କ୍ରୀଡ଼ା ଓ ପର୍ଯ୍ୟଟନର ବାର୍ତ୍ତା ନେଇ ଯାଜପୁରରେ ପ୍ରୋମୋ ଦୌଡ଼ ଆୟୋଜିତ ।

0 39

ଯାଜପୁର, ୨୭/୦୯(ପିପିଟି): OMC ପୁରୀ କୋଷ୍ଟାଲ୍ ମାରାଥନ୍–୨୦୨୬ ଅବସରରେ ତଥା ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଉପଲକ୍ଷେ ଆଜି ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରୋମୋ ଦୌଡ଼ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। କ୍ରୀଡ଼ା, ସୁସ୍ଥ ଜୀବନଶୈଳୀ ଏବଂ ଯାଜପୁରର ପର୍ଯ୍ୟଟନ ସମ୍ଭାବନାକୁ ପ୍ରୋତ୍ସାହନ ଦେବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ସକାଳ ୭ଟା ୩୦ ମିନିଟ୍‌ରେ ଯାଜପୁର ଟାଉନ୍ ଇନ୍‌ଡୋର୍ ଷ୍ଟାଡିୟମ୍‌ଠାରେ ମୁଖ୍ୟ ଅତିଥି ଭାବେ ଯାଜପୁରର ମାନ୍ୟବର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ପତାକା ଦେଖାଇ ଏହି ଦୌଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହାପରେ ମାରାଥନ୍ ଟି ମେଡିକାଲ୍ ଛକ ଓ ଗାନ୍ଧୀ ଛକ ଦେଇ ଯଯାତି କେଶରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ପ୍ରବେଶ ଦ୍ୱାର, ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଯାଇଥିଲା। ସେଠାରୁ ପୁନର୍ବାର ଯାଜପୁର ଟାଉନ୍ ଇନ୍‌ଡୋର୍ ଷ୍ଟାଡିୟମ୍‌କୁ ଫେରି ମାରାଥନ୍ ଟି ସମାପ୍ତ ହୋଇଥିଲା।

ଏହି ଅବସରରେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ସମେତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଦେବବ୍ରତ ସାହୁ, ବିଭିନ୍ନ ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ଯୁବବର୍ଗ ଓ ବହୁ ସଂଖ୍ୟକ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଡ. ରବୀନ୍ଦ୍ର ନାରାୟଣ ବେହେରା ତାଙ୍କ ଅଭିଭାଷଣରେ ଯାଜପୁରର ପ୍ରାଚୀନ ଐତିହ୍ୟ, ପରମ୍ପରା ଓ ପର୍ଯ୍ୟଟନ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ରତ୍ନଗିରି, ଉଦୟଗିରି, ଲାଙ୍ଗୁଡ଼ି, ରାଧାନଗର, ମା’ ବିରଜା କ୍ଷେତ୍ର ଓ ନାଭିଗୟା ଭଳି ଐତିହାସିକ ଓ ଧାର୍ମିକ ସ୍ଥଳୀ ସହିତ ଜିଲ୍ଲାରେ ବୌଦ୍ଧ ପର୍ଯ୍ୟଟନ ଓ ପ୍ରାକୃତିକ ପର୍ଯ୍ୟଟନର ବିପୁଳ ସମ୍ଭାବନା ରହିଥିବା ସେ କହିଥିଲେ। ଯାଜପୁରର ପର୍ଯ୍ୟଟନକୁ ବିଶ୍ୱ ମାନଚିତ୍ରରେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଯାଜପୁରର ପର୍ଯ୍ୟଟନ ବିକାଶରେ ଜଳପଥ, ରେଳପଥ ଓ ବିମାନ ଯୋଗାଯୋଗର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ସାଂସଦ ଆଲୋକପାତ କରିଥିଲେ। ବିଶେଷକରି ଯାଜପୁରର ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଦେଶ-ବିଦେଶର ପର୍ଯ୍ୟଟକଙ୍କ ନିକଟରେ ପହଞ୍ଚାଇବା ସହ ଜିଲ୍ଲାର ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଏଭଳି ପ୍ରୋମୋ ଦୌଡ଼ ଯୁବବର୍ଗଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଉତ୍ସାହ ବଢ଼ାଇବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବ।

ଏହି ଅବସରରେ ପୂର୍ବରୁ ଆୟୋଜିତ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରୋମୋ ଦୌଡ଼ରେ ମହିଳା ବର୍ଗରେ ଶର୍ମିଷ୍ଠା ସାମଲ ପ୍ରଥମ, ଆକୃତି ନାୟକ ଦ୍ୱିତୀୟ, ତନୁଶ୍ରୀ ନାୟକ ତୃତୀୟ ଏବଂ ପୁରୁଷ ବର୍ଗରେ ବିବେକାନନ୍ଦ ବେହେରା ପ୍ରଥମ, ଜାମାଲ ଖାନ ଦ୍ୱିତୀୟ, ସ୍ୱରାଜ ଦାସ ତୃତୀୟ ହୋଇ କୃତିତ୍ୱ ଅର୍ଜନ କରିଥିଲେ।

Leave A Reply

Your email address will not be published.