ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସକୁ ନେଇ ବଣିକ ସଂଘର ପ୍ରସ୍ତୁତି ବୈଠକ ; ୮ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ।
ବେଲଗୁଣ୍ଠା, ୦୬/୦୯(ପିପିଟି ):ବେଲଗୁଣ୍ଠା ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଓ ଘରଭଡ଼ାକୁ ନେଇ ବେଲଗୁଣ୍ଠା ବଣିକ ସଂଘ ସଭାଗୃହରେ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସଂଘ ସଭାପତି ସି.ଏଚ୍. ସନତ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ପ୍ରାୟ ୭୦ ଜଣ ସଂଘ ସଦସ୍ୟଙ୍କ ସମେତ ପ୍ରାୟ ୩୦ ଜଣ ଗ୍ରାମବାସୀ ଯୋଗଦେଇଥିଲେ। ବୈଠକରେ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଓ ଘରଭଡ଼ା ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ବଣିକ ସଂଘ ପକ୍ଷରୁ ପୂର୍ବରୁ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆପୋଷ ଆଲୋଚନା ଓ ସମାଧାନର ପନ୍ଥା ବାହାର କରିବାକୁ ଅନୁରୋଧ କରାଯାଇଥିବା ସଦସ୍ୟମାନେ କହିଥିଲେ। ତେବେ ଏ ନେଇ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବାରୁ ଉପସ୍ଥିତ ସଦସ୍ୟ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଆସନ୍ତା ୮ ତାରିଖ ମଙ୍ଗଳବାର ସକାଳ ୧୦ଟାରେ ବଣିକ ସଂଘ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜନଆନ୍ଦୋଳନ ମାଧ୍ୟମରେ ଦାବିର ସ୍ଥାୟୀ ସମାଧାନ ସମ୍ଭବ ବୋଲି ବିଭିନ୍ନ ବ୍ୟକ୍ତି ମତ ରଖିଥିଲେ। ଉପସ୍ଥିତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ଶେଷରେ ସଂଘ ସମ୍ପାଦକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।