ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ।

0 8

ବ୍ରହ୍ମପୁର,୦୧/୦୮(ପିପିଟି): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୪ ଓ ୫ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ଠାରୁ ଆରମ୍ଭ କରି ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଓ ବ୍ୟବସ୍ଥାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା ।

ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଥିଲେ ଯେ, ରାଷ୍ଟ୍ରପତିଙ୍କ ଗଞ୍ଜାମ ଆଗମନ ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ପାଇଁ ଗର୍ବ ଓ ଗୌରବର ବିଷୟ। ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ପୂର୍ଣ୍ଣାଙ୍ଗ ରିହର୍ସାଲ ଅନୁଷ୍ଠିତ ହେବ ।

ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯେଉଁ ରୁଟ୍‌ରେ ଯାତାୟାତ କରିବେ, ସେହି ରାସ୍ତାର ପରିଷ୍କାର- ପରିଚ୍ଛନ୍ନତା,ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ,ଅସ୍ଥାୟୀ ଭେଣ୍ଡିଂ ଦୋକାନଗୁଡ଼ିକର ସ୍ଥାନାନ୍ତରଣ ଆଦି ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେବା ସହ ଏଥିପାଇଁ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ଭାବ୍ୟ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା ଶ୍ରବଣା ବିବେକ ଏମ୍. ଏବଂ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ହରିଶ ବିଶି ସୂଚନା ଦେଇଥିଲେ। ଖୁବ୍ ଶୀଘ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯିବ ବୋଲି ମଧ୍ୟ ସେମାନେ କହିଥିଲେ ।

ଜିଲ୍ଲାପାଳ ବିଭିନ୍ନ ବିଭାଗକୁ ନ୍ୟସ୍ତ ଦାୟିତ୍ୱଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଷ୍ଟ୍ରପତି ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୧୦ ମିନିଟ ସମୟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବେ । ସେଠାରୁ ତପ୍ତପାଣି ଅଭିମୁଖେ ଯାତ୍ରା କରି ଅପରାହ୍ନ ପ୍ରାୟ ୩ଟା ୧୦ ମିନିଟ ସମୟରେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପୂଜାର୍ଚ୍ଚନା ପରେ ସେ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ। ପରଦିନ ପୂର୍ବାହ୍ନ ପ୍ରାୟ ୧୦ଟା ୨୦ ମିନିଟ ସମୟରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ।

ବୈଠକରେ ରେଳ ଷ୍ଟେସନର ପରିବେଶ ଓ ପରିମଳ ବ୍ୟବସ୍ଥା, ପାରମ୍ପରିକ ଲୋକନୃତ୍ୟ ପରିବେଷଣ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା, ସୁରକ୍ଷା ବ୍ୟବସ୍ଥା, ବ୍ୟାରିକେଡିଂ, ଅସ୍ଥାୟୀ ଓ ସ୍ଥାୟୀ ଶୌଚାଳୟର ସୁବନ୍ଦୋବସ୍ତ, ବ୍ୟାଗେଜ୍ ସ୍ଥାନାନ୍ତରଣ, ଅଫିସିଆଲ ପାସ୍, ଆମ୍ବୁଲାନ୍ସ, ପାର୍କିଂ, ଅଗ୍ନି ନିରାପତ୍ତା, ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ, ନେଟୱର୍କ ସଂଯୋଗ ସୁନିଶ୍ଚିତ କରିବା ଏବଂ ସାମୟିକ ରୋଡ୍ ବ୍ରେକର ଅପସାରଣ ସମେତ ସମସ୍ତ ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଥିଲା ।

କାର୍କେଡ୍ ବ୍ୟବସ୍ଥା,ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାର୍କେଡ୍, ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଏବଂ ପାସ୍ ପ୍ରଦାନକୁ ସୀମିତ ରଖିବା ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

ବୈଠକ ପରେ ଜିଲ୍ଲାପାଳଙ୍କ ସହ ଗଞ୍ଜାମ ଓ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ଅଧିକାରୀ ବ୍ରହ୍ମପୁର ରେଳ ଷ୍ଟେସନ, ତପ୍ତପାଣି ଓ ଧବଳେଶ୍ୱର ମନ୍ଦିର ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ପୁନର୍ବାର ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ,ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା,ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଆକବରମ ଏସ ରେଡ୍ଡି, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ,ଜିଲ୍ଲା ଓ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.