ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ।

0 187

ଭୁବନେଶ୍ୱର,୧୯/୦୮(ପିପିଟି):ଇତିହାସକାର ପଦ୍ମଶ୍ରୀ ଡ. ସତ୍ୟନାରାୟଣ ରାଜଗୁରୁ କେବଳ ପାରଳାର ବରପୁତ୍ର ନୁହଁ, ବରଂ ସମଗ୍ର ଓଡ଼ିଶାର ସେ ଥିଲେ ପରଶମଣି । ଓଡ଼ିଶାର ଇତିହାସକୁ ଉଦ୍ଧାର କରି ଓଡ଼ିଆମାନଙ୍କ ପାଖରେ ତାକୁ ପହଞ୍ଚାଇବାର ଯେଉଁ ଦୁଃସାହସ କରିପାରିଛନ୍ତି ତାହା ଓଡ଼ିଆ ଜାତି କେବେ ଭୁଲିପାରିବ ନାହିଁ । ବାସ୍ତବରେ ରାଜଗୁରୁ ନଥିଲେ ଓଡ଼ିଶାର ଅନେକ ଶିଳାଲେଖର ଉନ୍ମୋଚନ ହୋଇପାରିନଥନ୍ତା ବୋଲି ଆଜି ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୪ତମ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ରୂେ ଯୋଗଦାନ କରି ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡ. କାହ୍ନୁଚରଣ ପାଢ଼ୀ ମତବ୍ୟକ୍ତ କରିଛନ୍ତି ।

ପାରଳା ଗଜପତି ବିକାଶ ମଞ୍ଚର ସଭାପତି ଦିଗ୍‌ବିଜୟ ନାଥ ପାଢ଼ୀଙ୍କ ପୌରହିତ୍ୟରେ ସ୍ଥାନୀୟ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ବକ୍ତା ଭାବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅବସରପ୍ରାପ୍ତ ଅଧୀକ୍ଷକ ତଥା ସୁଲେଖିକା ଡ. ଭାଗ୍ୟଲିପି ମଲ୍ଲ ସତ୍ୟନାରାୟଣ ରାଜଗୁରୁଙ୍କ ଜୀବନର ଅନେକ ଅନାଲୋଚିତ ଦିଗକୁ ନିଜର ସୁନ୍ଦର ଅଭିଭାଷଣ ମାଧ୍ୟମରେ ଉପସ୍ଥାପନା କରିଥିଲେ ।

ସମ୍ମାନିତ ବକ୍ତା ଭାବେ ଯୁବ ଲିପିତତ୍ତ୍ୱବିତ୍ ଇଂ ବିଷ୍ଣୁ ମୋହନ ଅଧିକାରୀ ପଦ୍ମଶ୍ରୀ ରାଜଗୁରୁଙ୍କ ସର୍ବଭାରତୀୟ ଲିପିତତ୍ତ୍ୱ ଗବେଷଣା, ପାଣ୍ଡୁଲିପି ସଂପାଦନା, ତଥା ଓଡ଼ିଆ ଭାଷାର ପ୍ରାଚୀନତାକୁ ଦର୍ଶାଇବା ପ୍ରମୁଖ ବ୍ୟକ୍ତିତ୍ୱ ବୋଲି ପ୍ରମାଣ ସହ ଯୁକ୍ତି ଉପସ୍ଥାନ କରିଥିଲେ ।ଏଥିସହ ରାଜଗୁରୁଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ମ୍ୟୁଜିୟମ୍ ନିକଟରେ ସ୍ଥାନ କରିବାକୁ ଆହ୍ୱାନ କରିଥିଲେ । ରାଜ୍ୟରେ ନୂତନ ଭାବେ ମିଳୁଥିବା ବହୁଭାଷୀ ଅଭିଲେଖଗୁଡ଼ିକର ଅଧ୍ୟୟନ ଓ ଗବେଷଣା ସହ ନୂତନ ନିର୍ଯାସ ପାଠ୍ୟପୁସ୍ତକରେ ଅଦ୍ୟତନ କରିବାକୁ ହେବ ବୋଲି କହିଥିଲେ ।

ପାରଳା ଗଜପତି ବିକାଶ ମଞ୍ଚର ସମ୍ପାଦକ ରାଜ କିଶୋର ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ପାରଳା ଗଜପତି ବିକାଶ ମଞ୍ଚ ଅନୁଷ୍ଠାନ ତରଫରୁ ପାରଳାର ପ୍ରତିଭାଧର ମାନଙ୍କର ପର୍ଯ୍ୟାୟକ୍ରମେ ଜୟନ୍ତୀ ସଭାମାନ କରାଯିବା ପ୍ରସ୍ତାବ ରହିଥିବା ବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ । ପାରଳା ଗଜପତି ବିକାଶ ମଞ୍ଚର ବରିଷ୍ଠ ସଦସ୍ୟ ବିଘ୍ନେଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ସୀତାକାନ୍ତ ରାଜଗୁରୁଙ୍କ ଦ୍ୱାରା ସମ୍ପାଦନା ହୋଇଥିବା ପୁସ୍ତକ ଶତାବ୍ଦୀର ଗବେଷକ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁ (ପ୍ରଥମ ଭାଗ) ସତ୍ୟ ନାରାୟଣ ରାଜଗୁରୁଙ୍କ ଉପରେ ଲିଖିତ ଏକ ପୁସ୍ତକ ପାଠକାର୍ପଣ କରାଯାଇଥିଲା ।

Leave A Reply

Your email address will not be published.