ପୋଲସରା ,୧୭/୧୦(ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହରସ୍ଥିତ ପିପୁଲସ୍ କଲେଜର ପଦାର୍ଥ ବିଜ୍ଞାନ ବିଭାଗର +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀଙ୍କୁ +୩ ଦ୍ଵିତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ୧୭/୧୦/୨୬ ଦିନ ଅନୁଷ୍ଠିତ ହୋଇଯାଇଛି। ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜର ଭାଇସ-ପ୍ରିନ୍ସିପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ପ୍ରଦୀପ କୁମାର ପ୍ରଧାନ ଓ ବେରର୍ ସୁରଜ କୁମାର ଡାକୁଆ ଯୋଗଦେଇଥିଲେ। ଛାତ୍ରୀ ସ୍ୱାଗତିକା ସାହୁ, ଶ୍ରାବଣୀ ପାତ୍ର ଓ ଦୀପିକା ସ୍ୱାଇଁ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ +୩ ତୃତୀୟ ବର୍ଷ ଛାତ୍ର ଶୁଭମ୍ ଦଳାଇ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଥମେ +୩ ପ୍ରଥମ ବର୍ଷର ନବାଗତ ଛାତ୍ର ଓ ଛାତ୍ରୀ ବୃନ୍ଦ ନିଜର ପରିଚୟ ପ୍ରଦାନ କରିଥିବା ବେଳେ ଦ୍ୱିତୀୟ ଓ ଶେଷ ବର୍ଷର ବରିଷ୍ଠ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର କନିଷ୍ଠ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଅତିଥି ବୃନ୍ଦ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ବହୁ ଉପଦେଶ ଓ ପରାମର୍ଶ ପ୍ରଦାନ କରିଥିଲେ।
ଛାତ୍ର କାହ୍ନୁ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା