ବୋଲଗଡ଼,୦୭/୧୦ (ପିପିଟି): ସାମ୍ବାଦିକତା କ’ଣ ଏତେ ସହଜ ହୋଇଗଲା ? ଏ ପ୍ରଶ୍ନ ଏବେ ପ୍ରତ୍ୟେକ ସଚେତନ ମଣିଷର ମୁହଁରେ। ସାମାଜିକ ଗଣମାଧ୍ୟମରେ ଆଜିକାଲି ଯେଉଁଠି ଦେଖିବ ସେଇଠି ଗୋଟିଏ ବିଜ୍ଞାପନ “ଆମ ଚ୍ୟାନେଲ ପାଇଁ ସାମ୍ବାଦିକ ଆବଶ୍ୟକ। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକ ପାଇଁ ପଦ ଖାଲି ଅଛି।”
ଆଉ ତା’ ସହିତ ଦୁଇଟି ସର୍ତ୍ତ ଥାଏ ତାହା ହେଲା ୧. ଅଭିଜ୍ଞତା ଥିବା ଆବଶ୍ୟକ, ୨. ଶିକ୍ଷାଗତ ଯୋଗ୍ୟତା – କେବଳ ଦଶମ ପାସ୍। ଏଠି ପ୍ରଶ୍ନ ଉଠୁଛି, ସାମ୍ବାଦିକତା ଭଳି ଏକ ପବିତ୍ର ଓ ଦାୟିତ୍ୱପୂର୍ଣ୍ଣ ପେଶାର ମାନଦଣ୍ଡ କ’ଣ ଏତେ ତଳକୁ ଖସି ଆସିଲା ? ଦଶମ ପାସ୍ ରେ କ’ଣ ସମ୍ଭବ ? ଏକ ଖବର ପଛରେ ଥାଏ ସତ୍ୟର ସନ୍ଧାନ, ତଥ୍ୟର ଯାଞ୍ଚ, ଭାଷାର ଶୁଦ୍ଧତା, ଆଇନର ଜ୍ଞାନ ଓ ସମାଜ ପ୍ରତି ଉତ୍ତରଦାୟିତ୍ୱ। ଏ ସବୁ କ’ଣ କେବଳ ଦଶମ ଶ୍ରେଣୀ ପାସ୍ କରିଥିବା ଜଣେ ପିଲା ବୁଝିପାରିବ ? ଖବର ସଂଗ୍ରହ କରିଦେଲେ ହେଲା ନା ତା’ର ସତ୍ୟାସତ୍ୟ ଯାଞ୍ଚ କରିବାକୁ ପଡିବ? ଯଦି ଦଶମ ପାସ୍ ରେ ସାମ୍ବାଦିକ ହୋଇ ହେବ, ତେବେ ସାମ୍ବାଦିକତାରେ ସ୍ନାତକ, ସ୍ନାତକୋତ୍ତର କରିଥିବା ହଜାର ହଜାର ଯୁବକ ଯୁବତୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି କଣ ପାଇଁ ପଢୁଛନ୍ତି ? ଏହା ସେମାନଙ୍କ ପରିଶ୍ରମ ଓ ସ୍ୱପ୍ନ ପ୍ରତି ଅପମାନ ନୁହେଁ କି ? କିନ୍ତୁ ଏହା ମନେ ରଖନ୍ତୁଯେ ସାମ୍ବାଦିକତା କେବଳ ବୁମ୍ ଧରି ଫଟୋ ଉଠାଇବା ନୁହେଁ। ଏହା ସମାଜର ଦର୍ପଣ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ଭୁଲ ଖବର ଗୋଟିଏ ପରିବାର ନୁହେଁ, ପୁରା ସମାଜକୁ ନଷ୍ଟ କରିଦେଇପାରେ। ତେଣୁ ଏହି ପେଶାରେ ଯୋଗ୍ୟତା ଓ ଦକ୍ଷତାକୁ ନେଇ କୌଣସି ସାଲିସ ହେବା ଉଚିତ ନୁହେଁ। ଏଭଳି ହାଲୁକା ମାନଦଣ୍ଡ ରଖି ଚ୍ୟାନେଲ ଖୋଲିବା ଓ ସାମ୍ବାଦିକ ନିଯୁକ୍ତି କରିବା ଦ୍ୱାରା ଗଣମାଧ୍ୟମ ପ୍ରତି ଲୋକଙ୍କ ବିଶ୍ୱାସ ତୁଟି ଯିବ ନାହିଁ ତ ? ଏ ପ୍ରଶ୍ନ ଏବେ ସଚେତନ ମହଲରେ ଆଲୋଡନ ସୃଷ୍ଟି କରିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।