ଶ୍ରୀଲିଙ୍ଗରାଜ ମନ୍ଦିରରେ ଅପମିଶ୍ରିତ କ୍ଷୀର ବିକ୍ରି ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି ।

0 1

ଭୁବନେଶ୍ୱର, ୧୪/୧୦(ପିପିଟି ): ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ଅଭିଯୋଗ ଏବେ ଦେବଦେବୀଙ୍କ ପୂଜାରେ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଛୁଇଁଛି। ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଠାକୁରଙ୍କ ଅଭିଷେକ ପାଇଁ ବିକ୍ରି ହେଉଥିବା କ୍ଷୀରରେ ପାଣି ଓ ଅନ୍ୟାନ୍ୟ ପଦାର୍ଥ ମିଶାଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିବାବେଳେ ଏଭଳି କାରବାର ବନ୍ଦ କରିବାକୁ ଦାବି ହୋଇଛି।
ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ଜଣେ ବୟସ୍କା ମହିଳା ଶ୍ରୀଲିଙ୍ଗରାଜଙ୍କୁ କ୍ଷୀର ଅଭିଷେକ କରିବା ମାନସିକ ନେଇ ମନ୍ଦିରକୁ ଆସିଥିଲେ। ମନ୍ଦିର ନିକଟରୁ କ୍ଷୀର କିଣିବା ପରେ ସେଥିରେ ଅଧିକ ପାଣି ମିଶିଥିବା ଦେଖି ସେ ବ୍ୟବସାୟୀଙ୍କୁ ଅଭିଯୋଗ କରିଥିଲେ। ତେବେ ବ୍ୟବସାୟୀ ଅଭିଯୋଗକୁ ଗ୍ରହଣ ନକରି ତାଙ୍କୁ ଓଲଟା ଦୁର୍ବ୍ୟବହାର କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଫଳରେ ମାନସିକ ପୂରଣ କରିବାରୁ ବଞ୍ଚିତ ହୋଇ ସେ କ୍ଷୀର ଫିଙ୍ଗିଦେଇ କେବଳ ବେଲପତ୍ର, ଫୁଲ ଓ ନଡ଼ିଆ ଅର୍ପଣ କରି ନିରାଶ ହୋଇ ଫେରିଥିଲେ।
କିଛି ସେବାୟତଙ୍କ କହିବା ଅନୁଯାୟୀ, ମନ୍ଦିର ନିକଟରେ ଏଭଳି ଘଟଣା ବାରମ୍ବାର ଘଟୁଛି। ଅଭିଯୋଗ ଅନୁସାରେ, କେତେକ ବ୍ୟବସାୟୀ ପ୍ୟାକେଟ୍ କ୍ଷୀରରେ ପାଣି ଓ ଧଳା ରାସାୟନିକ ପଦାର୍ଥ ମିଶାଇ ବିକ୍ରି କରୁଛନ୍ତି। ଏହା ସହ କ୍ଷୀରକୁ ପ୍ଲାଷ୍ଟିକ ଗିଲାସରେ ବିକ୍ରି କରାଯାଉଥିବା ନେଇ ମଧ୍ୟ ଆପତ୍ତି ଉଠିଛି। ତେବେ କ୍ଷୀରରେ ରାସାୟନିକ ପଦାର୍ଥ ମିଶାଯାଉଥିବା ଅଭିଯୋଗର ସ୍ୱତନ୍ତ୍ର ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଏହି ଘଟଣାରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଓ ମନ୍ଦିର ପ୍ରଶାସନ ହସ୍ତକ୍ଷେପ କରିବା ସହ କ୍ଷୀରର ଗୁଣବତ୍ତା ଯାଞ୍ଚ, ଅପମିଶ୍ରଣ ରୋକିବା ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା କହିଛନ୍ତି ଯେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ ହେବା ଆବଶ୍ୟକ। ଏହି ଦିଗରେ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.