ଯାଜପୁର ଜିଲ୍ଲାରେ ଆଂଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ।

0 186

ଯାଜପୁର, ୧୩ /୦୭(ପିପିଟି): ମହିଳା ସଶକ୍ତିକରଣ, ସ୍ୱାବଲମ୍ବନ ଏବଂ ସାମାଜିକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ସଭାଗୃହରେ ଆଂଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଯାଜପୁର ସମେତ ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାର ବ୍ଲକ ଫେଡେରେସନ ସଦସ୍ୟାଗଣ, ଧର୍ମଶାଳା ବିଧାନସଭା କ୍ଷେତ୍ରର କମ୍ୟୁନିଟି ସପୋର୍ଟ ଷ୍ଟାଫ, ଅଙ୍ଗନବାଡି କର୍ମୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଭିଜନ ସମ୍ମିଳନୀର ଆୟୋଜନ କରାଯାଇଛି । ସୁଭଦ୍ରା ଯୋଜନା ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ଯୋଗାଇବାରେ ସୀମିତ ନୁହେଁ, ବରଂ ସେମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ଏକ ବୃହତ୍ ପଦକ୍ଷେପ । ମିଶନ ଶକ୍ତି ମାଧ୍ୟମରେ ଅଧିକରୁ ଅଧିକ ମହିଳାଙ୍କୁ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ । ବିକଶିତ ଓଡ଼ିଶାରେ ପ୍ରତ୍ୟେକ ମହିଳା ଜଣେ ଉଦ୍ୟୋଗୀ ହେବେ । ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ସଫଳ ଯୋଜନା, ଯାହା ଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇ ପାରିଛନ୍ତି । ସରକାର ମହିଳାମାନଙ୍କ ବ୍ୟବସାୟିକ ଅଭିବୃଦ୍ଧି ପାଇଁ ବିଭିନ୍ନ ସହାୟତା ଯୋଗାଇ ଦେଉଛନ୍ତି, ଯେଉଁଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏସଜି) ମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ଏବଂ ସ୍ମାର୍ଟ ଆଇଡିଆ ଲଂଚ କରି ବ୍ୟବସାୟ ପ୍ରତିଷ୍ଠା କରିବାରେ ଅନ୍ତର୍ଭୁକ୍ତ ହୋଇଛି । ସୁଭଦ୍ରା ଶକ୍ତି ମହିଳା ମାନଙ୍କ ପାଇଁ ବିଭିନ୍ନ ଉଦ୍ୟୋଗୀ କାମ ଦିଆସିଲି, ଝାଡୁ, ଖଲି, ଧୂପ କାଠି, ସାବୁନ, ସେଂଟ ଇତ୍ୟାଦି ତିଆରି କରିବାକୁ ପରାମର୍ଶ ଦେଇଥିଲେ । ମହିଳା ମାନଙ୍କ ଦ୍ୱାରା ବନା ଯାଇଥିବା ସ୍ୱଦେଶୀ ହସ୍ତଶିଳ୍ପ ବିଦେଶରେ ପ୍ରଭାବ ପକାଇଛି ବୋଲି କହିଥିଲେ । ଏଥିସହ ୨୦୩୬ ମସିହା ମଧ୍ୟରେ ଓଡ଼ିଶାକୁ ବିକଶିତ କରିବାକୁ ହେବ ବୋଲି କହିଥିଲେ । ବି.ଏଲ.ଏଫ୍ ଭଉଣୀ ମାନଙ୍କ ପାଇଁ ଇନସୁରାନ୍ସ ର ଆବଶ୍ୟକତା ଅଛି ବୋଲି କହିଥିଲେ । ଢେଙ୍କାନାଳର ଆମ୍ବ ଓ କାଜୁକୁ ପ୍ରୋତ୍ସାହନ ଦେବା ପାଇଁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ମହିଳାମାନେ ଆଗରୁ ସମାଜ ଆଖିରେ ଗୋଟେ ବୋଝ ହୋଇ ରହୁଥିଲେ । କିନ୍ତୁ ଆଜି ସେ ଦିନ ନାହିଁ ଆଜିର ମହିଳା ସଶକ୍ତ ଓ ଉଦ୍ୟୋଗୀ ବନି ପାରୁଛନ୍ତି । ସୁଭଦ୍ରା ଯୋଜନା କେବଳ ଏକ ଆର୍ôଥକ ସହାୟତା ନୁହେଁ, ଏହା ମା’ମାନଙ୍କ ଆତ୍ମସମ୍ମାନ ଓ ସ୍ୱାଭିମାନର ପ୍ରତୀକ । ଆମ ଓଡ଼ିଶାର ପ୍ରତିଟି ମା’ ଓ ଭଉଣୀଙ୍କ ଭିତରେ ଅସୀମ ସାମର୍ଥ୍ୟ ରହିଛି । ସେମାନଙ୍କୁ କେବଳ ସଠିକ୍ ସୁଯୋଗ ଓ ସହଯୋଗର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ । ଅତିଥି ଭାବେ ବିଧାୟକ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଆମ ଅଂଚଳର ପ୍ରତିଟି ମା’ ଓ ଭଉଣୀଙ୍କୁ ସଶକ୍ତ କରିବା ଆମର ସଂକଳ୍ପ । ସରକାରଙ୍କ ପ୍ରତିଟି ଯୋଜନା, ବିଶେଷ କରି ମହିଳା କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ତୃଣମୂଳ ସ୍ତରରେ ପହଁଚାଇବା ପାଇଁ ଆମେ ପ୍ରତିବଦ୍ଧ । ବିଶେଷକରି ସୁଭଦ୍ରା ଯୋଜନା ଯେପରି ପ୍ରତି ଯୋଗ୍ୟ ମହିଳା ପାଇପାରିବେ, ସେଥିପାଇଁ ଆମେ ପ୍ରଶାସନ ସହ ମିଶି କାରୁଛୁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ବିଧାୟକ କୋରେଇ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଆକାଶ ଦାସନାୟକ ଯୋଗଦେଇ ସୁଭଦ୍ରା ଯୋଜନା ଓଡ଼ିଶା ସରକାରଙ୍କ ଏକ ସଫଳ ଯୋଜନା, ଯାହା ଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହୋଇପାରିଛନ୍ତି । ମୂଜ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀଦେବୀ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମିଶନ ଶକ୍ତି ବିଭାଗ ଯୁଗ୍ମ ସଚିବ ମମତା ବାରିକ,ଜିଲ୍ଲା ଓ ବ୍ଲକ୍ ରୁ ଆସିଥିବା ବି.ଏଲ.ଏଫ୍‌, ଏସ. ଏଚ.ଜି ମହିଳା, ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପରିଶେଷରେ ଉପ ଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଉପମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଛକରେ ପହଁଚିବା ପରେ ଦଳୀୟ କର୍ମୀ ଓ ନେତାମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇ ଏକ ଶୋଭାଯାତ୍ରାରେ ଷ୍ଟାଡିୟମ ସଭାଗୃହ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।

Leave A Reply

Your email address will not be published.