ସେବା ସଂକଳ୍ପ ଅଭିଯାନ: ବିକଶିତ ଭାରତ ଓ ୨୫ ବର୍ଷର ସେବା ।

0 187

ମାଲକାନଗିରି, ୧୮/୦୯(ପିପିଟି): ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବିଦ୍ୟାଳୟଗୁଡ଼ିକରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତା ଓ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜିତ ହୋଇଯାଇଛି। ବିକଶିତ ଭାରତର ସଂକଳ୍ପ ଏବଂ ୨୫ ବର୍ଷର ସେବା ମୂଲ୍ୟବୋଧକୁ ଆଧାର କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ଭାବନା, ନାଗରିକ କର୍ତ୍ତବ୍ୟ ଓ ନେତୃତ୍ୱ ଗୁଣର ବିକାଶ ପାଇଁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ କରାଯାଇଛି । ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସହଯୋଗରେ ଏହି ଅଭିଯାନ ଜିଲ୍ଲାର କୋଣ ଅନୁକୋଣରେ ଏକ ଜନଆନ୍ଦୋଳନର ରୂପ ନେଇଛି।ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଜିଲ୍ଲାପାଳଙ୍କ ମାର୍ଗଦର୍ଶନରେ ସେବା ସଂକଳ୍ପ ଅଭିଯାନ ମାଧ୍ୟମରେ କେବଳ ପ୍ରତିଯୋଗିତା ନୁହେଁ, ବରଂ କୋମଳମତି ଛାତ୍ରଛାତ୍ରୀଙ୍କ ମନରେ ୨୫ ବର୍ଷର ସୁଶାସନ ଓ ସେବାର ବାର୍ତ୍ତା ପହଞ୍ଚାଇବା ସହ ବିକଶିତ ଭାରତ ଗଠନ ପାଇଁ ସାମାଜିକ ଦାୟିତ୍ୱବୋଧ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ପ୍ରତ୍ୟେକ ବିଦ୍ୟାଳୟରୁ ବିଦ୍ୟାର୍ଥୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।

ବିକଶିତ ଭାରତ ଏବଂ ବିଗତ ୨୫ ବର୍ଷର ସେବା ସଫଳତା ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ବ୍ଲକ ଓ ଜିଲ୍ଲା ସ୍ତରରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ବିଦ୍ୟାଳୟ ସ୍ତରରେ ଶିକ୍ଷାର ମାନ ବୃଦ୍ଧି ସହ ସାମଗ୍ରିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗର ଏହି ମିଳିତ ଉଦ୍ୟମକୁ ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.