ଭୁବନେଶ୍ୱର, ୧୫/୧୦(ପିପିଟି): ରାଜ୍ୟରେ ଆସନ୍ତା ୨୦ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିପାଇଁ ଗୁରୁବାର ୧୮ଟି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ଥିବା ନେଇ ସତର୍କ କରାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ଶୁକ୍ରବାର ଉପକୂଳ ଓଡ଼ିଶାର କେତେକ ସ୍ଥାନ ସମେତ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି।
ସେହିପରି ଅକ୍ଟୋବର ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ପାଣିପାଗ ସ୍ଥିତି ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଥିବାରୁ ଲୋକଙ୍କୁ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।