ସ୍ଵଚ୍ଛ ଏବଂ ଉତ୍ତରଦାୟୀ ରାଜସ୍ୱ ପ୍ରଶାସନର ଉଦ୍ଦେଶ୍ଯ ନେଇ, ହ୍ବାଟସଆପରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ ।

0 102

ଭୁବନେଶ୍ୱର, ୧୯/୦୮(ପିପିଟି):ଲୋକସେବା ଭବନଠାରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ  ସୁରେଶ ପୂଜାରୀ ‘ଆମ ସାଥୀ ହ୍ୱାଟସଆପ୍ ଚାଟବଟ’ ମାଧ୍ୟମରେ ‘ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥା’ର ଶୁଭ ଲୋକାର୍ପଣ କରିଛନ୍ତି । ଏହି ବ୍ୟବସ୍ଥା ଦ୍ଵାରା ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ଵଚ୍ଛ, ପାରଦର୍ଶୀ ତଥା ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ସୁନିଶ୍ଚିତ ହେବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ମତପ୍ରକାଶ କରିଛନ୍ତି l

ଏହି ନୂତନ ବ୍ୟବସ୍ଥାର ଲୋକାର୍ପଣ କରି ମାନ୍ୟବର ମନ୍ତ୍ରୀ କହିଥିଲେ ଯେ, ନାଗରିକମାନଙ୍କୁ ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଦାଖଲ ଓ ତାହାର ସ୍ଥିତି ଅନୁସରଣ ପାଇଁ ଏକ ସରଳ, ସୁବିଧାଜନକ ଓ ସ୍ୱଚ୍ଛ ଡିଜିଟାଲ ବ୍ୟବସ୍ଥା ଭାବେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ଚାଟବଟ୍ ମାଧ୍ୟମରେ ରାଜସ୍ୱ ବିଭାଗର ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ବଦଳୁଥିବା ସମୟର ଢାଞ୍ଚାରେ ରାଜସ୍ୱ ବିଭାଗ ମଧ୍ଯ ନିଜକୁ ସଶକ୍ତ ଏବଂ ଉନ୍ନତ କରିବା ସହ ଲୋକସେବାକୁ ଆହୁରି ସରଳ ଏବଂ ସହଜଲବ୍ଧ କରିବା ନିମନ୍ତେ ଏହି ବ୍ୟବସ୍ଥା ସମଗ୍ର ଭାରତବର୍ଷରେ ଓଡ଼ିଶା ରାଜ୍ୟସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ପରିଚିତ ହେବ । ଏହି ଅଭିନବ ବ୍ୟବସ୍ଥା ମାଧ୍ୟମରେ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ବିଶ୍ବାସ କ୍ରମଶଃ ଦୃଢ଼ ହେବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ନୂତନ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ରାଜସ୍ୱ ପ୍ରଶାସନକୁ ସ୍ଵଚ୍ଛ, ନାଗରିକ କୈନ୍ଦ୍ରିକ, ସୁବ୍ୟବସ୍ଥିତ ଏବଂ ଉତ୍ତରଦାୟୀ କରିବା ନିମନ୍ତେ ହ୍ୱାଟସଆପ୍ ମାଧ୍ୟମରେ ଅଭିଯୋଗ ସମାଧାନ ବ୍ୟବସ୍ଥାର ଆରମ୍ଭ କରାଯାଇଛି । ଏହି ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ମାନ୍ୟବର ମନ୍ତ୍ରୀ, ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କର ସିଧାସଳଖ ତଦାରଖ ତଥା ତତ୍ତ୍ଵାବଧାନ ରହିବା ଫଳରେ ପ୍ରଶାସନିକ ଅଧିକାରୀବୃନ୍ଦ ଅଧିକ ଦାୟିତ୍ୱସଂପନ୍ନ ଏବଂ ସମ୍ବେଦନଶୀଳ ହୋଇ ଜନସାଧାରଣଙ୍କ ଅଭିଯୋଗ ସମାଧାନ କରିବା ନିମନ୍ତେ ଅଧିକ ଯତ୍ନବାନ୍ ହେବେ । ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ଆବଶ୍ୟକତା ଅନୁଯାୟୀ ଆହୁରି ଅଧିକ ସରଳ ଏବଂ ଲୋକାଭିମୁଖୀ କରାଯିବ ।

ସୂଚନାଯୋଗ୍ୟ ଯେ, ଏହି ଅଭିଯୋଗ ସମାଧାନ ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ହ୍ୱାଟ୍ସଆପ୍ ଜରିଆରେ ନିଜ ଅଭିଯୋଗର ଉପଯୁକ୍ତ ବିଭାଗ ଚୟନ କରି ଆବଶ୍ୟକୀୟ ବିବରଣୀ ଓ ସହାୟକ ଦସ୍ତାବିଜ ଦାଖଲ କରିପାରିବେ। ଅଭିଯୋଗ ଦାଖଲ ହେବା ପରେ ତାହାର ଆବଶ୍ୟକତା ଓ ବିଭାଗ ଅନୁଯାୟୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ।

ସଧାରଣ ରାଜସ୍ୱ ଅଭିଯୋଗ କ୍ଷେତ୍ରରେ ତହସିଲଦାର ପ୍ରାଥମିକ ଭାବେ ଅଭିଯୋଗର ଯାଞ୍ଚ କରିବା ସହ ଆବଶ୍ୟକ ପଦକ୍ଷେପ ନେବେ । କ୍ଷେତ୍ରସ୍ତରରେ ଯାଞ୍ଚ, ଅତିରିକ୍ତ ତଥ୍ୟ କିମ୍ବା ଫିଲ୍ଡ୍ ରିପୋର୍ଟର ଆବଶ୍ୟକତା ଥିଲେ ତହସିଲଦାର ଅଭିଯୋଗଟିକୁ ରାଜସ୍ୱ ନିରୀକ୍ଷକ(RI)ଙ୍କ ନିକଟକୁ ପାଇପାରିବେ । ରାଜସ୍ୱ ନିରୀକ୍ଷକଙ୍କ ରିପୋର୍ଟ୍ ପରେ ଅଭିଯୋଗଟି ପୁନର୍ବାର ତହସିଲଦାରଙ୍କ ନିକଟକୁ ଫେରିବ । ଅଧିକ ପ୍ରଶାସନିକ ହସ୍ତକ୍ଷେପ ଆବଶ୍ୟକ ହେଲେ ଅଭିଯୋଗଟି ଉପଜିଲ୍ଲାପାଳ ଏବଂ ପରବର୍ତ୍ତୀ ସ୍ତରରେ ADM ଏବଂ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇପାରିବ ।

ଅଭିଯୋଗଗୁଡ଼ିକୁ ଧାର୍ଯ୍ଯ ସମୟସୀମା ଆଧାରରେ ନିରୀକ୍ଷଣ କରାଯାଇ ସମୟୋଚିତ ପଦକ୍ଷେପ ଓ ନିଷ୍ପତ୍ତି ସୁନିଶ୍ଚିତ କରାଯିବ।

ଏହି ଡିଜିଟାଲ ବ୍ୟବସ୍ଥାର ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି ନାଗରିକଙ୍କୁ ପ୍ରତ୍ୟେକ ପର୍ଯ୍ୟାୟରେ ସୂଚନା ପ୍ରଦାନ କରିବା । ଅଭିଯୋଗ ଦାଖଲ, ଅଗ୍ରଗତି, ଯାଞ୍ଚ, ଉଚ୍ଚସ୍ତରକୁ ପ୍ରେରଣ, ସମାଧାନ କିମ୍ବା ପ୍ରତ୍ୟାଖ୍ୟାନ ଭଳି ପ୍ରମୁଖ ପର୍ଯ୍ୟାୟ ସମ୍ପର୍କରେ ଅଭିଯୋଗକାରୀଙ୍କୁ ହ୍ୱାଟ୍ସଆପ୍ ମାଧ୍ୟମରେ ଅବଗତ କରାଯିବ।

ଅଭିଯୋଗର ସମାଧାନ କିମ୍ବା ପ୍ରତ୍ୟାଖ୍ୟାନ ପରେ ମଧ୍ୟ ନାଗରିକଙ୍କୁ ଏହାର ଫଳାଫଳ ସମ୍ପର୍କରେ ସୂଚନା ଦିଆଯିବ। ସେହିପରି, ଅଭିଯୋଗ ପରିଚାଳନା ସେବା ସମ୍ପର୍କରେ ନାଗରିକମାନେ ରେଟିଂ ଓ ଫିଡ୍‌ବ୍ୟାକ୍ ବା ମତାମତ ଦେଇପାରିବେ। ଏହା ସେବାର ଗୁଣବତ୍ତା ନିରୀକ୍ଷଣ ଓ ଆବଶ୍ୟକ ସୁଧାର ନିମନ୍ତେ ସହାୟକ ହେବ।

ଏହି ସେବା ଅଧୀନରେ ରାଜସ୍ୱ ଅଭିଯୋଗର ଡିଜିଟାଲ ଦାଖଲ, ବିଭାଗଭିତ୍ତିକ ଅଭିଯୋଗ ପ୍ରଦାନ, ଅନଲାଇନ୍ ଟ୍ରାକିଂ, ତହସିଲଦାରଙ୍କ ସ୍ତରରେ ଅଭିଯୋଗ ପରିଚାଳନା, RI ଙ୍କ ସ୍ତରରେ କ୍ଷେତ୍ର ପରିଦର୍ଶନ ଓ ଯାଞ୍ଚ, ଉଚ୍ଚସ୍ତରକୁ ଅଭିଯୋଗ ପ୍ରେରଣ, ପ୍ରତ୍ୟେକ ପର୍ଯ୍ୟାୟରେ ନାଗରିକ ସୂଚନା ଏବଂ ଡିଜିଟାଲ ରେକର୍ଡ୍ ଓ ମନିଟରିଂ ଭଳି ସୁବିଧା ଉପଲବ୍ଧ ହେବ।

‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ନାଗରିକମାନେ ପ୍ରାଥମିକ ଭାବେ ବିଭିନ୍ନ ରାଜସ୍ୱ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ ଦାଖଲ କରିବାର ଆବଶ୍ୟକତା ବିନା ଏକ ସରଳ ଡିଜିଟାଲ୍ ମାଧ୍ୟମରେ ଅଭିଯୋଗ ଜଣାଇପାରିବେ l ବିଭାଗ ପାଇଁ ମଧ୍ୟ ଏହା ଏକ ସୁସଂଗଠିତ ଡିଜିଟାଲ କାର୍ଯ୍ୟବ୍ୟବସ୍ଥା, ସ୍ୱଚ୍ଛ ଟ୍ରାକିଂ, ନିର୍ଦ୍ଧାରିତ ଦାୟିତ୍ୱ, ମନିଟରିଂ ଓ ନାଗରିକ ଫିଡ୍‌ବ୍ୟାକ୍ ଆଧାରିତ ସେବା ସୁଧାରର ସୁଯୋଗ ସୃଷ୍ଟି କରିବ l

ଭବିଷ୍ୟତରେ ରାଜସ୍ୱ କାର୍ଯ୍ୟାଳୟଗୁଡ଼ିକରେ ଗ୍ରହଣ କରାଯାଉଥିବା ଅଭିଯୋଗଗୁଡ଼ିକୁ ମଧ୍ୟ ଡିଜିଟାଇଜ୍ କରି ଏହି ଏକକ ଅଭିଯୋଗ ପରିଚାଳନା ବ୍ୟବସ୍ଥାରେ ସାମିଲ କରିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି l ଏହା ଦ୍ୱାରା ଅନଲାଇନ୍ ଓ ପ୍ରତ୍ୟକ୍ଷ ଉପସ୍ଥିତି ; ଉଭୟ ପ୍ରକାରର ଅଭିଯୋଗକୁ ଏକକ ପ୍ଲାଟଫର୍ମରେ ପରିଚାଳନା ଓ ଟ୍ରାକ୍ କରାଯାଇପାରିବ।

ନାଗରିକ ସୁବିଧା – ଡିଜିଟାଲ ଦାଖଲ – ଉପଯୁକ୍ତ କର୍ତ୍ତୃପକ୍ଷ – ଯାଞ୍ଚ/ପଦକ୍ଷେପ – ସମୟୋଚିତ ସମାଧାନ – ନାଗରିକଙ୍କୁ ସୂଚନା ରେଟିଂ ଓ ଫିଡ୍‌ବ୍ୟାକ୍ – ଏହି ଧାରାରେ ଏହି ଅଭିଯୋଗ ପରିଚାଳନା ବ୍ୟବସ୍ଥା ନାଗରିକକୈନ୍ଦ୍ରିକ ଓ ଦାୟିତ୍ଵସମ୍ପନ୍ନ ରାଜସ୍ୱ ସେବା ପ୍ରଦାନକୁ ଆହୁରି ସୁଦୃଢ଼ କରିବ।

ପ୍ରକାଶ ଥାଉ କି, ଆମ ସାଥୀ ହ୍ୱାଟସଆପ୍ ଚାଟବଟ୍ ମାଧ୍ୟମରେ ପୂର୍ବରୁ ମଧ୍ଯ ଅନେକ ରାଜସ୍ୱ ସେବା ଉପଲବ୍ଧ ହେଉଛି । Whatsappରେ ୯୪୩୭୨୯୨୦୦୦ ନମ୍ଵର୍ ମାଧ୍ୟମରେ ଆବେଦନ କରି ଜନସାଧାରଣ ମ୍ଯୁଟେସନ୍, ଜମିର କିସମ ପରିବର୍ତ୍ତନ, ବିବାହ ପଞ୍ଜୀକରଣ, ସୋସାଇଟି ପଞ୍ଜୀକରଣ, ପଞ୍ଜୀକରଣ ସମ୍ବନ୍ଧୀୟ ବିବରଣୀ, ପଞ୍ଜୀକୃତ ଦଲିଲମାନଙ୍କର ସାର୍ଟିଫାଏଡ୍ କପି, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ବିବିଧ ପ୍ରମାଣପତ୍ର ଆଦି ରାଜସ୍ୱ ସେବା ପାଇ ପାରୁଛନ୍ତି ।

ବର୍ତ୍ତମାନ ଏହି ସବୁ ରାଜସ୍ୱ ସେବା ସହିତ ଆମ ସାଥୀ ହ୍ୱାଟସଆପ୍ ଚାଟବଟରେ ନୂତନ ଭାବେ ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଜମିଜମା, ରେକର୍ଡ଼ ଅଫ୍ ରାଇଟ୍ସ୍, ମ୍ଯୁଟେସନ୍, କଲମ୍ ୨ ସଂଶୋଧନ, କନଭରସନ୍ (ଜମି କିସମ ପରିବର୍ତ୍ତନ), ପାର୍ଟିସନ୍ (ବିଭାଜନ), ଏନକ୍ରୋଚମେଣ୍ଟ୍ (ଜବରଦଖଲ), ଡିମାର୍କେସନ୍, OLR 22 & 23, ରେଗୁଲେସନ ୨.୦, ଜମି ଖଜଣା (ପାଉତି), ପଞ୍ଜୀକରଣ ଏବଂ ଷ୍ଟାମ୍ପ ଡ୍ୟୁଟି, ବିପର୍ଯ୍ୟୟ ଏବଂ ରିଲିଫ୍, ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ରାଜସ୍ୱ ବିଭାଗ ସମ୍ବନ୍ଧିତ ଅଭିଯୋଗ ସମାଧାନ ନିମନ୍ତେ ବ୍ୟବସ୍ଥା ଅନ୍ତର୍ଭୁକ୍ତ କରଯାଇଛି । ଏହି ବ୍ୟବସ୍ଥା ଓଡ଼ିଶାର ରାଜସ୍ୱ ପ୍ରଶାସନକୁ ନୂତନ ସ୍ଵୀକୃତି ଦେବା ସହ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ ହୋଇ ସେମାନଙ୍କ ସମସ୍ୟାର ସମାଧାନକୁ ତ୍ୱରାନ୍ୱିତ ତଥା ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି ।

ଏହି ଅବସରରେ ରାୟଗଡା, ଝାରସୁଗୁଡ଼ା ଏବଂ କଟକ ଜିଲ୍ଲା ପକ୍ଷରୁ ଜଣେ ଲେଖାଏଁ ନାଗରିକଙ୍କ ଦ୍ଵାରା ହ୍ୱାଟସଆପ୍ ମାଧ୍ୟମରେ ଏହି ଅଭିଯୋଗ ଆବେଦନ ଏବଂ ପ୍ରଶାସନ ଦ୍ଵାରା ଏହାର ପରିଚାଳନା ତଥା ସମାଧାନ ବ୍ୟବସ୍ଥା ପ୍ରଦର୍ଶିତ ହୋଇଥିଲା । ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସିଏମଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ତଥା ଅନ୍ୟାନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ ।

Leave A Reply

Your email address will not be published.