ଓଡ଼ିଶାରେ ବାତ୍ୟା ଓ ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲା ଜଳ ସମ୍ପଦ ବିଭାଗ ।

0 62

ଭୁବନେଶ୍ୱର, ୨୩/୧୦(ପିପିଟି): ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାତ୍ୟା ଓ ବନ୍ୟା ପ୍ରସ୍ତୁତି ସମୀକ୍ଷା ବୈଠକ ପରେ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥା ସମୀକ୍ଷା ନିମନ୍ତେ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭାଗର ସମସ୍ତ ମୁଖ୍ୟଯନ୍ତ୍ରୀ, ଇଞ୍ଜିନିୟର-ଇନ୍-ଚିଫ୍ ଏବଂ ବେସିନ୍ ମ୍ୟାନେଜରମାନେ ଯୋଗ ଦେଇଥିଲେ।

ବନ୍ୟା ପରିଚାଳନା ନିମନ୍ତେ ପୁନର୍ବାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଥିବା ଜଳଭଣ୍ଡାର, ବ୍ୟାରେଜ୍, ନଦୀବନ୍ଧ ଏବଂ ଅନ୍ୟାନ୍ୟ ଜଳସମ୍ପଦ ଭିତ୍ତିଭୂମିର ସୁରକ୍ଷା ଓ ସୁଚାରୁ ପରିଚାଳନା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଜଳଭଣ୍ଡାରର ଜଳସ୍ତର, ନଦୀଗୁଡ଼ିକର ଜଳପ୍ରବାହ ଏବଂ ବୃଷ୍ଟିପାତ ପୂର୍ବାନୁମାନ ଉପରେ ନିରନ୍ତର ନଜର ରଖିବା ସହ ନିର୍ଦ୍ଧାରିତ ଜଳଭଣ୍ଡାର ପରିଚାଳନା ନିୟମାବଳୀକୁ ଅନୁପାଳନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ଏଥିସହ ବିପଦପ୍ରବଣ ନଦୀବନ୍ଧ ଓ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିୟମିତ ଯାଞ୍ଚ, କ୍ଷେତ୍ରସ୍ତରରେ ଆବଶ୍ୟକ ସମ୍ବଳର ଉପଲବ୍ଧତା ଏବଂ ଜିଲ୍ଲା ପ୍ରଶାସନ ସମେତ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହ ଉତ୍ତମ ସମନ୍ୱୟ ଓ ଯୋଗାଯୋଗ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବନ୍ୟାଜନିତ ବିପଦ ହ୍ରାସ, ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ଭିତ୍ତିଭୂମିର ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଦିଗରେ ଆଗୁଆ ପଦକ୍ଷେପ ଓ ସମନ୍ୱିତ ଉଦ୍ୟମ ଜାରି ରଖିବାକୁ ବିଭାଗ ପକ୍ଷରୁ ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା।

Leave A Reply

Your email address will not be published.