ବେଲଗୁଣ୍ଠା,୩୧/୦୮(ପିପିଟି):ଗଞ୍ଜାମ ଜିଲ୍ଲାର ମନ୍ଦିରମାଳିନୀ ତଥା ପିତ୍ତଳ ମାଛର ସହର ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟାଳୟ ଠାରେ ନିର୍ବାହୀ ଅଧିକାରୀ ବିଭୂତିଭୂଷଣ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ନଗରପାଳ ଓ ସମସ୍ତ କାଉନ ସିଲର ଏନ ଏ ସି ସମୁଖରେ ଥିବା ମହାପୁରୁଷମାନ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମେଡିକାଲ କୁ ଯାଇ ସେଠାରେ ଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପାଖାପାଖି ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦୁଇଟି କଲ୍ୟାଣ ମଣ୍ଡପ — ସୁତୁମୁସର ରୋଡ୍ ଛକ ରେ ଥିବା ‘ଲକ୍ଷ୍ମୀନାରାୟଣ କଲ୍ୟାଣ ମଣ୍ଡପ’ ଏବଂ ‘ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ’କୁ ବିଧାୟକ ଶ୍ରୀ ବିଷୋୟୀ ଉଦ୍ଘାଟନ କରିଥିଲେ। ସେହିପରି ଏକ ଫେବର ରୋଡକୁ ମଧ୍ୟ ଆଜି ଉଧଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବ ପରେ ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବିଷୋୟୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାଧାରଣ ସଭା ଆରମ୍ଭ କରିଥିବା ବେଳେ ନଗରପାଳ ଫିରୋଜ କୁମାର ସେଠୀ, ତହସିଲଦାର କଳାକୃଷ୍ଣ ପ୍ରଧାନ, ନିର୍ବାହୀ ଅଧିକାରୀ ବିଭୂତିଭୂଷଣ ବେହେରା, ବିଡିଓ ସିଙ୍ଗାପୁରମ୍ ହରି,ସିଡିପିଓ ନଳିନୀ ମହାରାଣା, ବିଇଓ ଲୁପାମୁଦ୍ରା ରଥ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ସମସ୍ତ କାଉନସିଲର -ଏସ୍ ଭାସ୍କର ପାତ୍ର,ଦିବ୍ୟରଞ୍ଜନ ଦାଶ, ଲିଜା ବେହେରା, ପ୍ରିୟମ୍ବଦା ସାମଲ, ପ୍ରଦୀପ କୁମାର ସେଠୀ, ପ୍ରଗତି ପାତ୍ର,ସୁଜ୍ୟୋତି ସୁବୁଦ୍ଧି,ସଙ୍ଗୀତା ପାତ୍ର,ଦିଲୀପ କୁମାର ଆଚାରୀ, ବିଶ୍ବନାଥ ଦଳେଇ ଏବଂ ପ୍ରତିମା କୁମାରୀ ସ୍ଵାଇଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍ଡିଓ ହିତାଞ୍ଜଳି ପଣ୍ଡା, ଅବସରପ୍ରାପ୍ତ ଏସ୍ଡିଓ ସୁଶାନ୍ତ କୁମାର ମହାପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ଦୁର୍ଗାପ୍ରସାଦ ମାଝୀ ମଞ୍ଚାସୀନ ଥିଲେ। ଏହି ଅବସରରେ ସହରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି, ପୂର୍ବତନ ନଗରପାଳ, ଉପନଗରପାଳ ଓ ପାରିଷଦବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଧାୟକ ଶ୍ରୀ ବିଷୋୟୀ ନିଜ ବକ୍ତବ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେବା ସହ ଆଗାମୀ ଦିନରେ ବେଲଗୁଣ୍ଠାରେ ବିକାଶର ନବକଳେବର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ହେବ ଏଥିପାଇଁ ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଇ ଏକ ଶିକ୍ଷିତ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି ସମାରୋହରେ ଏନ୍ଏସି କାର୍ଯ୍ୟାଳୟ ତରଫରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଏବଂ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟାଳୟ କର୍ମଚାରୀ ପ୍ରଫୁଲ୍ଲ ଷଡ଼ଙ୍ଗୀ ମଞ୍ଚ ସଂଯୋଜନା କରିଥିବା ବେଳେ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।
ରିପୋର୍ଟ -ସୁଶାନ୍ତ କୁମାର ବେହେରା