ନିକାଞ୍ଚନ ସ୍ଥାନରେ ଲକ୍ଷ୍ମୀ ବସଷ୍ଟାଣ୍ଡ, ଭାଙ୍ଗିଲାଣି ଟାଇଲ୍ ଓ ଫାଟିଲାଣି କାନ୍ଥ ।

0 106

ବେଗୁନିଆପଡ଼ା,୨୧/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ବୋରିଆସାହି ଠାରୁ ଶାଳିଆ ଡ୍ୟାମ୍ ମା’ ଡୋମଣି ଠାକୁରାଣୀଙ୍କ ପୀଠକୁ ଯିବା ରାସ୍ତାରେ ନିର୍ମାଣ ହୋଇଛି ଏକ ଲକ୍ଷ୍ମୀ ବସଷ୍ଟାଣ୍ଡ । ହେଲେ ଏହାର ଶୋଚନୀୟ ଅବସ୍ଥାକୁ ନେଇ ଏବେ ଉଠିଛି ବିଭିନ୍ନ ପ୍ରଶ୍ନ। ସ୍ଥାନୀୟ ଅଞ୍ଚଳର ଅଭିଯୋଗ ଅନୁଯାୟୀ, ଏହି ବସଷ୍ଟାଣ୍ଡଟି ଜଙ୍ଗଲକୁ ଲାଗି ଏକ ନିକାଞ୍ଚନ ସ୍ଥାନରେ ନିର୍ମାଣ କରାଯାଇଛି। ଅନ୍ୟପକ୍ଷରେ, ବସଷ୍ଟାଣ୍ଡର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ତଳେ ବିଛାଯାଇଥିବା ଟାଇଲରୁ ଅନେକ ଭାଙ୍ଗିଗଲାଣି। କାନ୍ଥ ଫାଟି ଆଁ କରିଥିବା ବେଳେ ଇଲେକ୍ଟ୍ରିକ୍ ବୋର୍ଡ ମଧ୍ୟ ହଜିଯାଇଛି। ଏଭଳି ପରିସ୍ଥିତିରେ ଏହି ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ସନ୍ଧ୍ୟା ହେଲେ ଏହି ସ୍ଥାନ ମଦ୍ୟପ ଓ ଜୁଆଡ଼ିଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ସରକାରୀ ଅର୍ଥରେ ନିର୍ମିତ ଏହି ବସଷ୍ଟାଣ୍ଡର ଏପରି ଦୁରବସ୍ଥାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ତେଣୁ ଏହି ଲକ୍ଷ୍ମୀ ବସଷ୍ଟାଣ୍ଡ କେଉଁ ଆଧାରରେ ଏପରି ନିକାଞ୍ଚନ ସ୍ଥାନରେ ନିର୍ମାଣ କରାଗଲା ? ସମ୍ପୃକ୍ତ ବିଭାଗ ଏହାର ତଦନ୍ତ କରି ବସଷ୍ଟାଣ୍ଡର ମରାମତି କରି ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି ହେଉଛି।

Leave A Reply

Your email address will not be published.