ବହି ତ୍ରୁଟି ମାମଲାରେ PMOର ହସ୍ତକ୍ଷେପ, ଓଡ଼ିଶା ସରକାରଙ୍କୁ ଜବାବ ତଲବ ।

0 1

ଭୁବନେଶ୍ୱର, ୨୯/୦୯(ପିପିଟି): ପାଠ୍ୟପୁସ୍ତକରେ ତ୍ରୁଟି ଓ ଏହାର ମୁଦ୍ରଣକୁ ନେଇ ଉଠିଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। ଏହି ମାମଲାରେ ଓଡ଼ିଶା ସରକାରଙ୍କୁ ଜବାବ ତଲବ କରାଯାଇଥିବା ଜଣାପଡ଼ିଛି। PMOର ନିର୍ଦ୍ଦେଶକ୍ରମେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ‘ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ’ ଓଡ଼ିଶାର ‘ସ୍କୁଲ୍ ଓ ଗଣଶିକ୍ଷା ବିଭାଗ’ ନିକଟରୁ ଏ ସମ୍ପର୍କରେ ତଥ୍ୟ ଓ ଜବାବ ମାଗିଛି।

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକର ମୁଦ୍ରଣ ଓ ବଣ୍ଟନରେ କୋଟି କୋଟି ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ କରି RTI କର୍ମୀ ପ୍ରଦୀପ ପ୍ରଧାନଙ୍କ ପକ୍ଷରୁ ଦିଆଯାଇଥିବା ଅଭିଯୋଗ ପରେ PMO ଏହି ପଦକ୍ଷେପ ନେଇଥିବା କୁହାଯାଇଛି। ଅଭିଯୋଗ ଅନୁସାରେ, ସରକାରୀ ପ୍ରେସ୍‌ର ଡେପୁଟି ଡାଇରେକ୍ଟର ପାହ୍ୟାର ଜଣେ ଅଧିକାରୀ ୨୦୨୨ ମସିହାରୁ ନିଜ କ୍ଷେତ୍ରାଧିକାର ବାହାରେ ପାଠ୍ୟପୁସ୍ତକ ମୁଦ୍ରଣ କାର୍ଯ୍ୟ ପରିଚାଳନା କରୁଥିବା ଅଭିଯୋଗ ହୋଇଛି। ଏହି କାର୍ଯ୍ୟ ‘ସ୍କୁଲ୍ ଓ ଗଣଶିକ୍ଷା ବିଭାଗ’ର କ୍ଷେତ୍ରାଧିକାରଭୁକ୍ତ ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି।

ଏଥିସହ ଉକ୍ତ ଅଧିକାରୀଙ୍କ ପତ୍ନୀଙ୍କ ମାଲିକାନାରେ ଥିବା ଏକ ଘରୋଇ ସଂସ୍ଥା ମାଧ୍ୟମରେ ମୁଦ୍ରଣ ଓ ଯୋଗାଣ ସମ୍ପର୍କିତ ଚୁକ୍ତି ହାସଲ କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଏହାକୁ ଅଭିଯୋଗକାରୀ ‘ସ୍ୱାର୍ଥର ସଂଘର୍ଷ’ ଓ ପଦବୀର ଅପବ୍ୟବହାର ବୋଲି ଦର୍ଶାଇ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏହି ଅଭିଯୋଗଗୁଡ଼ିକ ଉପରେ PMOର ହସ୍ତକ୍ଷେପ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ ଜବାବ ଦିଆଯାଉଛି, ତାହା ଉପରେ ଏବେ ନଜର ରହିଛି।

Leave A Reply

Your email address will not be published.