ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଯୋଗ ଦେଲେ ରାଜ୍ୟପାଳ ।

0 8

ଭୁବନେଶ୍ୱର, ୦୭/୦୮(ପିପିଟି ):ହସ୍ତତନ୍ତକୁ ଜୀବନଶୈଳୀର ଅଂଶ କରିବା ସହ ସପ୍ତାହକୁ ଅନ୍ତତଃ ଥରେ ହାତବୁଣା ବସ୍ତ୍ର ପରିଧାନ କରି ବୁଣାକାରଙ୍କୁ ସମର୍ଥନ ଦେବା ପାଇଁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି।

ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ କହିଥିଲେ ଯେ ସରକାରୀ ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ, ବିଭିନ୍ନ କ୍ଷେତ୍ରର ପେଶାଦାର ଓ ଯୁବପିଢ଼ି ଓଡ଼ିଶାର ହସ୍ତତନ୍ତ ଉତ୍ପାଦକୁ ବ୍ୟବହାର କରି ଉଦାହରଣ ସୃଷ୍ଟି କରିବା ଉଚିତ। ଏଭଳି ଏକ ସରଳ ବ୍ୟକ୍ତିଗତ ପ୍ରତିବଦ୍ଧତା ରାଜ୍ୟର ହଜାର ହଜାର ବୁଣାକାର ପରିବାରକୁ ସହାୟତା କରିବାରେ ଏକ ବଡ଼ ଆନ୍ଦୋଳନର ରୂପ ନେଇ ପାରିବ ବୋଲି ରାଜ୍ୟପାଳ କହିଥିଲେ ।

ହାତବୁଣା ବସ୍ତ୍ରର ସାଂସ୍କୃତିକ ଓ ଆର୍ଥିକ ଗୁରୁତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ହସ୍ତତନ୍ତ ବସ୍ତ୍ରରେ ବୁଣାକାରଙ୍କ ଦକ୍ଷତା, ପରିଶ୍ରମ, ପାରିବାରିକ ପରମ୍ପରା ଓ ସୃଜନଶୀଳତାର କାହାଣୀ ରହିଥାଏ। ମେସିନ ତିଆରି ବସ୍ତ୍ର ତୁଳନାରେ ହାତବୁଣା ବସ୍ତ୍ରରେ କାରିଗରଙ୍କ ବ୍ୟକ୍ତିଗତ ସ୍ପର୍ଶ ଓ ନିଷ୍ଠା ପ୍ରତିଫଳିତ ହୁଏ ।

ପୁଣି ରାଜ୍ୟପାଳ କହିଥିଲେ ଯେ କହିଥିଲେ ଯେ ହସ୍ତତନ୍ତ ଉତ୍ପାଦ କିଣିବା ଅର୍ଥ କେବଳ ଏକ କପଡ଼ା କିଣିବା ନୁହେଁ। ଏହା ଏକ ପରିବାରକୁ ସମର୍ଥନ, ଗ୍ରାମୀଣ ରୋଜଗାରକୁ ସୁଦୃଢ଼, ମହିଳାଙ୍କୁ ସଶକ୍ତ କରିବା ସହ ପାରମ୍ପରିକ ଜ୍ଞାନର ସୁରକ୍ଷା ଏବଂ ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବ।

ଜାତୀୟ ହସ୍ତତନ୍ତ ଦିବସ ଭାରତର ସଭ୍ୟତା, ସଂସ୍କୃତି ଓ ଶତାବ୍ଦୀ ଧରି ବୟନ ପରମ୍ପରାକୁ ସୁରକ୍ଷିତ ରଖିଥିବା କାରିଗରଙ୍କ ପ୍ରତି ସମ୍ମାନ। ପ୍ରତିବର୍ଷ ଅଗଷ୍ଟ ୭ରେ ପାଳିତ ଏହି ଦିବସ ୧୯୦୫ ମସିହାର ସ୍ୱଦେଶୀ ଆନ୍ଦୋଳନକୁ ସ୍ମରଣ କରାଇ ଦିଏ, ଯେଉଁଥିରେ ହାତବୁଣା ବସ୍ତ୍ର ସ୍ୱାବଲମ୍ବନଶୀଳତା ଓ ଜାତୀୟ ଗର୍ବର ପ୍ରତୀକ ବୋଲି ରାଜ୍ୟପାଳ କହିଥିଲେ।

ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରା ବିଷୟରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ କଳିଙ୍ଗର ପ୍ରାଚୀନ ସାମୁଦ୍ରିକ ପରମ୍ପରା ସହ ଏହାର ମୂଳ ଜଡ଼ିତ। ସମ୍ବଲପୁରୀ ବାନ୍ଧ, ଓଡ଼ିଶା ଇକତ, ବମକାଇ, ଖଣ୍ଡୁଆ, କୋଟପାଡ଼, ହବାସପୁରୀ, ବ୍ରହ୍ମପୁର ପାଟ ଓ ଗୋପାଳପୁର ଟସର ଭଳି ହସ୍ତତନ୍ତ ଉତ୍ପାଦ ନିଜସ୍ୱ ଡିଜାଇନ ଓ କାରିଗରୀ ପାଇଁ ବିଶ୍ୱସ୍ତରରେ ପରିଚିତ।

ଚଳିତ ବର୍ଷର ବିଷୟବସ୍ତୁ “ପ୍ରତ୍ୟେକଙ୍କ ଜୀବନରେ ହସ୍ତତନ୍ତର ଏକ ଅଂଶ” ଉପରେ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ହସ୍ତତନ୍ତ କେବଳ ବିଶେଷ ଅବସରରେ ସୀମିତ ନ ରହି ପୋଷାକ, ଘର ସାଜସଜ୍ଜା ସାମଗ୍ରୀ ଓ ଅନ୍ୟାନ୍ୟ ଉତ୍ପାଦ ମାଧ୍ୟମରେ ଦୈନନ୍ଦିନ ଜୀବନର ଅଂଶ ହେବା ଉଚିତ।

ହସ୍ତତନ୍ତ କ୍ଷେତ୍ରର ସୁଦୃଢ଼ୀକରଣ ପାଇଁ ଡିଜାଇନରେ ନୂତନତା, ଡିଜିଟାଲ ମାର୍କେଟିଂ, ପର୍ଯ୍ୟଟନ ସହ ସଂଯୁକ୍ତ, ପ୍ରତିଷ୍ଠାନଗତ ସହାୟତା ଓ ପ୍ରଯୁକ୍ତିଭିତ୍ତିକ ଉତ୍ପାଦ ଅନୁସରଣଯୋଗ୍ୟତା ପଦକ୍ଷେପକୁ ରାଜ୍ୟପାଳ ପ୍ରଶଂସା କରିଥିଲେ।

ରାଜ୍ୟ ହସ୍ତତନ୍ତ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ ବୁଣାକାରମାନେ ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ରକ୍ଷକ। ଓଡ଼ିଶାର ହସ୍ତତନ୍ତ କ୍ଷେତ୍ର ଆଗାମୀ ଦିନରେ ରାଜ୍ୟର ପରିଚୟ, ସୃଜନଶୀଳତା ଓ ଉତ୍କର୍ଷତାକୁ ବିଶ୍ୱ ମଞ୍ଚରେ ପ୍ରଦର୍ଶନ କରିବ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ “କୁସୁମ୍ – ହଜିଯାଇଥିବା ବସ୍ତ୍ରର ପୁନରୁଦ୍ଧାର” ଓ “କରୁଣା ସିଲ୍କ” ଉପରେ ଭିଡିଓ ପ୍ରଦର୍ଶିତ ହୋଇଥିଲା। ଜଗତସିଂହପୁରର କାଷ୍ଟା ହସ୍ତତନ୍ତ ଭବନ, ଯାଜପୁର ସୁକିନ୍ଦାରେ ଟସର ସିଲ୍କ ପାର୍କ (ପ୍ରଥମ ପର୍ଯ୍ୟାୟ) ଓ ଟସର ସୁବିଧା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଖୋର୍ଦ୍ଧା ରାଉତପଡ଼ାସ୍ଥିତ ଫ୍ୟାବ୍ରିକ କ୍ୟାଲେଣ୍ଡରିଂ ୟୁନିଟ୍ର ଭର୍ଚୁଆଲ ଉଦ୍ଘାଟନ କରାଯାଇଥିଲା।

ଏହି ଅବସରରେ ଗ୍ରାସିମ୍ ଇଣ୍ଡିଆ ଲିମିଟେଡ୍, ଜୁବି’ସ୍ ଡିଜାଇନର ଷ୍ଟୁଡିଓ ଓ ଆମାଜନ କାରିଗର ସହ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ୨୦୨୫-୨୬ ବର୍ଷର କାର୍ଯ୍ୟାବଳୀ ରିପୋର୍ଟ ମଧ୍ୟ ଉନ୍ମୋଚିତ ହୋଇଥିଲା।

ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ବିଭାଗୀୟ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.