ଯେଉଁଠି ସିଦ୍ଧି ଅଛି, ସେଠି ଅହଂକାର ନାହିଁ -ସିଦ୍ଧିଦାତ୍ରୀଙ୍କ ଶେଷ ବାର୍ତ୍ତା।

0 48

ବୋଲଗଡ଼, ୧୯/୧୦ (ପିପିଟି): ନବରାତ୍ରୀର ନବମ ତଥା ଅନ୍ତିମ ଦିନରେ ପୂଜା ପାଆନ୍ତି ମା’ ସିଦ୍ଧିଦାତ୍ରୀ। ନଅ ଦିନର ଘୋର ସାଧନା ପରେ ଯେଉଁ ପୂର୍ଣ୍ଣତା ମିଳେ, ତା’ର ନାଁ ହେଉଛି ସିଦ୍ଧିଦାତ୍ରୀ।

ଦେବୀ ପୁରାଣ କୁହେ, ସ୍ୱୟଂ ଭଗବାନ ଶିବ ଏହି ମା’ଙ୍କୁ ଆରାଧନା କରି ଅଷ୍ଟସିଦ୍ଧି ଲାଭ କରିଥିଲେ। ଅଣିମା, ମହିମା, ଗରିମା, ଲଘିମା, ପ୍ରାପ୍ତି, ପ୍ରାକାମ୍ୟ, ଈଶିତ୍ୱ, ବଶିତ୍ୱ – ଏହି ଆଠ ସିଦ୍ଧି ତାଙ୍କ ହାତରେ। ସିଦ୍ଧି ଲାଭ ପରେ ଶିବ ଅର୍ଦ୍ଧନାରୀଶ୍ୱର ହୋଇଗଲେ। ମା’ ଚତୁର୍ଭୁଜା – ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରିଣୀ। ସେ ସିଂହ ଉପରେ ନୁହେଁ, ପଦ୍ମ ଉପରେ ବିରାଜିତା। କାରଣ ସିଦ୍ଧି ମିଳିଲା ପରେ ଗର୍ଜନ ନୁହେଁ, ସ୍ଥିରତା ଦରକାର। ମୁହଁରେ ଶାନ୍ତି, ଆଖିରେ କରୁଣା।

ସିଦ୍ଧି ରାତାରାତି ମିଳେନି, ୮ ଦିନ ତପସ୍ୟା ପରେ ନବମ ଦିନରେ ମିଳେ, ଆଜି ଆମେ ସମସ୍ତେ ଶୀଘ୍ର ଫଳ ଚାହୁଁ। ପରୀକ୍ଷା ନଦେଇ ଚାକିରି, ପରିଶ୍ରମ ବିନା ସମ୍ମାନ। ମା’ କୁହନ୍ତି – ସାଧନା ବିନା ସିଦ୍ଧି ନାହିଁ। ଯେଉଁ ଛାତ୍ର ପାଠରେ ତପସ୍ୟା କରିବ, ତାକୁ କୌଣସି ସୁପାରିଶ ଦରକାର ପଡିବନି।

ଯିଏ ସିଦ୍ଧି ପାଏ, ସେ ବାଣ୍ଟେ, ଲୁଚାଏ ନାହିଁ ମା’ ନିଜ ପାଖରେ ସିଦ୍ଧି ରଖନ୍ତି ନାହିଁ, ସେ ଦେଇ ଦିଅନ୍ତି। ଆମ ଗାଁର ସମସ୍ୟା ଏହିଠି – ଯିଏ ଟିକେ ଅଧିକ ଜାଣେ, ସେ ଅନ୍ୟକୁ ଶିଖାଏ ନାହିଁ, ଇର୍ଷା କରେ। ଶିକ୍ଷକ, ଡାକ୍ତର, ବଡ ଭାଇ ଯଦି ନିଜ ଜ୍ଞାନ ଅନ୍ୟକୁ ବାଣ୍ଟିବ, ତେବେ ହିଁ ସେ ପ୍ରକୃତ ସିଦ୍ଧିଦାତ୍ରୀ ହେବ। ନହେଲେ ସିଦ୍ଧି ଅଭିଶାପ ହୋଇଯିବ।

ପୁଅ ଯଦି ଶକ୍ତି, ଝିଅ ହେଉଛି ସିଦ୍ଧି,ଶିବ ପୁରୁଷ, ସିଦ୍ଧିଦାତ୍ରୀ ପ୍ରକୃତି। ଦୁଇ ଜଣ ମିଶି ହିଁ ଅର୍ଦ୍ଧନାରୀଶ୍ୱର, ସୃଷ୍ଟି ସମ୍ପୂର୍ଣ୍ଣ। ଏହା ଶିଖାଏ – ପୁଅ-ଝିଅ ଭିତରେ ଭେଦ ନାହିଁ। ଗୋଟେ ବିନା ଅନ୍ୟଟି ଅଧା। ଯେଉଁ ଘରେ ଝିଅକୁ ସିଦ୍ଧିଦାତ୍ରୀ ଭାବି ସମ୍ମାନ ମିଳେ, ସେ ଘରେ ଲକ୍ଷ୍ମୀ ଅଚଳା ହୋଇ ରୁହେ।

ନଅ ଦିନ ପୂଜା ଶେଷରେ ମା’ ଗୋଟେ କଥା କହି ଯାଆନ୍ତି – ସିଦ୍ଧି ପାଇବା ବଡ ନୁହେଁ, ସିଦ୍ଧିକୁ ସମ୍ଭାଳି ରଖି ଅନ୍ୟକୁ ଦେବା ହିଁ ବଡ। ଯିଏ ଅହଂକାର କରେ, ତା’ର ସିଦ୍ଧି ନଷ୍ଟ। ଯିଏ ବାଣ୍ଟେ, ସେ ହିଁ ଅମର।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ

Leave A Reply

Your email address will not be published.