଅଧିକ ନେଇଥିବା ମଧ୍ୟ ଅଭିଯୋଗ ରହିଛି।
ଏହି ଆର୍ଥିକ ଅନିୟମିତତା ସମ୍ପର୍କରେ ତଦନ୍ତ ଆରମ୍ଭ ହେବା ପରେ ବାବୁଲୁ ସୁନା ଗତ ଛଅ ମାସ ଧରି ଫେରାର ଥିଲେ। ଶେଷରେ ଭିଜିଲାନ୍ସ ଟିମ୍ ତାଙ୍କୁ ବଲାଙ୍ଗୀରରୁ ଧରିବାରେ ସଫଳ ହୋଇଛି। ତାଙ୍କୁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ ଅଦାଲତରେ ହାଜର କରାଯିବାକୁ ଥିବାବେଳେ ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଅର୍ଥ ହେରଫେରର ସମ୍ପୂର୍ଣ୍ଣ ଦିଗ ଓ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।