ମାଛକୁଣ୍ଡରେ ୫୫ ଲକ୍ଷର ଗଞ୍ଜେଇ ଜବତ, ଜଣେ ଗିରଫ ।

0 8

କୋରାପୁଟ, ୦୩/୧୦: ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଛକୁଣ୍ଡ ପୁଲିସ ଏକ ପିକ୍ଅପ୍ ଭ୍ୟାନ୍ରୁ ପ୍ରାୟ ୫୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରାଚାଲାଣରେ ବ୍ୟବହୃତ ଗାଡ଼ିଟିକୁ ଜବତ କରିଛି।
ପୁଲିସ ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସୀମାନ୍ତ ଦେଇ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ପୂର୍ବରୁ ଗୁପ୍ତ ସୂଚନା ମିଳିଥିଲା। ଏହାକୁ ଆଧାର କରି ମାଛକୁଣ୍ଡ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବାଦିଗଡ଼ ଗାଁ ନିକଟ ମୁଖ୍ୟ ରାସ୍ତାରେ ନାକାବନ୍ଦୀ କରାଯାଇଥିଲା। ଯାଞ୍ଚ ବେଳେ ଆନ୍ଧ୍ରପ୍ରଦେଶ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍କୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା।
ଗାଡ଼ିର ପଛପଟ ଡାଲା ଯାଞ୍ଚ କରିବା ସମୟରେ ୨୭ଟି ବଡ଼ ଜରି ବ୍ୟାଗ୍ରୁ ବିପୁଳ ପରିମାଣର ଓଦା ଗଞ୍ଜେଇ ମିଳିଥିଲା। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ବୋଲି ପୁଲିସ କହିଛି। ଗଞ୍ଜେଇ ଓ ପିକ୍ଅପ୍ ଭ୍ୟାନ୍କୁ ଜବତ କରିବା ସହ ଗାଡ଼ିରେ ଥିବା ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ଏହି ଚୋରାଚାଲାଣ ପଛରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ପଠାଯାଉଥିଲା, ସେନେଇ ପୁଲିସ ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଅନ୍ତଃରାଜ୍ୟ ନିଶା ଚୋରାଚାଲାଣ ରାକେଟ୍ର ଅନ୍ୟ ସଦସ୍ୟଙ୍କ ନିକଟରେ ପହଞ୍ଚିବା ପାଇଁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.