ମନ୍ଥର ଗତିରେ ଶାଳିଆ ମେଗା ଜଳ ଯୋଗାଣ ପ୍ରକଳ୍ପ ।

0 108

ବେଗୁନିଆପଡା,୨୪/୧୦(ପିପିଟି ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହେଉଛି। ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ଶେଷ ହୋଇନଥିବାରୁ ୫୯ଟି ଗ୍ରାମର ଲୋକେ କେବେ ପାଇବେ ବିଶୁଦ୍ଧ ପାନୀୟ ଜଳ, ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ୧୧ଟି ବ୍ଲକରେ ଗ୍ରାମାଞ୍ଚଳକୁ ପାନୀୟ ଜଳ ଯୋଗାଣ ନିମନ୍ତେ ୧୭୮୧ କୋଟି ୬୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ପୂର୍ବ ସରକାରଙ୍କ ସମୟରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଅଧୀନରେ ବେଗୁନିଆପଡ଼ା ବ୍ଲକର ୫୯ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରାୟ ୭୮ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ସୂଚନା ମିଳିଛି। କିନ୍ତୁ ଏତେ ଟଙ୍କାର ବ୍ୟୟବରାଦରେ ପ୍ରକଳ୍ପ ନିର୍ମାଣ ସତ୍ତ୍ୱେ ଏଯାଏଁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଜଳ ଯୋଗାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବର କାରଣ କ’ଣ ? ନିର୍ମାଣ କାମ କେବେ ସରିବ ଏବଂ କେଉଁ ତାରିଖରୁ ଲୋକଙ୍କୁ ଜଳ ଯୋଗାଣ ଆରମ୍ଭ ହେବ? ଏନେଇ ସମ୍ପୃକ୍ତ ବିଭାଗ ଓ ଠିକା ସଂସ୍ଥା ପକ୍ଷରୁ ସ୍ପଷ୍ଟ ହେବା ଆବଶ୍ୟକ । ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ପାନୀୟ ଜଳ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.