ଯାଜପୁରରେ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜା ପାଇଁ ପ୍ରସ୍ତୁତି ବୈଠକ ।

0 183

ଯାଜପୁର,୧୫/୧୦(ପିପିଟି): ଯାଜପୁର ଜିଲ୍ଲାର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା, ମୈତ୍ରୀ, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ନଭେମ୍ବର ୭ ଓ ୮ ତାରିଖରେ ଲକ୍ଷ୍ମୀନାରାୟଣ ପୂଜା ଓ କାଳୀପୂଜା ଆରମ୍ଭ ହେବାକୁ ଥିବାବେଳେ ନଭେମ୍ବର ୧୬ ଓ ୧୭ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମ ହେଉଥିବାରୁ ପୂଜା ଓ ଭସାଣି ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ପୂଜା କମିଟି, ଶାନ୍ତି କମିଟି ଓ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କ ସହଯୋଗ କାମନା କରିଥିଲେ।

ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର କହିଥିଲେ ଯେ, କାଳୀପୂଜା ଯାଜପୁରର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦାୟିକ ଓ ସାମାଜିକ ଉତ୍ସବ। ଏହି ଉତ୍ସବ ମାଧ୍ୟମରେ ଶାନ୍ତି, ସଦ୍‌ଭାବନା, ସମ୍ପ୍ରୀତି ଓ ଭାଇଚାରାର ବାର୍ତ୍ତା ପ୍ରସାରିତ ହେବା ଆବଶ୍ୟକ। ତେଣୁ ସମସ୍ତ ବିଭାଗ ଓ ପୂଜା କମିଟି ପାରସ୍ପରିକ ସମନ୍ୱୟ ରକ୍ଷା କରି ଦାୟିତ୍ୱର ସହ କାର୍ଯ୍ୟ କରିବା ସହ ଯାଜପୁର ଜିଲ୍ଲାକୁ ଏକ ଆଦର୍ଶ ଉଦାହରଣ ଭାବେ ପ୍ରତିଷ୍ଠିତ କରିବାକୁ ସେ ଆହ୍ୱାନ ଦେଇଥିଲେ।

ବୈଠକରେ ଯୋଗଦେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ପୁଷ୍ପଲତା ବାରିକ କହିଥିଲେ ଯେ, ସହରର ମୁଖ୍ୟ ରାସ୍ତା, ପୂଜା ମଣ୍ଡପ ଓ ପାର୍କିଂ ସ୍ଥଳରେ ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ କରାଯିବ। ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇ ଜନସାଧାରଣଙ୍କୁ ଅବଗତ କରାଯିବ।

ପୂଜା ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ଅଗ୍ନିନିର୍ବାପକ ଯନ୍ତ୍ର ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରଖାଯିବ। ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ, ଚିକିତ୍ସା ଦଳ ଓ ପ୍ରାଥମିକ ଚିକିତ୍ସା ସୁବିଧା ପ୍ରସ୍ତୁତ ରଖାଯିବ। ଯାଜପୁର ପୌରପାଳିକା ପକ୍ଷରୁ ପରିମଳ, ଆବର୍ଜନା ନିଷ୍କାସନ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରାଯିବ। ଏଥିସହ ପାଣି ଟ୍ୟାଙ୍କର, ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ଓ ଆଲୋକସଜ୍ଜା ପାଇଁ ବିଦ୍ୟୁତ୍ ବିଭାଗ ଏବଂ ଜନସ୍ୱାସ୍ଥ୍ୟ ବିଭାଗକୁ ଆବଶ୍ୟକ ପ୍ରସ୍ତୁତି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

ଏହି ପ୍ରସ୍ତୁତି ବୈଠକରେ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିସ୍ଥିତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ମାଦକ ଦ୍ରବ୍ୟ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା, ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ, ପୂଜା ମଣ୍ଡପର ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ ଏବଂ ଭସାଣି ଓ ବିସର୍ଜନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ, ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ରାଉତ, ଅବକାରୀ ଅଧୀକ୍ଷକ ଅଜୟ କୁମାର ବେହେରା ଓ ରିଜର୍ଭ ଇନିସ୍ପେକଟର କବିବର ଦେହୁରୀ,ସହକାରୀ ଜିଲ୍ଲାପାଳ ନିବେଦିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏଥିସହ ପୂଜା କମିଟି, ଶାନ୍ତି କମିଟି ଓ ବରିଷ୍ଠ ନାଗରିକ କର୍ଣ୍ଣାଟ କେଶରୀ ଦାସ, ବଟକୃଷ୍ଣ ମହାପାତ୍ର, ରାଜୀବ ମହାନ୍ତି, ଦିଗମ୍ବର କର, କଳିଙ୍ଗ କେଶରୀ ମହାନ୍ତି,  ସୁରେନ୍ଦ୍ର ବାରିକ ଓ  ସନ୍ତୋଷ ନନ୍ଦଙ୍କ ସମେତ ବିଭିନ୍ନ ପୂଜା କମିଟି ଓ ଶାନ୍ତି କମିଟିର କର୍ମକର୍ତ୍ତା, ପୋଲିସ ବିଭାଗ, ପୌରପାଳିକା, ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।ସାଧାରଣ ବିବିଧ ବିଭାଗ ର ବିକାଶ ତରାଇ,କନିଷ୍ଠ ସହାୟକ ଧନଞ୍ଜୟ ଦାସ ବୈଠକ ପରିଚାଳନାରେ ସହାୟତା କରିଥିଲେ।

ଶେଷରେ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.