ଓଡ଼ିଶା ଲୁଣ୍ଠନର ମୋଦି ନକ୍ସା’ ବିରୋଧରେ ଇଣ୍ଡିଆ ବ୍ଲକ୍‌ର ଐକ୍ୟବଦ୍ଧ ଲଢ଼େଇ: MMDR ଆଇନ ରଦ୍ଦ ନହେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଆହ୍ଵାନ ।

0 53

ଭୁବନେଶ୍ୱର,୦୮/୦୯(ପିପିଟି): ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକ ନିକଟସ୍ଥ କଂଗ୍ରେସ ଭବନ ସମ୍ମୁଖରେ INDIA ବ୍ଲକ୍‌ର ଆହ୍ୱାନରେ ଏକ ରାଜ୍ୟସ୍ତରୀୟ ମିଳିତ କନଭେନସନ ଅନୁଷ୍ଠିତ ହୋଇଥିଲା। ଏଥିରେ MMDR ସଂଶୋଧନ ଆଇନ, 2026 ରଦ୍ଦ କରିବାକୁ ଦାବି କରାଯିବା ସହ ଏହାକୁ “ଓଡ଼ିଶା ଲୁଣ୍ଠନ ପାଇଁ ମୋଦିଙ୍କ ନକ୍ସା” ବୋଲି ବର୍ଣ୍ଣନା କରି ଏହାକୁ ରଦ୍ଦ କରିବାକୁ ସର୍ବସମ୍ମତ ଦାଵି କରାଯାଇଥିଲା।
ଏହି କନଭେନସନର ସଭାକୁ ଏକ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ। ଏହି ମଣ୍ଡଳୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଭାପତି ଭକ୍ତ ଚରଣ ଦାସ, ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ୍)ର ପୂର୍ବତନ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ(ଏମ୍ଏଲ୍) ଲିବରେସନର ତିରୁପତି ଗମାଙ୍ଗୋ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍‌ର କମଳା ସାହୁ, ସମାଜବାଦୀ ପାର୍ଟିର ରାଜ୍ୟ ନେତା ଶିବ ହାତୀ ଯାଦବ, ଆରଜେଡିର ହେମନ୍ତ କୁମାର ଏବଂ ଏନସିପିର ବିକ୍ରମ ସ୍ୱାଇଁ ପ୍ରମୁଖ ଥିଲେ।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଭିତ୍ତିପତ୍ର ଉପସ୍ଥାପନ କରିଥିଲେ। ସିପିଆଇ ଓଡ଼ିଶା ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଏବଂ PCC ସଭାପତି ଭକ୍ତ ଚରଣ ଦାସ ଆଗାମୀ ଆନ୍ଦୋଳନର କାର୍ଯ୍ୟସୂଚୀ ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିଥିଲେ।

କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଜୟଦେବ ଜେନା ଓ ନୀରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସିପିଆଇ(ଏମ୍ଏଲ୍) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଫରୱାର୍ଡ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସିପିଆଇର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ପ୍ରତାପ ବାରିକ, ଆରଜେଡି ନେତ୍ରୀ ସୈଦାମିନୀ ସାମନ୍ତରାୟ, ସିପିଆଇର ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ, ସିପିଆଇ(ଏମ୍) ନେତ୍ରୀ ପୁଷ୍ପା ଦାଶ ଏବଂ ସିପିଆଇ(ଏମ୍ଏଲ୍) ନେତା ରାଧାକାନ୍ତ ସେଠୀଙ୍କ ସମେତ ବହୁ ନେତା କନଭେନସନରେ ଉଦ୍‌ବୋଧନ ଦେଇଥିଲେ।ବକ୍ତାମାନେ ନିମ୍ନଲିଖିତ ଦାବି ଉପସ୍ଥାପନ କରିଥିଲେ:
MMDR ସଂଶୋଧନ ଆଇନ – 2026କୁ ତୁରନ୍ତ ରଦ୍ଦ କର।
ଓଡ଼ିଶାରେ ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଦାୟିତ୍ୱ ଗ୍ରହଣ କରି ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।
ସ୍କୁଲ ଓ କଲେଜର ଶିକ୍ଷକ ଏବଂ କର୍ମଚାରୀମାନଙ୍କ ପ୍ରତି ହୋଇଆସୁଥିବା ଅନ୍ୟାୟ, ଅତ୍ୟାଚାର ଓ ବିସଙ୍ଗତିର ଅବସାନ ଘଟାଇ ସେମାନଙ୍କର ସମସ୍ତ ଦାବି ପୂରଣ କରାଯାଉ।
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉ; ଆଦିବାସୀ, ଦଳିତ, ପଛୁଆ ବର୍ଗ, ସଂଖ୍ୟାଲଘୁ, ମହିଳା ଓ ବୁଦ୍ଧିଜୀବୀଙ୍କ ଉପରେ ଆକ୍ରମଣ ଏବଂ ଅନ୍ଧାଧୁନ୍ଧ ବିସ୍ଥାପନ ବନ୍ଦ କରାଯାଇ ନ୍ୟାୟ ପ୍ରଦାନ କରାଯାଉ।
ମିଳିତ ଆନ୍ଦୋଳନର କାର୍ଯ୍ୟସୂଚୀ
ମିଳିତ କନଭେନସନରେ ନିମ୍ନଲିଖିତ କାର୍ଯ୍ୟସୂଚୀ ଘୋଷଣା କରାଯାଇଥିଲା:
୧୮ ସେପ୍ଟେମ୍ବର: ସୁନ୍ଦରଗଡ଼ଠାରେ ସୁନ୍ଦରଗଡ଼ ଓ ଅବିଭକ୍ତ ସମ୍ବଲପୁରକୁ ନେଇ ଆଞ୍ଚଳିକ ସମାବେଶ।
୨୧ ସେପ୍ଟେମ୍ବର: ରାୟଗଡ଼ାଠାରେ ଅବିଭକ୍ତ କୋରାପୁଟ, ଅବିଭକ୍ତ କଳାହାଣ୍ଡି, ଅବିଭକ୍ତ ଗଞ୍ଜାମ ଓ ଅବିଭକ୍ତ ଫୁଲବାଣୀ ଅଞ୍ଚଳକୁ ନେଇ ଆଞ୍ଚଳିକ ସମାବେଶ।
୨୪ ସେପ୍ଟେମ୍ବର: କେନ୍ଦୁଝରଠାରେ ମୟୂରଭଞ୍ଜ, ଅବିଭକ୍ତ ବାଲେଶ୍ୱର ଓ ଅବିଭକ୍ତ କଟକକୁ ନେଇ ଆଞ୍ଚଳିକ ସମାବେଶ।
୨୬ ସେପ୍ଟେମ୍ବର: ଅନୁଗୋଳଠାରେ ଅବିଭକ୍ତ ଢେଙ୍କାନାଳ ଓ ଅବିଭକ୍ତ ପୁରୀ ଜିଲ୍ଲାକୁ ନେଇ ଆଞ୍ଚଳିକ ସମାବେଶ।
୨୯ ସେପ୍ଟେମ୍ବର: ସମଗ୍ର ଓଡ଼ିଶାର ଜନସାଧାରଣ ଓଡ଼ିଶା ବିଧାନସଭା ଅଭିମୁଖେ ଯାଇ ବିଧାନସଭା ଘେରାଉ କରିବେ।
ବିଧାନସଭା ଘେରାଉ ପରେ ଓଡ଼ିଶା ବନ୍ଦ ସମେତ ଆହୁରି ତୀବ୍ର ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା କରାଯିବ ବୋଲି ମିଳିତ ଭାବେ ଘୋଷଣା କରାଯାଇଥିଲା।
କନଭେନସନରେ MMDR ସଂଶୋଧନ ଆଇନ, 2026କୁ ବିରୋଧ କରିବାର ନିମ୍ନଲିଖିତ କାରଣ ଉପସ୍ଥାପନ କରାଯାଇଥିଲା:
MMDR ସଂଶୋଧନ ଆଇନ, 2026 ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ରାୟକୁ ନିଷ୍ଫଳ କରିବା ଉଦ୍ଦେଶ୍ୟରେ ଅଣାଯାଇଛି।
ଦେଶର ସଂଘୀୟ ବ୍ୟବସ୍ଥା ମଧ୍ୟରେ ରାଜ୍ୟଗୁଡ଼ିକର କ୍ଷମତା ଓ ଅଧିକାରକୁ ସଙ୍କୁଚିତ କରିବା ଏହାର ଉଦ୍ଦେଶ୍ୟ।
ଏହା PESA ଆଇନ ଓ ଜଙ୍ଗଲ ଅଧିକାର ଆଇନ ବିରୋଧରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର।
ଖଣିଜ ସମ୍ପଦରେ ସମୃଦ୍ଧ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ କୃଷକ ସମୁଦାୟଙ୍କୁ ସେମାନଙ୍କ ଘରବାଡ଼ି, ଚାଷଜମି ଓ ଜୀବିକାରୁ ସମ୍ପୂର୍ଣ୍ଣ ଭାବେ ବିସ୍ଥାପିତ କରିବା ଏହାର ଉଦ୍ଦେଶ୍ୟ।
ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ପ୍ରଦୂଷଣର ବିଷାକ୍ତ କବଳରେ ଗଣମୃତ୍ୟୁ ଆଡ଼କୁ ଠେଲିଦେବା ଏହାର ଉଦ୍ଦେଶ୍ୟ।
କନଭେନସନରେ ସର୍ବସମ୍ମତ ଭାବେ ଘୋଷଣା କରାଯାଇଥିଲା ଯେ, ଓଡ଼ିଶା ସମେତ ୧୫ରୁ ଅଧିକ ରାଜ୍ୟର ଖଣି, ଜମି, ଜଳ, ଜଙ୍ଗଲ, ଘରବାଡ଼ି ଓ ଜୀବିକାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ MMDR ସଂଶୋଧନ ଆଇନ – 2026 ଅଣାଯାଇଥିବାରୁ, ଏହି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହା ବିରୋଧରେ ରାଜ୍ୟବ୍ୟାପୀ ପ୍ରତିରୋଧ ଆନ୍ଦୋଳନ ଜାରି ରହିବ ବୋଲି ସର୍ବସମ୍ମତ ଘୋଷଣା କରାଯାଇଛି।
*ଗଣମାଧ୍ୟମ ବିଭାଗ, ଓପିସିସି*

Leave A Reply

Your email address will not be published.