ସୁବର୍ଣ୍ଣପୁର ୧୦/୧୦(ପିପିଟି):ଜଙ୍ଗଲ ସ୍ୱଚ୍ଛତା, ଚାରଣଭୂମିର ସୁରକ୍ଷା, ବନ୍ୟପ୍ରାଣୀ ସଂରକ୍ଷଣ ଓ ଜୈବବିବିଧତାର ରକ୍ଷା ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନାକଡେଇଁ ଜଙ୍ଗଲରେ ଦୟା ସରାବନି ଯୋଗ ଟ୍ରଷ୍ଟ ପକ୍ଷରୁ ଏକ ପ୍ରକୃତି ସୁରକ୍ଷା ଅଭିଯାନ ଆୟୋଜନ କରାଯାଇଥିଲା।
ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ଡ. ହୃଷୀକେଶ ଦେହେରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଅଭିଯାନରେ ଜଙ୍ଗଲର ସ୍ୱଚ୍ଛତା ବଜାୟ ରଖିବା, ପ୍ରାକୃତିକ ସମ୍ପଦର ସୁରକ୍ଷା, ବନ୍ୟପ୍ରାଣୀଙ୍କ ବାସସ୍ଥାନ ସଂରକ୍ଷଣ ଏବଂ ପରିବେଶର ସନ୍ତୁଳନ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ବିଶେଷ କରି ଚାରଣଭୂମିର ସୁରକ୍ଷା, ଜଙ୍ଗଲରେ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ଆବର୍ଜନା ପକାଇବାରୁ ନିବୃତ୍ତ ରହିବା, ବନ୍ୟପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥାନ ନଷ୍ଟ ନ କରିବା ଏବଂ ବେଆଇନ ଶିକାରକୁ ରୋକିବା ଉପରେ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦିଆଯାଇଥିଲା।ଏଥିସହ ସ୍ଥାନୀୟ ଜୈବବିବିଧତାର ସୁରକ୍ଷା, ବିରଳ ବୃକ୍ଷଲତା ଓ ଔଷଧୀୟ ଉଦ୍ଭିଦର ସଂରକ୍ଷଣ, ପକ୍ଷୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଜଙ୍ଗଲର ପ୍ରାକୃତିକ ପରିବେଶକୁ ଅକ୍ଷୁଣ୍ଣ ରଖିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା।ଜଙ୍ଗଲକୁ ପ୍ଲାଷ୍ଟିକ୍ମୁକ୍ତ ଓ ଆବର୍ଜନାମୁକ୍ତ ରଖିବା ସହ ପ୍ରକୃତିର ସମ୍ପଦକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋନପୁର ଜୁନିୟର ରେଡକ୍ରସର ବ୍ଲକ୍ ସଂଯୋଜକ ତଥା ଶିକ୍ଷକ ବିକ୍ରମ କୁମାର ନନ୍ଦ ଯୋଗଦେଇ ପ୍ରକୃତି ସୁରକ୍ଷା ଦିଗରେ ନିଜର ମତାମତ ସହ ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ପାଇଁ ଜନସଚେତନତା ବୃଦ୍ଧି ସହ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ।ଏହି ଅଭିଯାନରେ ଚନ୍ଦ୍ରମଣି ଦାସ ଯୁବକ ସଂଘ, ବାଘପାଲି ର ସଦସ୍ୟ ହିମାଂଶୁ ପ୍ରଧାନ, ସୁଧାଂଶୁ ପ୍ରଧାନ, ଆକାଶ ବଗର୍ତ୍ତି ଓ ଜିତେନ୍ଦ୍ର ଥାଟିଙ୍କ ସମେତ ଟ୍ରଷ୍ଟର ସଦସ୍ୟ ଓ ସ୍ୱେଚ୍ଛାସେବୀ ଜ୍ଞାନ ରଂଜନ ପ୍ରଧାନ, ସୁରେନ୍ଦ୍ର ଘିମିଲ , କିଶାନ ରଥ,ଆର୍ଯ୍ୟନ ମିଶ୍ର,ଅସିତ୍ ଦେହେରି , ଶିତିକଣ୍ଠ ଥନାପତି ଉପସ୍ଥିତ ରହି ପ୍ରକୃତି ସୁରକ୍ଷାର ବାର୍ତ୍ତା ପ୍ରସାର କରିଥିଲେ।ପ୍ରକୃତି ଓ ପରିବେଶର ସୁରକ୍ଷା କେବଳ ସରକାର କିମ୍ବା କୌଣସି ଗୋଟିଏ ସଂସ୍ଥାର ଦାୟିତ୍ୱ ନୁହେଁ; ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା ।ଏହି ଅବସରେ ନାକଡେଇଁ ଜଙ୍ଗଲ ରୁ ଉପସ୍ଥିତ ଅତିଥି ଓ ସ୍ଵଚ୍ଛାସେବୀ ମାନଂକ ଦ୍ଵାରା ପାଖାପାଖି ୧୫କିଗ୍ରା ପ୍ଲାଷ୍ଟିକ ବୋତଲ, ପଲିଥିନ, କାଚ ବୋତଲ ସଂଗ୍ରହ କରାଯାଇ ତାକୁ ନଷ୍ଟ କରାଯାଇଥିବାବେଳେ ଜଙ୍ଗଲ ରେ ବୃକ୍ଷ ରୋପଣ କରାଯାଇଥିଲା l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ