ମାଲକାନଗିରିରେ ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ଗଣଶିକ୍ଷା ସଚିବ ।

0 0

ମାଲକାନଗିରି, ୩୧/୦୭(ପିପିଟି):ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ତଥା ଜିଲ୍ଲା ପ୍ରଭାରୀ ଅଧିକାରୀ ଏନ୍. ତିରୁମାଲା ନାଏକ୍ ଆଜିଠାରୁ ମାଲକାନଗିରି ଜିଲ୍ଲାକୁ ଦୁଇ ଦିନିଆ ସରକାରୀ ଗସ୍ତ କରିଛନ୍ତି। ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ଏବଂ ବିଭିନ୍ନ ଜନକଲ୍ୟାଣକାରୀ ସରକାରୀ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଅଟେ।
ଗସ୍ତର ପ୍ରଥମ ଦିନରେ ସଚିବ ଶ୍ରୀ ନାଏକ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବଡ଼ବେଲ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଖଇରପୁଟର ମୁଣ୍ଡିଗୁଡା ଉଚ୍ଚ ବିଦ୍ୟାଳୟ ଏବଂ ଚିତ୍ରକୋଣ୍ଡାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଦି ଅଞ୍ଚଳ ଗସ୍ତ କରି ବିଭିନ୍ନ ଚାଲୁ ରହିଥିବା ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲାର ପ୍ରତ୍ୟେକ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ସଦୃଢ଼ କରିବା ଆମର ପ୍ରାଥମିକତା। ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ଦ୍ୱାରା ହିଁ ମାଲକାନଗିରିର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇପାରିବ।
ଏହା ସହିତ ସେ ଜିଲ୍ଲାର ପିଏମ୍ ଶ୍ରୀ ବିଦ୍ୟାଳୟ, ଗ୍ରାମୀଣ ଆବାସ ଯୋଜନା ଓ ସ୍ୱଚ୍ଛ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ କରିଥିଲେ। ପରିଦର୍ଶନ ସମୟରେ ସେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସହଜ ଓ ସରଳ ଭାବେ ମିଶିବା ସହ ସେମାନଙ୍କ ସହିତ ବସି ମଧ୍ୟାହ୍ନ ଭୋଜନ କରିଥିଲେ, ଯାହା ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଛି।
ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ସଚିବଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଏବଂ ସମ୍ପୃକ୍ତ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ସାମିଲ ହୋଇ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିଲେ।
ଜିଲ୍ଲାରେ ଶିକ୍ଷାର ବିକାଶ ଓ ଚାଲୁ ରହିଥିବା ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସଚିବ ଶ୍ରୀ ନାଏକ୍ ଆସନ୍ତାକାଲି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ଏହି ବୈଠକରେ ଜିଲ୍ଲାର ବିକାଶ ପାଇଁ ସେ କେତେକ ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକୀୟ ନିର୍ଦ୍ଦେଶ ଦେବାର କାର୍ଯ୍ୟକ୍ରମ ରହିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)ଲ୍

Leave A Reply

Your email address will not be published.