ପ୍ରେମ ପ୍ରତାରଣା ମାମଲା ବଢୁଛି, ୭ ମାସରେ ଭୁବନେଶ୍ୱରରେ ୧୦୩ ମାମଲା ।

0 1

ଭୁବନେଶ୍ୱର,୦୭/୧୦(ପିପିଟି ):ପ୍ରେମ ସମ୍ପର୍କ ପରେ ପ୍ରତାରଣା, ବିବାହର ପ୍ରତିଶ୍ରୁତି ଦେଇ ଧୋକା ଓ ଶାରୀରିକ ସମ୍ପର୍କ ପରେ ସମ୍ପର୍କ ଛିନ୍ନ କରିବା ଭଳି ଅଭିଯୋଗକୁ ନେଇ ମାମଲା ବଢ଼ିବାରେ ଲାଗିଛି। ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୬ର ଗତ ସାତ ମାସ ମଧ୍ୟରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ପ୍ରେମ ଓ ପ୍ରତାରଣା ସମ୍ପର୍କିତ ୧୦୩ଟି ମାମଲା ରୁଜୁ ହୋଇଛି। ଏଥିରୁ ୩୪ଟି ମାମଲା ଆପୋଷ ବୁଝାମଣାରେ ସମାଧାନ ହୋଇଥିବାବେଳେ ୬୩ ଜଣ ପୁରୁଷଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି।

ଚଳିତବର୍ଷ ଜୁନ୍ ୪ ତାରିଖରେ ବାରଙ୍ଗ ଥାନା ଅଧୀନ କାଠଯୋଡ଼ି ନଦୀପଠାରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତଦେହ ମିଳିବା ଘଟଣା ଏହି ପ୍ରସଙ୍ଗକୁ ଚର୍ଚ୍ଚାରେ ଆଣିଥିଲା। ତଦନ୍ତ ସମୟରେ ପ୍ରେମ ସମ୍ପର୍କ ଓ ପ୍ରତାରଣା ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଥିଲା। ଓଏଏସ୍ ଅଧିକାରୀ ଭୀମସେନ ଟୁଡୁଙ୍କ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଥିଲା।

ଏହାବ୍ୟତୀତ ଏପ୍ରିଲ ୨୭ରେ ପ୍ରେମ ସମ୍ପର୍କ ଓ ପ୍ରତାରଣା ଅଭିଯୋଗରେ ଦେବରାଜ ବିଶୋୟୀଙ୍କୁ ଗିରଫ କରାଯାଇଥିଲା। ଅଗଷ୍ଟ ୨ରେ ଲିଙ୍ଗରାଜ ଥାନା ପୁଲିସ ‘ଲଭ୍, ସେକ୍ସ ଓ ଧୋକା’ ଅଭିଯୋଗରେ ଭବତୋଷ ମହାନ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିପରି ଜୁଲାଇ ୧୨ରେ ଶାରୀରିକ ସମ୍ପର୍କ ପରେ ପ୍ରତାରଣା ଅଭିଯୋଗରେ ନୟାପଲ୍ଲୀ ଥାନା ପୁଲିସ କନ୍ଧମାଳ ଟିକାବାଲିର ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଥିଲା।
କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ମାମଲା ନେଇ ପୁଲିସ ନିକଟରେ ଅଭିଯୋଗ ବଢ଼ୁଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ଏହି ପ୍ରକାର ମାମଲାରେ ଗଞ୍ଜାମ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ଜିଲ୍ଲାରେ ୫୩ଟି ମାମଲା ରୁଜୁ ହୋଇଥିବାବେଳେ ମୟୂରଭଞ୍ଜରେ ୩୯ଟି ମାମଲା ରୁଜୁ ହୋଇ ୨୪ ଜଣଙ୍କୁ ଗିରଫ କରାଯାଇଛି। କେନ୍ଦୁଝରରେ ମଧ୍ୟ ୩୩ଟି ମାମଲା ରୁଜୁ ହୋଇଥିବା ତଥ୍ୟରୁ ଜଣାପଡ଼ିଛି।
ପ୍ରେମ ସମ୍ପର୍କରେ ପ୍ରତାରଣା ନୂଆ ଘଟଣା ନୁହେଁ। ୨୦୨୫ ମେ’ ୧୨ରେ ଧଉଳି ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା। ବିବାହ ଚାଲିଥିବା ବେଳେ ଜଣେ ପୁରୁଣା ପ୍ରେମିକ ବେଦୀରେ ପହଞ୍ଚି ବିବାହକୁ ବାଧା ଦେଇଥିବା ଅଭିଯୋଗ ହୋଇଥିଲା। ବିଶେଷଜ୍ଞମାନଙ୍କ ମତରେ, ସମ୍ପର୍କରେ ପାରଦର୍ଶିତା, ପରସ୍ପର ସମ୍ମତି ଓ ଦାୟିତ୍ୱବୋଧର ଅଭାବ ଏଭଳି ଘଟଣାର ପ୍ରମୁଖ କାରଣ ହୋଇପାରେ। ଏପରି ମାମଲା ବଢ଼ୁଥିବାରୁ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସହ ଆଇନ ସମ୍ପର୍କରେ ଜ୍ଞାନ ବୃଦ୍ଧିର ଆବଶ୍ୟକତା ରହିଛି।

Leave A Reply

Your email address will not be published.