ଓଡିଶା ବିରୋଧୀ ମୋଦି ସରକାର ବିରୋଧରେ ବର୍ଷିଲା କଂଗ୍ରେସ ।

0 54

ଭୁବନେଶ୍ୱର,୨୩/୧୦(ପିପିଟି):ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋଦି-ମୋହନ ସରକାରକୁ ଓଡ଼ିଶା ବିରୋଧୀ ବୋଲି କଂଗ୍ରେସ ଦର୍ଶାଇଛି। ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ମୋଦିଙ୍କ ଓଡିଶା ଗସ୍ତକୁ ବିରୋଧ କରି କହିଛନ୍ତି ଯେ, ଓଡ଼ିଶାରେ ପୁଞ୍ଜିପତି ମାନେ ପୁଞ୍ଜିନିବେଶ କରୁଛନ୍ତି ଓ ଓଡ଼ିଶା ଏବେ ଶିଳ୍ପର ହବ୍ ପାଲଟିଛି ବୋଲି ସରକାର କହୁଛନ୍ତି। ତେବେ ସରକାର କେତେ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ଉପରେ ଏକ ଶ୍ୱେତପତ୍ର ଦାଖଲ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେହିପରି ଦଳର ସାଧାରଣ ସମ୍ପାଦିକା ସୋନାଲି ସାହୁ ମୋଦିଙ୍କ ବାରମ୍ବାର ଓଡ଼ିଶା ଗସ୍ତକୁ କଟାକ୍ଷ କରି କହିଛନ୍ତି ଯେ ରାଲିଜୀବି କେବଳ ରାଲି କରିବାକୁ ଆସୁଛନ୍ତି। ଏଥିରେ ଓଡିଶାବାସୀଙ୍କର କଣ ଲାଭ ହେବ ? କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିଜର ପ୍ରଚାର ପାଇଁ ପଇସା ଥିଲା ବେଳେ ରାଜ୍ୟର ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଦେବାପାଇଁ ପଇସା ନାହିଁ। ସେହିପରି ମିଥ୍ୟା ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ସରକାରର ଗ୍ରହଣୀୟତା ନଥିବା କାରଣରୁ ମୋଦିଙ୍କ ପ୍ରଚାର କରି ଡ୍ୟାମେଜ କଣ୍ଟ୍ରୋଲ କରିବାକୁ ପ୍ରୟାସ କରୁଛି ବିଜେପି ସରକାର। ନା ୩୦୦୦ ଭତ୍ତା ଦେଲେ, ନାଁ ଘର, ନା ୩୦୦ ୟୁନିଟ ବିଜୁଳି ମାଗଣା ଦେଲେ , ଓଲଟା ୨୫ ତାରିଖରେ ଆସୁଛନ୍ତି ଖୋର୍ଦ୍ଧାରେ ସ୍ଥାପିତ RBI ଡାଟା ସେଣ୍ଟର ( ଯାହା ଭାରତର 2ୟ ବୃହତମ ଡାଟା ସେଣ୍ଟର)କୁ ଉଦଘାଟନ କରିବାକୁ।
କଂଗ୍ରେସ ପୁଣିଥରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, କଂଗ୍ରେସ ଦଳ ଓଡ଼ିଶାକୁ ଆଧୁନିକ ପ୍ରଯୁକ୍ତି, ଡିଜିଟାଲ୍ ଭିତ୍ତିଭୂମି ଓ ନୂଆ ନିବେଶର କେନ୍ଦ୍ର ଭାବେ ଦେଖିବାକୁ ଚାହେଁ। କିନ୍ତୁ ଏହା ସହିତ ଜଳ ସୁରକ୍ଷା, ପରିବେଶ ସୁରକ୍ଷା, ନିଯୁକ୍ତି ଓ ଜନସାଧାରଣଙ୍କ ଅଧିକାରକୁ ସମାନ ଗୁରୁତ୍ୱ ଦିଆଯିବା ଦରକାର। ସରକାର ଯଦି ଏହି ପ୍ରକଳ୍ପକୁ ଓଡ଼ିଶାର ଭବିଷ୍ୟତ ବୋଲି କହୁଛନ୍ତି, ତେବେ ସେହି ଭବିଷ୍ୟତରେ ଓଡିଶାର ଲୋକଙ୍କ ପାନୀୟ ଜଳ, ଚାଷୀଙ୍କ ଜମି, ନଦୀର ପ୍ରବାହ ଏବଂ ଯୁବପିଢ଼ିଙ୍କ ରୋଜଗାରର ସ୍ଥାନ କେଉଁଠି? ତଥ୍ୟ ଅନୁସାରେ ଗୋଟେ ଡାଟା ସେଣ୍ଟର ମେସିନକୁ ଥଣ୍ଡା କରିବାକୁ ଦୈନିକ ୨ କୋଟି ଲିଟର ମଧୁର ଜଳ ଆବଶ୍ୟକତା ପଡିଥାଏ। ବଜାରରେ ବିକ୍ରି ହେଉଥିବା ୧ ଲିଟର ପାନୀୟ ଜଳର ଦାମ ୨୦/-. ସମସ୍ତ ପ୍ରୋସେସିଂ ଫି ଛାଡିଦେଲେ ପ୍ରାୟ ୧୦/-। ତେବେ ଲିଟରକୁ ୧୦ ଟଙ୍କା ହିସାବରେ ବର୍ଷକୁ ୭,୨୦୦ କୋଟି ତାଙ୍କର ମୂଲ୍ୟବାନ ମଧୁର ଜଳ ନଷ୍ଟ ହେବ। ଖୋର୍ଦ୍ଧାବାସୀ ପାଣିଟୋପେ ପାଇଁ ଡହଳ ବିକଳ ହେବେ। ଚାଷୀ ଚାଷ ହରେଇ ଦାଦନ ଯିବ। ସରକାର ଖୋର୍ଦ୍ଧାକୁ ମରୁଭୂମି ଘୋଷଣା କରିଦିଅନ୍ତୁ। ଏ ସରକାର ଆସିବା ଦିନଠୁ ଆମର ଖଣି ପାଣି ଜଙ୍ଗଲ ଜମି ଧାନ ମୀନ ପାନ ସବୁ ଲୁଟ କଲେ . ପ୍ରତିବଦଳରେ ଆମ ପିଲାଙ୍କୁ ଦାଦନ ଯିବାକୁ ବାଧ୍ୟ କରେଇଲେ।

ତେଣୁ ଓଡ଼ିଶାର କୋଣ ଅନୁକୋଣରେ ଥିବା ସମସ୍ତ କଂଗ୍ରେସ କାର୍ଯ୍ୟକରରଙ୍କୁ ଅନୁରୋଧ ଯିଏ ଯୋଉଠି ଅଛ ସେଠି ପ୍ରତିବାଦ କର, ରାସ୍ତା ଘାଟ ବଜାର ଛକ ସବୁଠି ବିରୋଧ କରିବାକୁ ହେବ। ନିବେଶକୁ ସ୍ୱାଗତ, କିନ୍ତୁ ଜଳ ସୁରକ୍ଷା ସହିତ ସାଲିସ୍ କରାଯିବନି ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Leave A Reply

Your email address will not be published.