ରୋଟାରୀ କ୍ଲବ ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ “ପିଙ୍କ୍ ପ୍ଲେଜ୍” ସ୍ତନ କର୍କଟ ସଚେତନତା ଓ ମାଗଣା ପରୀକ୍ଷା ଶିବିର ସଫଳତାର ସହ ସମ୍ପନ୍ନ ।
ଭୁବନେଶ୍ୱର, ୨୩/୧୦(ପିପିଟି): ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ଏବଂ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ତନ କର୍କଟ ସଚେତନତା ଓ ମାଗଣା ପରୀକ୍ଷା ଶିବିର “ପିଙ୍କ୍ ପ୍ଲେଜ୍” (Pink Pledge) ୟୁନିଟ୍-୯ ସ୍ଥିତ ରୋଟାରୀ ଭବନଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି।
ଏହି କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ମିଡୋଜ୍ , ଇନର ୱିଲ୍ କ୍ଲବ୍ ଅଫ୍ ଭୁବନେଶ୍ୱର ମିଡୋଜ୍ , ଇନର ୱିଲ୍ କ୍ଲବ୍ ଅଫ୍ ଭୁବନେଶ୍ୱର ରେଡିଆଣ୍ଟ ଏବଂ ଇନର ୱିଲ୍ କ୍ଲବ୍ ଅଫ୍ ଭୁବନେଶ୍ୱର ଟେମ୍ପଲସିଟି ମିଳିତ ଭାବେ ଆୟୋଜନ କରିଥିଲେ।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଅନିଲ କୁମାର ସାମଲ ଯୋଗଦେଇ ଶିବିରର ଉଦ୍ଘାଟନ କରିବା ସହ ସମାଜରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସଚେତନତା ଓ କର୍କଟ ରୋଗର ପ୍ରାରମ୍ଭିକ ନିରୂପଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେହିପରି ମୁଖ୍ୟ ବକ୍ତା ଭାବେ ଡଃ ପ୍ରଶାନ୍ତ ପରିଡ଼ା ଯୋଗଦେଇ ସ୍ତନ କର୍କଟର ଲକ୍ଷଣ, ପ୍ରାରମ୍ଭିକ ପରୀକ୍ଷା ଏବଂ ସଠିକ୍ ପରାମର୍ଶ/ମାର୍ଗଦର୍ଶନ ରୋଗୀଙ୍କ ଜୀବନ ବଞ୍ଚାଇବାରେ କିପରି ସହାୟକ ହୋଇଥାଏ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଏହି ଶିବିରରେ ଶତାଧିକ ମହିଳା ଯୋଗଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ମାମୋଗ୍ରାଫି ଏବଂ ପରାମର୍ଶ ସେବାର ଲାଭ ଉଠାଇଥିଲେ।
ଏହି କାର୍ଯ୍ୟକ୍ରମଟି କ୍ଲବ୍ ସଭାପତି ବିକାଶ ଗରବଡ଼ୁଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିବା ବେଳେ କ୍ଲବ୍ ସମ୍ପାଦକ ଦୀପକ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରୋଟାରୀ ଏବଂ ଇନର ୱିଲ୍ କ୍ଲବ୍ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ସକ୍ରିୟ ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଥିଲା ।