ବେଆଇନ ବନ୍ଧୁକ କାରଖାନା ଠାବ: ୫ଦେଶୀ ବନ୍ଧୁକ ଜବତ ଓ ୩ଗିରଫ।

0 236

ଭଞ୍ଜନଗର, ୧୨/୦୯(ପିପିଟି ):ଦୀର୍ଘଦିନ ହେଲା ଗଞ୍ଜାମ ଜିଲ୍ଲାର ତାରସିଂ ଥାନା ଅଞ୍ଚଳରେ ବେଆଇନ ବନ୍ଧୁକ ନିର୍ମାଣ ଓ ବିକ୍ରି ଚାଲିଥିଲା। ପ୍ରସ୍ତୁତକାରୀ ମାନେ ମଧ୍ୟ ଏଥିରୁ ଭଲ ରୋଜଗାର କରୁଥିଲେ। ହେଲେ ତାରାସିଂ ଥାନା ଅନ୍ତର୍ଗତ ଗୋପନଗର ଛକ ହାଟ ଅଞ୍ଚଳରେ ଏକ ବେଆଇନ ଦେଶୀ ବନ୍ଧୁକ ନିର୍ମାଣ କେନ୍ଦ୍ର ଚାଲୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାରାସିଂ ଥାନା ଓ ଗାଲେରୀ ଫାଣ୍ଡିର ପୋଲିସ କର୍ମଚାରୀଙ୍କୁ ନେଇ ଗଠିତ ଏକ ଦଳ ଉକ୍ତ ସ୍ଥାନକୁ ଯାଇ ଚଢ଼ଉ କରିଥିଲେ। ଅଭିଯାନ ସମୟରେ ଘଟଣାସ୍ଥଳରୁ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା ଏବଂ ସେମାନଙ୍କର ତଲାସି ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ପାଞ୍ଚଟି ସିଙ୍ଗଲ୍ ବ୍ୟାରେଲ୍ ମଜଲ୍ ଲୋଡିଂ ବନ୍ଧୁକ ଜବତ କରାଯାଇଥିଲା।ଗୋପନଗର ଛକ ହାଟରେ ସନ୍ଦିଗ୍ଧ ସ୍ଥାନର ଅଧିକ ତଲାସ କରିବା ପରେ, ପୋଲିସ ବେଆଇନ ଭାବରେ ବନ୍ଧୁକ ନିର୍ମାଣ ଏବଂ ସେସବୁ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ଉପକରଣ ଓ ସାମଗ୍ରୀ ଜବତ କରିଛି।ଏଥିରେ ସମୃକ୍ତ ବ୍ୟକ୍ତି ମାନେ ହେଲେ ବଦାଙ୍ଗି ବିଲେଇ ସାହିର ପାଗଳା ମୂଳି,ପ୍ରସନ୍ନ ମୂଳି ଓ ଟୁକୁନା ମୂଳିକୁ ଗିରଫ କରାଯାଇଛି ।ଏହି ବେଆଇନ ବନ୍ଧୁକ କାରଖାନାକୁ ନେଇ ଥାନାରେ ଏକ ମାମଲା ରୁଜୁ କରିବା ସହ ତାରସିଂ ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀ କ୍ରେତା ଓ ବିକ୍ରେତା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛନ୍ତି।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.