ଛତ୍ରପୁର,୧୫/୧୦(ପିପିଟି): ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ପରିବାରଙ୍କ ପୁନର୍ବାସ ଓ ଥଇଥାନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆରପିଡିଏସି ଉପକମିଟିର ଦ୍ୱିତୀୟ ବୈଠକ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଆଭାସୀ ବୈଠକରେ କଲୋନୀରେ ଭିତ୍ତିଭୂମି ବିକାଶ, ପୁନର୍ବାସ ସହାୟତା,ଗୃହ ନିର୍ମାଣ, ବିଦ୍ୟୁତ୍ ସଂଯୋଗ ଏବଂ ସୌରଶକ୍ତି ବ୍ୟବସ୍ଥାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏଥିସହ ବିସ୍ଥାପିତ ପରିବାରଙ୍କ ବିଭିନ୍ନ ଦାବି ଓ ସମସ୍ୟା ଉପରେ ଆଲୋଚନା କରାଯାଇ ସେଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଓ ସୁପାରିଶ ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା ।
ବିସ୍ଥାପିତ ପରିବାରଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ସମନ୍ୱୟ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜାମ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର,ଉଭୟ ଜିଲ୍ଲାର ବରିଷ୍ଠ ଅଧିକାରୀ,କମିଟିର ସଦସ୍ୟ,ଗ୍ରାମ ବାସୀମାନେ ଉପସ୍ଥିତ ଥିଲେ ।