ବୋଲଗଡ଼, ୩୧/୦୮ (ପିପିଟି): ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ସୁଯୋଗ୍ୟ ସନ୍ତାନ, ବିଶିଷ୍ଟ କୃଷକ ନେତା, ୪ ଥର ବିଧାୟକ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗଙ୍ଗାଧର ପାଇକରାୟଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ଭକ୍ତଚରଣ ସ୍ମୃତି ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହ ଶିକ୍ଷାବିତ୍ ଶ୍ରୀକାନ୍ତ କୁମାର ନାୟକଙ୍କ ପୌରୋହିତ୍ୟରେ ଓ ସମାଜସେବୀ ଅଜୟ କୁମାର ମଙ୍ଗରାଜଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା।
ଆୟୋଜିତ ସଭାରେ ଅତିଥି ଭାବେ ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ, ସମିତି ସଭ୍ୟ ଦିଲ୍ଲୀପ ମହାପାତ୍ର, ପୂର୍ବତନ ସରପଞ୍ଚ ବିଜୟ କୁମାର ଗୁମାନସିଂହ, ଗ୍ରାମ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅର୍ଜୁନ ପଟ୍ଟନାୟକ, ସମାଜସେବୀ ଗଗନ କୁମାର ସ୍ୱାଇଁ, ଭାଗିରଥି ପରିମାଣିକ, ଅଜୟ ଦଳବେହେରା, ସଞ୍ଜୟ ଦାସ, ଶରତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।
ବକ୍ତାମାନେ କହିଥିଲେ, ସ୍ୱର୍ଗତ ପାଇକରାୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ କାରାବରଣ କରିଥିଲେ, ଯାହା ତାଙ୍କ ଦେଶପ୍ରେମର ପରିଚୟ। ବିଧାୟକ ଭାବେ ଚାରି ଥର ବେଗୁନିଆ-ବୋଲଗଡ଼ ମାଟିର ସେବା କରିଛନ୍ତି। ତାଙ୍କ ଜୀବନ ଗରିବ, ଚାଷୀ, ଖଟିଖିଆ ମେହନତି ମଣିଷଙ୍କ ପାଇଁ ସମର୍ପିତ ଥିଲା।
ତାଙ୍କର ନିର୍ଭୀକତା, ସାହସିକତା, ନୀତି ଆଦର୍ଶ ଓ ଉନ୍ନତିମୂଳକ କାର୍ଯ୍ୟ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ପରିଶେଷରେ ଆଦର୍ଶ ଶିକ୍ଷକ ବିଜୟ କୁମାର ସାହୁ ସ୍ମୃତି ଚାରଣ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବେଗୁନିଆ, ବୋଲଗଡ଼, ରାସୋଳ, ଚମ୍ପାଇଲୋ, ପିଚୁକୁଳି, ବାୟାପଲ୍ଲୀ, ସାନପଦର ଗ୍ରାମରୁ ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।
ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।