ଦରବୃଦ୍ଧିରେ ଅତିଷ୍ଠ ଖାଉଟି, ଚାଉଳଠୁ ଡାଲି ଯାଏଁ ମହଙ୍ଗା ମାଡ଼ ।

0 10

ଭୁବନେଶ୍ୱର,୨୫/୧୦(ପିପିଟି): ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଲଗାତାର ଦରବୃଦ୍ଧି ସାଧାରଣ ଲୋକଙ୍କ ଘରୋଇ ବଜେଟ୍କୁ ବିଗାଡ଼ି ଦେଇଛି। ଚାଉଳ, ଡାଲି, ଚିନି, ଖାଇବା ତେଲ, ପିଆଜଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ପର୍ଯ୍ୟନ୍ତ ଅନେକ ସାମଗ୍ରୀର ଦର ବଢ଼ିବାରୁ ଖାଉଟି ଚିନ୍ତାରେ ପଡ଼ିଛନ୍ତି। କେତେକ ସାମଗ୍ରୀର କିଲୋ ପିଛା ଦରରେ ୨୦ରୁ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବ୍ୟବସାୟୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହାର ସିଧାସଳଖ ପ୍ରଭାବ ମଧ୍ୟବିତ୍ତ ଓ ନିମ୍ନ ଆୟବର୍ଗର ପରିବାର ଉପରେ ପଡ଼ୁଛି। ଘର ଚଳାଇବା ପାଇଁ ଆୟର ଏକ ବଡ଼ ଅଂଶ ଖାଦ୍ୟ ସାମଗ୍ରୀ କିଣିବାରେ ଖର୍ଚ୍ଚ ହେଉଥିବାରୁ ଅନ୍ୟ ଆବଶ୍ୟକତା ପାଇଁ ଟଙ୍କା ବଳାଇବା କଷ୍ଟକର ହୋଇପଡ଼ିଛି।
ବଜାରରେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି। ମାସକ ପୂର୍ବରୁ ହୋଲସେଲ୍ ବଜାରରେ କିଲୋ ପିଛା ୧୦୦ରୁ ୧୧୦ ଟଙ୍କା ଥିବା ଡାଲିର ଦର ଏବେ ୧୦ରୁ ୨୦ ଟଙ୍କା ବଢ଼ିଥିବା କୁହାଯାଉଛି। ଖୁଚୁରା ବଜାରରେ ପହଞ୍ଚିବା ବେଳକୁ ଖାଉଟିଙ୍କୁ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି। ଉପଲବ୍ଧ ତଥ୍ୟ ଅନୁସାରେ, ଓଡ଼ିଶାରେ ବାର୍ଷିକ ପ୍ରାୟ ୯ ଲକ୍ଷ ୩୦ ହଜାର ଟନ୍ ଡାଲିର ଆବଶ୍ୟକତା ରହିଛି। ଏହି ଚାହିଦାର ଏକ ବଡ଼ ଅଂଶ ପୂରଣ କରିବା ପାଇଁ ଅନ୍ୟ ରାଜ୍ୟରୁ ଡାଲି ଆମଦାନି କରାଯାଉଛି। ତେଣୁ ବାହାର ରାଜ୍ୟରେ ଦର ବଢ଼ିଲେ ତାହାର ପ୍ରଭାବ ଓଡ଼ିଶାର ବଜାର ଉପରେ ମଧ୍ୟ ପଡ଼ୁଛି।
ଚିନି ଦରରେ ମଧ୍ୟ ଗତ କିଛି ମାସ ଧରି ଉତ୍ଥାନପତନ ଲାଗି ରହିଛି। କିଛି ସମୟ ପୂର୍ବରୁ କିଲୋ ପିଛା ଦର ୭୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ପରେ କିଛିଟା ହ୍ରାସ ହୋଇଥିଲା। ରାଜ୍ୟରେ ଚିନିର ଚାହିଦା ପୂରଣ ପାଇଁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହିପରି ପିଆଜ ଦର ମଧ୍ୟ ଖାଉଟିଙ୍କୁ ଆଶ୍ୱସ୍ତି ଦେଉନାହିଁ। ପୂର୍ବରୁ କିଲୋ ପିଛା ପ୍ରାୟ ୨୦ ଟଙ୍କା ଥିବା ପିଆଜ ଦର ଏବେ ପ୍ରାୟ ୫୫ ଟଙ୍କାରେ ପହଞ୍ଚିଥିବା କୁହାଯାଉଛି। ଅନେକ ପନିପରିବାର ଦର ମଧ୍ୟ ଅଧିକ ରହିଥିବାରୁ ଦୈନନ୍ଦିନ ରୋଷେଇ ଖର୍ଚ୍ଚ ବଢ଼ିଯାଇଛି।
ଏସବୁ ମଧ୍ୟରେ ଚାଉଳ ଦର ବୃଦ୍ଧି ଖାଉଟିଙ୍କ ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ବଜାରରେ ଚାଉଳ ମୂଲ୍ୟ ବଢ଼ିବା ଲୋକଙ୍କୁ ଅସୁବିଧାରେ ପକାଇଛି। ବଜାର ସୂତ୍ର ଅନୁଯାୟୀ, ସରୁ ଚାଉଳର କିଲୋ ପିଛା ଦରରେ ୨୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଥିବା ବେଳେ ମୋଟା ଚାଉଳ ଦର ମଧ୍ୟ ୧୦ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଓଡ଼ିଶାରେ ମୋଟା ଚାଉଳ ଅଧିକ ଉତ୍ପାଦନ ହେଉଥିବା ବେଳେ ସରୁ ଚାଉଳ ପାଇଁ ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଉପରେ ନିର୍ଭର କରାଯାଉଛି। ଏହି ରାଜ୍ୟଗୁଡ଼ିକରେ ଚାଉଳ ଦର ବଢ଼ିଲେ ତାହାର ପ୍ରଭାବ ଓଡ଼ିଶାର ବଜାରରେ ଅନୁଭୂତ ହେଉଛି।
କଟକ ମାଲଗୋଦାମର ଜଣେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଓଡ଼ିଶାରେ ସରୁ ଚାଉଳର ଉତ୍ପାଦନ ଆବଶ୍ୟକତା ତୁଳନାରେ କମ୍ ଥିବାରୁ ବାହାର ରାଜ୍ୟରୁ ଏହା ଆଣିବାକୁ ପଡ଼ୁଛି। ଅନ୍ୟ ରାଜ୍ୟରେ କୁଇଣ୍ଟାଲ ପିଛା ଦର ବଢ଼ିବାରୁ ଏଠାରେ ମଧ୍ୟ ମୂଲ୍ୟ ବୃଦ୍ଧି ଘଟିଛି। ଅନ୍ୟପଟେ, ମୋଟା ଚାଉଳ ଦର ବୃଦ୍ଧି ପଛରେ ଧାନ କ୍ରୟ ମୂଲ୍ୟ, ମିଲିଂ ଖର୍ଚ୍ଚ ଓ ବଜାରରେ ଯୋଗାଣ ଭଳି କାରଣ ରହିଥାଇପାରେ ବୋଲି ବ୍ୟବସାୟୀମାନେ କହୁଛନ୍ତି। ତେବେ ଦରବୃଦ୍ଧିର ପ୍ରକୃତ କାରଣ ନିର୍ଦ୍ଧାରଣ ପାଇଁ ବଜାରର ଯୋଗାଣ, ମହଜୁଦ ଓ ବିକ୍ରି ମୂଲ୍ୟର ଯାଞ୍ଚ ଜରୁରୀ।
ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ ମତରେ, ଓଡ଼ିଶାରେ ଚାଉଳ, ଡାଲି ଓ ଚିନି ଭଳି ଅନେକ ଖାଦ୍ୟ ସାମଗ୍ରୀର ଚାହିଦା ପୂରଣ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବ୍ୟବସାୟୀମାନେ ଯୋଗାଣ ଅନୁଯାୟୀ ସାମଗ୍ରୀ ଆଣି ଖାଉଟିଙ୍କ ପାଖରେ ପହଞ୍ଚାଉଥିବା ବେଳେ କର୍ପୋରେଟ୍ ସଂସ୍ଥାଙ୍କ ବଜାର ଆଚରଣ ମଧ୍ୟ ଦରକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଛନ୍ତି। ଦରବୃଦ୍ଧି ନିୟନ୍ତ୍ରଣ ଓ ଯୋଗାଣ ବ୍ୟବସ୍ଥାର ସ୍ୱଚ୍ଛତା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ସେ ମତ ଦେଇଛନ୍ତି।
ଖାଦ୍ୟ ସାମଗ୍ରୀର ଦର ଏଭଳି ବଢ଼ି ଚାଲିଲେ ଆଗାମୀ ଦିନରେ ସାଧାରଣ ପରିବାରର ଆର୍ଥିକ ଚାପ ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ବଜାରରେ ଯୋଗାଣ ସ୍ଥିତି, ମହଜୁଦ ଓ ଖୁଚୁରା ମୂଲ୍ୟ ଉପରେ ନଜର ରଖିବା ସହ କୃତ୍ରିମ ଅଭାବ ସୃଷ୍ଟି କିମ୍ବା ଅନିୟମିତ ମୂଲ୍ୟବୃଦ୍ଧି ହେଉଥିଲେ ତାହାର ଯାଞ୍ଚ କରିବା ଜରୁରୀ। ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ଦର ନିୟନ୍ତ୍ରଣ ଓ ନିୟମିତ ଯୋଗାଣ ଉପରେ ପ୍ରଶାସନର ଗୁରୁତ୍ୱ ଆବଶ୍ୟକ।

Leave A Reply

Your email address will not be published.