ଭୁବନେଶ୍ୱରରେ ଦେଶର ପ୍ରଥମ ‘କ୍ଲାଇମେଟ୍ ଡିଜିଟାଲ୍ ଟ୍ୱିନ୍’ ପ୍ଲାଟଫର୍ମ ଉନ୍ମୋଚିତ ।

0 46

ଭୁବନେଶ୍ୱର, ୨୩/୧୦(ପିପିଟି) : ଆପଣଙ୍କ ରାସ୍ତା ଅଧିକ ଗରମ ନା ଆପଣଙ୍କ ପଡ଼ୋଶୀ ଅଞ୍ଚଳ? କେଉଁଠି ଜଳବନ୍ଦୀର ଆଶଙ୍କା ଅଧିକ ଏବଂ କେଉଁ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ? ଏବେ ଏହି ସବୁ ପ୍ରଶ୍ନର ଉତ୍ତର ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ପାଇପାରିବେ ଭୁବନେଶ୍ୱରବାସୀ।

ଭାରତର ପ୍ରଥମ ‘ଭୁବନେଶ୍ୱର କ୍ଲାଇମେଟ୍ ଡିଜିଟାଲ୍ ଟ୍ୱିନ୍’ ପ୍ଲାଟଫର୍ମକୁ ଶୁକ୍ରବାର ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ଉଦ୍‌ଘାଟନ ଅବସରରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖାନ ସାହୁ ଉନ୍ମୋଚିତ କରିଛନ୍ତି । ଏହି ଅବସରରେ ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।

ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏହି ପଦକ୍ଷେପକୁ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ‘ସଷ୍ଟେନେବଲ୍ ଅର୍ବାନ୍ ମୋବିଲିଟି–ଏୟାର କ୍ୱାଲିଟି, କ୍ଲାଇମେଟ୍ ଆକ୍ସନ୍ ଆଣ୍ଡ ଆକ୍ସେସିବିଲିଟି’ (SUM-ACA) ପ୍ରକଳ୍ପ ଅଧୀନରେ GIZ ଇଣ୍ଡିଆର ବୈଷୟିକ ସହାୟତା ମିଳିଛି। ଏହାର ଡିଜାଇନ୍ ଓ ବୈଷୟିକ ବିକାଶ ଭାରତ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ‘ଇନ୍‌ପାକ୍ଟ ସଲ୍ୟୁସନ୍ସ’ ଦ୍ୱାରା କରାଯାଇଛି। ଏହି ପ୍ଲାଟଫର୍ମ ସହରର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ସହ ସଂଯୁକ୍ତ।

ଏହି ପ୍ଲାଟଫର୍ମରେ ପ୍ରାୟ ୨.୭୭ ଲକ୍ଷ କୋଠା, ୨,୦୦୦ କିଲୋମିଟରରୁ ଅଧିକ ରାସ୍ତା, ପ୍ରାୟ ୧୬୭ ବର୍ଗ କିଲୋମିଟର ଅଞ୍ଚଳର ୬୭ଟି ୱାର୍ଡ ଏବଂ ୨,୧୦୦ରୁ ଅଧିକ ସାର୍ବଜନୀନ ସୁବିଧା ସମ୍ପର୍କିତ ତଥ୍ୟ ରହିଛି। ଉପଗ୍ରହ ଚିତ୍ର, ପାଣିପାଗ ସୂଚନା, ବାୟୁ ଗୁଣବତ୍ତା ତଥ୍ୟ ଓ କମ୍ପ୍ୟୁଟର ମଡେଲ୍‌ର ବିଶ୍ଳେଷଣ ଆଧାରରେ ନାଗରିକମାନେ ନିର୍ଦ୍ଦିଷ୍ଟ କୋଠା କିମ୍ବା ଅଞ୍ଚଳର ଉତ୍ତାପ, ଜଳବନ୍ଦୀ ଓ ବାୟୁ ପ୍ରଦୂଷଣଜନିତ ବିପଦ ଜାଣିପାରିବେ। ଏହି ପ୍ଲାଟଫର୍ମ www.climate.bmc.gov.in ରେ ବିନା ଲଗ୍‌ଇନ୍‌ରେ ମାଗଣା ଉପଲବ୍ଧ। ମୋବାଇଲ୍ ଫୋନ୍ ଓ କମ୍ପ୍ୟୁଟରରେ ଏହାକୁ ବ୍ୟବହାର କରାଯାଇପାରିବେ।

ଅକ୍ଟୋବର ୨୨ ତାରିଖ ରାତି ୧୦ଟାରେ ବିଏମ୍‌ସିର ସେନ୍ସର୍‌ଗୁଡ଼ିକ ମାଷ୍ଟର କ୍ୟାଣ୍ଟିନ୍‌ରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୯୬ ଏବଂ କଳିଙ୍ଗ ହସ୍ପିଟାଲ ନିକଟରେ ୨୫୫ ରେକର୍ଡ କରିଥିଲେ। ଏହା ସହରର ବିଭିନ୍ନ ଅଞ୍ଚଳରେ ବାୟୁ ଗୁଣବତ୍ତାର ପାର୍ଥକ୍ୟ ଏବଂ ସ୍ଥାନୀୟ ନିରୀକ୍ଷଣର ଆବଶ୍ୟକତାକୁ ଦର୍ଶାଉଛି। ୨୦୨୬ ଗ୍ରୀଷ୍ମ ଋତୁର ଦଶଟି ସବୁଠାରୁ ଉତ୍ତପ୍ତ ଦିନରେ ସହରର ହାରାହାରି ଅନୁଭୂତ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍ ରହିଥିଲା। ୯୯ ପ୍ରତିଶତରୁ ଅଧିକ କୋଠା ଏପରି ଅଞ୍ଚଳରେ ଥିଲା, ଯେଉଁଠାରେ ଅନୁଭୂତ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା। ବିଭିନ୍ନ ଅଞ୍ଚଳରେ ଏହା ୩୮.୬ରୁ ୪୮.୫ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିଥିଲା। ବିମାନବନ୍ଦର ଅଞ୍ଚଳରେ ସର୍ବାଧିକ ଅନୁଭୂତ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଧୀରିକୁଟି ସାହି ଓ ଇଡ୍‌କୋ କଲୋନୀରେ ୪୫.୮ ଡିଗ୍ରୀ, ପାଇକରାପୁରରେ ୪୫.୬ ଡିଗ୍ରୀ ଏବଂ ସାଲିଆ ସାହିରେ ୪୫.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ରାତିରେ ଅଧିକ ଉତ୍ତାପ ରହୁଥିବା ଅଞ୍ଚଳ ମଧ୍ୟରେ ଶିଖରଚଣ୍ଡୀ ବିହାର, ରେଳ କୁଞ୍ଜ କମ୍ପ୍ଲେକ୍ସ, ଜଗନ୍ନାଥ ନଗର, ସହିଦ ନଗର ଓ ଆଦିମାତା କଲୋନୀ ରହିଛି।

୨୦୧୬ରୁ ୨୦୨୫ ମଧ୍ୟରେ ବାରମ୍ବାର ଜଳବନ୍ଦୀର ସମ୍ମୁଖୀନ ହୋଇଥିବା ଅଞ୍ଚଳ ମଧ୍ୟରେ ଲିଙ୍ଗରାଜ ବିହାର, ଅନନ୍ତ ବିହାର, ବଡ଼ଗଡ଼ ବ୍ରିଟ୍ କଲୋନୀ, ପାଇକ ନଗର ଓ କୋଳଥିଆ ରହିଛି। ଉପଗ୍ରହ ବିଶ୍ଳେଷଣରେ ୧,୫୮୭ଟି କୋଠା ଚିହ୍ନଟ ହୋଇଛି, ଯାହାର ଆଖପାଖରେ ଦଶ ବର୍ଷ ମଧ୍ୟରେ ଦଶରୁ ଅଧିକ ଥର ଜଳବନ୍ଦୀ ହୋଇଥିବାର ସଙ୍କେତ ମିଳିଛି। ୨୦୨୫-୨୬ ଶୀତ ଋତୁରେ ଶ୍ରୀରାମ ନଗର, ସାମନ୍ତରାପୁର, କପିଳେଶ୍ୱର, ବଶିଷ୍ଠ ନଗର ଓ ବ୍ରହ୍ମେଶ୍ୱର ପାଟଣାରେ AQI ପ୍ରାୟ ୨୩୦ ରହିଥିଲା। ସହରର ଶୀତକାଳୀନ ହାରାହାରି AQI ପୂର୍ବବର୍ଷ ତୁଳନାରେ ୫୬ ପଏଣ୍ଟ ବୃଦ୍ଧି ପାଇ ୧୯୫ରେ ପହଞ୍ଚିଥିଲା। ପ୍ରାୟ ୩୪୫ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଖରାପ ବାୟୁ ଗୁଣବତ୍ତା ଥିବା ଅଞ୍ଚଳରେ ଅବସ୍ଥିତ ଥିଲା। ପ୍ଲାଟଫର୍ମର ଆକଳନ ଅନୁଯାୟୀ, ପ୍ରାୟ ୫୬,୫୦୦ଟି କୋଠା ଉଚ୍ଚ କିମ୍ବା ଏକାଧିକ ଜଳବାୟୁ ବିପଦ ଥିବା ଅଞ୍ଚଳରେ ରହିଛି। ସେହିପରି ୨୨୭ଟି ବିଦ୍ୟାଳୟ ଏପରି ଅଞ୍ଚଳରେ ଅଛି, ଯେଉଁଠାରେ ଉତ୍ତାପ, ଜଳବନ୍ଦୀ ଓ ବାୟୁ ପ୍ରଦୂଷଣର ମିଳିତ ବିପଦ ରହିଛି।

ପ୍ଲାଟଫର୍ମରେ ନାଗରିକମାନେ ନିଜ ଘର, ବିଦ୍ୟାଳୟ, ବଜାର କିମ୍ବା ଅନ୍ୟ ଅଞ୍ଚଳ ଖୋଜି ଜଳବାୟୁ ବିପଦ ଓ ପୂର୍ବ ଋତୁଗୁଡ଼ିକର ତଥ୍ୟ ଦେଖିପାରିବେ। ଜଳ ଜମିବା, ଖୋଲା ସ୍ଥାନରେ ଆବର୍ଜନା ପୋଡ଼ିବା କିମ୍ବା ନିର୍ମାଣ ଧୂଳି ସମସ୍ୟା ଥିଲେ ସ୍ଥାନ ଓ ଫଟୋ ସହ ଅଭିଯୋଗ ଦାଖଲ କରିପାରିବେ। ଏହା ବିଏମ୍‌ସିକୁ ସମସ୍ୟା ଚିହ୍ନଟ ଓ ପଦକ୍ଷେପର ଅଗ୍ରଗତି ଉପରେ ନଜର ରଖିବାରେ ସହାୟକ ହେବ। ଏହି ପ୍ଲାଟଫର୍ମରେ ଭାରତୀୟ ପାଣିପାଗ ବିଭାଗ (IMD), କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB), ଉପଗ୍ରହ ଚିତ୍ର ଏବଂ ବିଏମ୍‌ସିର ଦଶଟି ସ୍ଥାନୀୟ ସେନ୍ସର୍‌ର ତଥ୍ୟ ବ୍ୟବହାର କରାଯାଉଛି। ଲିଙ୍ଗରାଜ ମନ୍ଦିର, କିଟ୍ ସ୍କୋୟାର, ମାଷ୍ଟର କ୍ୟାଣ୍ଟିନ୍ ଓ ଇନ୍‌ଫୋସିଟି ଭଳି ସ୍ଥାନରେ ଏହି ସେନ୍ସର୍‌ଗୁଡ଼ିକ ସ୍ଥାପିତ ହୋଇଛି।

ଓପନ୍-ସୋର୍ସ ପ୍ରଯୁକ୍ତି ଉପରେ ଆଧାରିତ ଏହି ପ୍ଲାଟଫର୍ମରେ କୃତ୍ରିମ ବୁଦ୍ଧିମତ୍ତା (AI) ସହାୟତାରେ ସାଧାରଣ ଭାଷାରେ ପ୍ରଶ୍ନ ପଚାରି ଉତ୍ତର ପାଇବାର ସୁବିଧା ରହିଛି। ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏକ ସରଳ ଇଣ୍ଟରଫେସ୍ ଉପଲବ୍ଧ ଥିବା ବେଳେ ଆଗାମୀ ଦିନରେ ମୋବାଇଲ୍ ଆପ୍ ଆରମ୍ଭ କରିବାର ଯୋଜନା ରହିଛି।

ଏହି ପ୍ଲାଟଫର୍ମ ଜଳବନ୍ଦୀପ୍ରବଣ ଅଞ୍ଚଳରେ ଡ୍ରେନ୍ ସଫେଇ, ଅଧିକ ଉତ୍ତାପ ଥିବା ବଜାରରେ ଶୀତଳ ଛାତର ବ୍ୟବସ୍ଥା ଏବଂ ବାହାରେ କାମ କରୁଥିବା ଶ୍ରମିକ, ରାସ୍ତାକଡ଼ ବିକ୍ରେତା ଓ ଟ୍ରାଫିକ୍ ପୋଲିସଙ୍କ ପାଇଁ ଛାୟା ଓ ପାନୀୟ ଜଳର ବ୍ୟବସ୍ଥା କରିବାରେ ସହାୟକ ହେବ।

ଭୁବନେଶ୍ୱରର ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ମାଧ୍ୟମରେ ନାଗରିକ ଓ କର୍ପୋରେଟର୍‌ମାନେ ନିଜ ଅଞ୍ଚଳର ଜଳବାୟୁଜନିତ ବିପଦକୁ ଭଲ ଭାବେ ବୁଝିପାରିବେ। ଜଳ ଜମିବା, ଆବର୍ଜନା ପୋଡ଼ିବା ଓ ଧୂଳି ଭଳି ସମସ୍ୟା ସମ୍ପର୍କରେ ପ୍ଲାଟଫର୍ମରେ ରିପୋର୍ଟ କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି। ସହରକୁ ଜଳବାୟୁ ବିପଦରୁ ସୁରକ୍ଷିତ ରଖିବାରେ ସମସ୍ତଙ୍କ ଅଂଶଗ୍ରହଣ ଜରୁରୀ ବୋଲି ସେ କହିଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହି ପଦକ୍ଷେପ ସହରର ବିଭିନ୍ନ ସମସ୍ୟାକୁ ଚିହ୍ନଟ କରିବା, ପ୍ରମାଣଭିତ୍ତିକ ସହରାଞ୍ଚଳ ଯୋଜନାକୁ ଆଗେଇ ନେବା ଏବଂ ନାଗରିକଙ୍କ ଭାଗିଦାରୀକୁ ସୁଦୃଢ଼ କରିବାରେ ସହାୟକ ହେବ।

ଭୁବନେଶ୍ୱରକୁ ଅଧିକ ସୁରକ୍ଷିତ, ଯୋଜନାବଦ୍ଧ ଓ ଜଳବାୟୁ ସହନଶୀଳ ସହର ଭାବେ ଗଢ଼ି ତୋଳିବା ଦିଗରେ ଏହି ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Leave A Reply

Your email address will not be published.