ଭୁବନେଶ୍ୱର,୧୪/୦୯(ପିପିଟି): ନନ୍ଦନକାନନରେ ଥିବା ୫ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ୱରରେ ଆକ୍ରାନ୍ତ ହୋଇଛି। ଅସୁସ୍ଥ ଓରାଙ୍ଗଉଟାନର ଚିକିତ୍ସା ଆରମ୍ଭ ହୋଇଥିବାବେଳେ ତା’ର ସ୍ୱାସ୍ଥ୍ୟ ଉପରେ ଡାକ୍ତରୀ ଟିମ୍ ନଜର ରଖିଛି। ନନ୍ଦନକାନନରେ ସ୍ୱତନ୍ତ୍ର ଭାବେ ତା’ର ଚିକିତ୍ସା କରାଯାଉଛି।
ଏପଟେ ୫ ଶିଶୁ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ରକ୍ଷଣାବେକ୍ଷଣ ପାଇଁ ୫ ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି। ଓରାଙ୍ଗଉଟାନଙ୍କୁ କିପରି ଖାଦ୍ୟ ଦିଆଯିବ, ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଓ ଉପଯୁକ୍ତ ପରିବେଶ ସମ୍ପର୍କରେ କମିଟି ବିଶେଷଜ୍ଞ ପରାମର୍ଶ ଦେବ।
ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକ କମିଟିର ସଦସ୍ୟ-ଆବାହକ ରହିଛନ୍ତି। ଏଥିରେ ମହୀଶୂର ଚାମରାଜେନ୍ଦ୍ର ପ୍ରାଣୀ ଉଦ୍ୟାନର ଜଣେ ପ୍ରାଣୀ ଚିକିତ୍ସକ, ଡେରାଡୁନ୍ସ୍ଥିତ ୱାଇଲ୍ଡଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଜଣେ ପ୍ରତିନିଧି ଏବଂ ଭୁବନେଶ୍ୱର OUATର ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥର ପ୍ରୋଜେକ୍ଟ କୋଅର୍ଡିନେଟର ସାମିଲ ଅଛନ୍ତି। ଆବଶ୍ୟକ ପଡ଼ିଲେ ଦେଶ ଓ ବିଦେଶର ଅନ୍ୟ ବିଶେଷଜ୍ଞଙ୍କ ସହାୟତା ନିଆଯିବ।