ସାମାନ୍ୟ ଟଙ୍କା ପାଇଁ ଯୁବକଙ୍କ ଗଳା କାଟି ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ ।

0 0

ରେଙ୍ଗାଲିକ୍ୟାମ୍ପ,୧୯/୧୦: ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ରକ୍ତାକ୍ତ କାଣ୍ଡ ଘଟିଯାଇଛି। ସାମାନ୍ୟ ଟଙ୍କା କାରବାର ବିବାଦକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଛୁରିରେ ଗଳା କାଟି ଓ ନିର୍ମମ ଭାବେ ଛୁରା ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଲେ ଅତାବିରା ବସ୍ତିର ଶିବା ବିଶ୍ଵାଳ (୨୩)। ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନଙ୍କ ଠାରୁ ଏକ ଛୁରା ମଧ୍ୟ ଜବତ କରିଛି ।
ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ଭୋଇପୁରାର ଦୀପକ ପଞ୍ଚମ (୨୨) ଓ ଘସିଆପଡ଼ା ର ସାହିଲ ଡୁଙ୍ଗୁରି (୨୩)।
ଘଟଣାରୁ ପ୍ରକାଶ ଯେ, ଅତାବିରାରୁ ଭୋଇପୁରାକୁ ସଂଯୋଗ କରୁଥିବା ରାସ୍ତାର ପୋଲ ନିକଟରେ କିଛି ଟଙ୍କା ନେଣଦେଣକୁ କେନ୍ଦ୍ର କରି ଶିବା ଏବଂ ଅଭିଯୁକ୍ତ ଦ୍ଵୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଟଙ୍କା ମାଗିବା ବେଳେ ଗାଳିଗୁଲଜ ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ମାରପିଟ୍‌ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ଅଭିଯୁକ୍ତ ଏକ ଧାରୁଆ ଛୁରିରେ ଶିବାଙ୍କ ଗଳା କାଟି ଦେବା ସହ ତାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ନିର୍ମମ ଭାବେ ଭୁସି ଦେଇଥିଲେ। ଆକ୍ରମଣ ପରେ ଶିବା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିଲେ।
ଖବର ପାଇ ଅତାବିରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ଖେଦାପାଲି ଡାକ୍ତରଖାନାକୁ ପଠାଯାଇଥିଲା।
ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ବର୍ଗ ଅତାବିରା ଥାନାରେ ପହଞ୍ଚି ଉତ୍ତେଜନା ପ୍ରକାଶ କରିବା ସହ ନ୍ୟାୟ ଦାବି କରିଛନ୍ତି। “ଯଦି ପୁଅ ପଇସା ଧାର କରିଥିଲା, ତେବେ ଆମକୁ କହିଥିଲେ ଆମେ ଦେଇଥାନ୍ତୁ; କିନ୍ତୁ ସାମାନ୍ୟ କିଛି ଟଙ୍କା ପାଇଁ ଜୀବନରୁ ମାରିଦେବା କେତେଦୂର ଯଥାର୍ଥ?” ବୋଲି କହି ପରିବାର ଲୋକେ କାନ୍ଦିବୋବାଇ ହତ୍ୟାକାରୀଙ୍କ ବିରୋଧରେ କଠୋର ଦଣ୍ଡାଦେଶ ଦାବି କରିଛନ୍ତି। ପୋଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.