୧୨ରେ କଟକ ଆସିବେ ମୁଖ୍ୟମନ୍ତ୍ରୀ; ଚଣ୍ଡୀ ମନ୍ଦିର ଉଦ୍ଘାଟନ ସହ ଏସ୍ସିବି ସମ୍ପ୍ରସାରଣ ପ୍ରକଳ୍ପର କରିବେ ସମୀକ୍ଷା।

0 0

କଟକ, ୧୦/୧୦(ପିପିଟି): ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କଟକ ଗସ୍ତରେ ଆସିବେ। ଏହି ଅବସରରେ ସେ ବହୁ ପ୍ରତୀକ୍ଷିତ କଟକ ଚଣ୍ଡୀ ମନ୍ଦିରର ନବକଳେବର ପ୍ରକଳ୍ପ ଉଦ୍ଘାଟନ କରିବା ସହ ଗଡ଼ଗଡ଼ିଆ ଘାଟ ନିକଟରେ ସାହିତ୍ୟିକ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଏବଂ ବାଲିଯାତ୍ରା ପଡ଼ିଆରେ ‘କଟକ ଇନ୍ କଟକ’ ପରିଦର୍ଶନ କରିବେ। ଅପରାହ୍ନରେ ସେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତ କରି ସମ୍ପ୍ରସାରଣ ପ୍ରକଳ୍ପର କ୍ଲିନିକାଲ ବ୍ଲକ୍-୧ ଓ ବ୍ଲକ୍-୪ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବେ। ଏସ୍ସିବିର ୧୩ଟି ଆବାସିକ ବ୍ଲକ୍ ମଧ୍ୟରୁ ଦୁଇଟି ମହିଳା ହଷ୍ଟେଲର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବାବେଳେ କିଛି ଆଭ୍ୟନ୍ତରୀଣ କାମ ବାକି ଥିବାରୁ ଡାକ୍ତରୀ ଛାତ୍ରୀଙ୍କ ସ୍ଥାନାନ୍ତର ହୋଇପାରିନାହିଁ। ୨୦୨୪ରେ ଶେଷ ହେବାକୁ ଥିବା ସମ୍ପ୍ରସାରଣ ପ୍ରକଳ୍ପରେ ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ନିର୍ମାଣ କାର୍ଯ୍ୟର ଅଗ୍ରଗତି, ରୋଗୀଙ୍କ ସମସ୍ୟା ଓ ଚିକିତ୍ସା ଭିତ୍ତିଭୂମିର ସମୀକ୍ଷା ସହ ପ୍ରକଳ୍ପ ଶେଷ ପାଇଁ ସମୟସୀମା ନିର୍ଦ୍ଧାରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି। ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକ ପ୍ରସ୍ତୁତି ଜୋରଦାର କରିଛନ୍ତି।

Leave A Reply

Your email address will not be published.