ଭୁବନେଶ୍ୱର, ୦୫/୧୦: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଏଯାଏ ଘୋଷଣା ହୋଇନଥିଲେ ମଧ୍ୟ ରାଜ୍ୟର ରାଜନୈତିକ ପରିବେଶ ଧୀରେଧୀରେ ସରଗରମ ହେବାରେ ଲାଗିଛି। ଶାସକ ବିଜେପି ସହ ବିଜେଡି ଓ କଂଗ୍ରେସ ମଧ୍ୟ ନିଜ ନିଜ ସଂଗଠନକୁ ସୁଦୃଢ଼ କରିବା ଓ ତୃଣମୂଳସ୍ତରରେ ଦଳୀୟ ପ୍ରସ୍ତୁତି ବଢ଼ାଇବାରେ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ଜିଲ୍ଲାରେ ବୈଠକ, କର୍ମୀ ସମାବେଶ ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଜରିଆରେ ଦଳଗୁଡ଼ିକ ନିଜ ନିଜ ରଣନୀତି ଉପରେ ଆଲୋଚନା ଆରମ୍ଭ କରିଛନ୍ତି।
ଦ୍ୱିତୀୟ ଥର ପାଇଁ ବିଜେପିର ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ଡି. ପୁରନ୍ଦେଶ୍ୱରୀ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦଳର ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ଦଳୀୟ କର୍ମୀଙ୍କୁ ଭେଟି ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଦଳକୁ ଆଗକୁ କିପରି ଅଧିକ ସୁଦୃଢ଼ କରାଯିବ, ସେନେଇ ଆଲୋଚନା ହୋଇଥିବା ସେ କହିଛନ୍ତି। ତାଙ୍କ ଗସ୍ତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ପ୍ରସ୍ତୁତିକୁ ନେଇ ଗୁରୁତ୍ୱ ବଢ଼ାଇଛି।
ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ତାଙ୍କ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ଏବଂ ଦଳ ସବୁବେଳେ ତୃଣମୂଳସ୍ତରରେ ଲୋକଙ୍କ ସହ ରହିଛି। ବିଜେପି ପ୍ରଭାରୀଙ୍କ ବୈଠକ ସମ୍ପର୍କରେ ସେ ଦଳ ଭିତରେ ଚିନ୍ତା ଥିବା ଦାବି କରିଛନ୍ତି। ଯୁବପିଢ଼ି, ବିଶେଷକରି ଜେନ୍-ଜିଙ୍କ ସମର୍ଥନ ହାସଲ ପାଇଁ ବିଜେପିର ପ୍ରୟାସ ସଫଳ ହେବ ନାହିଁ ବୋଲି ମଧ୍ୟ ସେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଜେପି ସରକାରଙ୍କ କାର୍ଯ୍ୟକଳାପ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟରେ କଂଗ୍ରେସର ଗ୍ରହଣୀୟତା ବଢ଼ୁଥିବା ଦାବି କରିଛନ୍ତି। ତାଙ୍କ ମତରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ଜନସମସ୍ୟାକୁ ନେଇ ଦଳ ଲୋକଙ୍କ ନିକଟକୁ ଯିବ। ବିଶେଷକରି ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ପ୍ରସଙ୍ଗକୁ ଦଳ ନିର୍ବାଚନୀ ମୁଦ୍ଦା କରିବ ବୋଲି ସେ କହିଛନ୍ତି।