ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁରରେ ‘ତ୍ରିରଙ୍ଗା ମାରାଥନ’ ଆୟୋଜିତ ।

0 262

ଗୋପାଳପୁର,୧୩/୦୮(ପିପିଟି): ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୋପାଳପୁରରେ ‘ତ୍ରିରଙ୍ଗା ମାରାଥନ’ ଆୟୋଜିତ ହୋଇଯାଇଛି । ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଆୟୋଜିତ ଏହି ମାରାଥନରେ ଏକ ହଜାରରୁ ଅଧିକ ଯୁବକ-ଯୁବତୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ସକାଳ ୬ଟାରେ ବିଜୟ ମାର୍ଗରୁ ଆରମ୍ଭ ହୋଇଥିବା ଏହି ମାରାଥନ ଗୋପାଳପୁର ମୁଖ୍ୟ ବେଳାଭୂମିରେ ଶେଷ ହୋଇଥିଲା । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, ଗୋପାଳପୁର ଏନ୍‌ଏସି ଅଧ୍ୟକ୍ଷ ଏ ଜାନକୀ ରାମ, ଅତିରିକ୍ତ ଉପଜିଲ୍ଲାପାଳ, ଛତ୍ରପୁର ପାର୍ଥ ସାରଥୀ ହାଁସଦା, ଜିଲ୍ଲା କ୍ରୀଡା ଅଧିକାରୀ ଦିବ୍ୟ ରଞ୍ଜନ ବିଶ୍ୱାଳ, ବ୍ରହ୍ମପୁର ଏକାଡେମୀର କୋଚ୍ ସୀମାଞ୍ଚଳ ବାରିକଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଏକ ହଜାରରୁ ଅଧିକ ଯୁବକ-ଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ ।

ମାରାଥନ ମାର୍ଗର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ହାତରେ ତ୍ରିରଙ୍ଗା ପତାକା ଧରି ଧାବକମାନଙ୍କୁ ଉତ୍ସାହିତ କରିଥିଲେ। ସମଗ୍ର ଅଞ୍ଚଳ ଦେଶପ୍ରେମର ଭାବନାରେ ଉଦ୍‌ବେଳିତ ହୋଇଥିଲା ।

ଯୁବକ-ଯୁବତୀମାନଙ୍କ ସହ ଛତ୍ରପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ସମ୍ପୂର୍ଣ୍ଣ ୫.୫ କିଲୋମିଟର ଦୌଡ଼ି ଅତିକ୍ରମ କରିଥିଲେ । ସେମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ମାରାଥନରେ ଭାଗ ନେଇଥିବା ଯୁବପିଢ଼ିଙ୍କୁ ଅଧିକ ଉତ୍ସାହିତ କରିଥିଲା ।

ପୁରୁଷ ବର୍ଗରେ ନେତ୍ରମଣୀ ଶବର ପ୍ରଥମ,ଦୁର୍ଯ୍ୟଧନ ନାୟକ ଦ୍ୱିତୀୟ ଓ ସରୋଜ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ଗୁଡଲି ମଲ୍ଲିକ ପ୍ରଥମ,ସାନିୟା ମଲ୍ଲିକ ଦ୍ୱିତୀୟ ଓ ଅସୀମା ମଲ୍ଲିକ ତୃତୀୟ ସ୍ଥାନ ହାସଲ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ଯଥାକ୍ରମେ ୫,୦୦୦, ୩,୦୦୦ ଓ ୨,୦୦୦ ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା ।

‘ହାତରେ ତ୍ରିରଙ୍ଗା, ମନରେ ଦେଶପ୍ରେମ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ତ୍ରିରଙ୍ଗା ମାରାଥନ ଗଞ୍ଜାମରେ ଜାତୀୟ ଏକତା,ଅଖଣ୍ଡତା ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.