ବ୍ରାହ୍ମଣୀ ନଦୀରେ ଡଙ୍ଗାରେ ଚୋରା ମଦ ଚାଲାଣ ଅଭିଯୋଗ ।

0 0

ଢେଙ୍କାନାଳ, ୧୪/୧୦: ଚୋରା ମଦ କାରବାର ପାଇଁ ବ୍ରାହ୍ମଣୀ ନଦୀକୁ ନୂଆ ପରିବହନ ମାର୍ଗ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ମାଛ ଧରିବା ଆଳରେ ଡଙ୍ଗାରେ ଦେଶୀ ମଦ ଓ ନକଲି ବିଦେଶୀ ମଦ ପରଜଙ୍ଗ ଅଞ୍ଚଳରୁ ଆଣି ଓଡ଼ାପଡ଼ା ବ୍ଲକ୍ର ବିଭିନ୍ନ ନଦୀଘାଟରେ ପହଞ୍ଚାଯାଉଛି। ସେଠାରୁ ମଦ ବ୍ୟବସାୟୀମାନେ ଏହାକୁ ସଂଗ୍ରହ କରି ଗାଁ ଗାଁରେ ବିକ୍ରି କରୁଥିବା କୁହାଯାଉଛି। ଏହି କାରବାର ଦୀର୍ଘଦିନ ଧରି ଚାଲିଥିବା ସତ୍ତ୍ୱେ ପୁଲିସ ଓ ଅବକାରୀ ବିଭାଗ ପ୍ରଭାବୀ ପଦକ୍ଷେପ ନେଉନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ବ୍ରାହ୍ମଣୀ ନଦୀ ଢେଙ୍କାନାଳ ଜିଲ୍ଲାର ଅନେକ ମତ୍ସ୍ୟଜୀବୀ ପରିବାରଙ୍କ ଜୀବିକାର ମୁଖ୍ୟ ଆଧାର। ଏହା ସହିତ ନଦୀର କେତେକ ଘାଟରେ ଲୋକଙ୍କ ଯାତାୟାତ ପାଇଁ ଡଙ୍ଗା ବ୍ୟବହାର କରାଯାଏ। ଦୁଇ ପାର୍ଶ୍ୱର ପଞ୍ଚାୟତ ମଧ୍ୟରେ ବିବାଦ ଯୋଗୁଁ କେତେକ ଘାଟର ନିଲାମ ପ୍ରକ୍ରିୟା ବନ୍ଦ ରହିଥିବାରୁ ସେଠାରେ ନିୟମିତ ଡଙ୍ଗା ଚଳାଚଳ ବ୍ୟବସ୍ଥା ନାହିଁ। ଏହି ଅବ୍ୟବସ୍ଥାର ସୁଯୋଗ ନେଇ ମଦ ମାଫିଆମାନେ ଜଳପଥରେ ଚୋରା ମଦ ପରିବହନ କରୁଥିବା ଅଭିଯୋଗ ହୋଇଛି। ସଡ଼କପଥରେ ମଦ ନେବା ସମୟରେ ଧରାପଡ଼ିବା ଆଶଙ୍କା ଥିବାରୁ ସେମାନେ ନଦୀପଥକୁ ବାଛୁଥିବା କୁହାଯାଉଛି।
ଓଡ଼ାପଡ଼ା ବ୍ଲକ୍ର କମଳାଙ୍ଗ, ମାନପୁର, ମଙ୍ଗଳପୁର, କୁଶୁପଙ୍ଗା, ଖଡ଼ଗପ୍ରସାଦ, ସୁରଭି, ବିଡ଼ୋ, ମାଳିବିଡ଼ା, ମୁଣ୍ଡା, ଧଳପୁର, ନାଧରା, ଏକଘରିଆ ଓ ଗୁଣଦେଇ ଆଦି ଘାଟ ଦେଇ ନିୟମିତ ମଦ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଡଙ୍ଗାରେ ବ୍ଲାଡର ଓ ଜାରକିନ୍ରେ ଭର୍ତ୍ତି ଦେଶୀ ମଦ ନିଆଯାଇ ନିର୍ଦ୍ଦିଷ୍ଟ ଘାଟରେ ପହଞ୍ଚାଯାଉଛି। ପରେ ସେଠାରୁ ବ୍ୟବସାୟୀମାନେ ମଦ ନେଇ ବିଭିନ୍ନ ଗାଁରେ ବିକ୍ରି କରୁଥିବା ଅଭିଯୋଗ ରହିଛି। ଏହି କାରବାରକୁ ବିରୋଧ କରୁଥିବା ଡଙ୍ଗାଚାଳକ ଓ ଅନ୍ୟମାନଙ୍କୁ ମିଥ୍ୟା ମାମଲାରେ ଫସାଇବା, ଡଙ୍ଗା କାଟିଦେବା ଏବଂ ଡିନାମାଇଟ୍ ଲଗାଇ ଉଡ଼ାଇଦେବାର ଧମକ ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ପୂର୍ବରୁ ମଦ ପରିବହନକୁ ବିରୋଧ କରିବାରୁ ଡଙ୍ଗାକୁ ବିସ୍ଫୋରକ ଲଗାଇ ନଷ୍ଟ କରାଯାଇଥିବା ଘଟଣା ରହିଥିବା ଦାବି କରାଯାଉଛି। ଡଙ୍ଗା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା କେତେକ ଲୋକ ଆର୍ଥିକ ପ୍ରଲୋଭନ କିମ୍ବା ଧମକ ଯୋଗୁଁ ଏହି କାରବାରରେ ସାମିଲ ହେବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି।
ପ୍ରତିଦିନ ହଜାର ହଜାର ଲିଟର ଦେଶୀ ଓ ନକଲି ବିଦେଶୀ ମଦ ନଦୀପଥରେ ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ଅବକାରୀ ବିଭାଗର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି। ନଦୀରେ ବେଆଇନ ଭାବେ ଡଙ୍ଗା ଚଳାଚଳ ଓ ଘାଟଗୁଡ଼ିକରେ ନିୟନ୍ତ୍ରଣର ଅଭାବକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। କେବେ କେମିତି ଛୋଟ ମଦ ବ୍ୟବସାୟୀଙ୍କୁ ଧରାଯାଉଥିବା ବେଳେ ମଦ ଚାଲାଣରେ ସମ୍ପୃକ୍ତ ମୁଖ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଏବଂ ଜଳପଥରେ ଚାଲୁଥିବା ନେଟୱର୍କକୁ ଭାଙ୍ଗିବା ପାଇଁ ସ୍ୱତନ୍ତ୍ର ଅଭିଯାନ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ନଦୀଘାଟଗୁଡ଼ିକରେ ନିୟମିତ ଯାଞ୍ଚ, ଡଙ୍ଗାରେ ଚଢ଼ଉ ଓ ମଦ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକ ଆର୍ୟା ସଭ୍ୟତା ରାୟ କହିଛନ୍ତି ଯେ ଅଭିଯୋଗ ଉପରେ ଦୃଷ୍ଟି ଦିଆଯିବ। ଏଭଳି କାରବାର ଚାଲିଥିବା ଜଣାପଡ଼ିଲେ ଚଢ଼ଉ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.