ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଓ ପୁରୁଣା ବହିରେ ଶିକ୍ଷା ଦାନ ଆରମ୍ଭ କରିବା ଦାବୀରେ ଏସୟୁସିଆଇର ବିକ୍ଷୋଭ।
ଯାଜପୁର: ସୋମବାର ଏସୟୁସିଆଇ ଧର୍ମଶାଳା ବ୍ଲକ୍ କମିଟି ଉଦ୍ୟୋଗରେ ତୃଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଏବଂ ପୁରୁଣା ବହିରେ ପାଠ ପଢା ଦାବିରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏକ ଶୋଭାଯାତ୍ରା ଶାନ୍ତି ବଜାରଠାରୁଆରମ୍ଭ କରି ବଜାର ପରିକ୍ରମା କରି ଧର୍ମଶାଳା ବ୍ଲକ୍ ଠାରେ ଜିଲ୍ଲା କମିଟି ସଭ୍ୟ କମ୍ରେଡ ମଧୁମିତା ସାହୁଙ୍କ ସଭାପତିତ୍ବରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା।ଉକ୍ତ ବିକ୍ଷୋଭ ସଭା ରେ ରାଜ୍ୟ କମିଟି ସଦସ୍ୟ କମ୍ରେଡ ଅକ୍ଷୟ କୁମାର ଦାସ, ଜିଲ୍ଲା କମିଟି ସଭ୍ୟ କମ୍ରେଡ ଚୈତନ୍ୟ ସାହୁ, ଲକ୍ଷ୍ମୀଧର ମଲ୍ଲp,ମନୋଜ ସେଠୀ, ନାରାୟଣ ପରିଡ଼ା,ପ୍ରଭାତୀ ମଲିକ,ସ଼ଂଯୁକ୍ତା ସାହୁ ,ଦମୟନ୍ତି ମୁଦୁଲି, ପ୍ରଶାନ୍ତ ସ୍ବାଇଁ, ପବିତ୍ର ସାହୁ,ବିଚିତ୍ର ଦାସ,କବି ସେଠୀ ଜ୍ୟେର୍ତିମୟୀ ବେହେରା , ପ୍ରଶାନ୍ତ ମଲିକ, ଇତ୍ୟାଦି ବକ୍ତାମାନେ ତିବ୍ର ସମାଲୋଚନା କରି କହିଥିଲେ ଯେ ରାଜ୍ୟ ବିଜେପି ସରକାର ଜନମତକୁ ସମ୍ମାନ ପୂର୍ବକ ଚଳିତ ଶିକ୍ଷା ବର୍ଷ ପାଇଁ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ ପାଠ୍ୟପୁସ୍ତକର ତ୍ରୁଟି ଗୁଡିକୁ ସ୍ଵୀକାର କଲେ ମଧ୍ୟ ସେଗୁଡିକୁ ସଂପୂର୍ଣ ପ୍ରତ୍ୟାହାର କରିବା ପାଇଁ ଏବଂ ଚଳିତ ବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ସୁନିର୍ଦିଷ୍ଟ କୌଣସି କାର୍ଯ୍ୟକାରୀ ପଦକ୍ଷେପ ଏ ଯାଏ ଘୋଷଣା କରି ନାହାଁନ୍ତି ।
ଏନ୍.ଇ.ପି-୨୦୨୦ ଆଧାରରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ନାଁରେ ଆପଣଙ୍କ ସରକାର ଅତ୍ୟନ୍ତ ତରବରିଆ ଭାବେ ଏନ୍.ସି.ଇ.ଆର.ଟି ଦ୍ଵାରା ପ୍ରକାଶିତ ପାଠ୍ୟପୁସ୍ତକ ଗୁଡିକୁ ଏ.ଆଇ ସାହାଯ୍ୟରେ ଓଡିଆରେ ଅନୁବାଦ କରି ପ୍ରକାଶ କରିଛନ୍ତି । ଏ ସମସ୍ତ ପୁସ୍ତକ ଗୁଡିକରେ କେବଳ ବନାନଗତ ବା ତଥ୍ୟଗତ ତ୍ରୁଟି ନୁହେଁ ବରଂ ମୌଳିକ ବିଷୟର ବିକୃତି କରାଯାଇଛି । ଭାରତୀୟ ଜ୍ଞାନ ନାଁରେ ଅବୈଜ୍ଞାନିକ, ଅଯୌକ୍ତିକ ବିଷୟବସ୍ତୁ ଭର୍ତ୍ତି କରିବା ସହ କିଛି ପାଠ୍ୟକ୍ରମ ନୂତନ ଭାବରେ ଯୁକ୍ତ କରାଯାଇ ଅନାବଶ୍ୟକ ବୋଝ ଲଦି ହେବା ଯୋଗୁଁ ପ୍ରାଥମିକ ଶିକ୍ଷା ସଂପୂର୍ଣ ଧ୍ୱଂସ ହେବ ବୋଲି ରାଜ୍ୟବାସୀ ଦୃଢ ଭାବେ ମନେ କରନ୍ତି । ଏ ସମସ୍ତ ମୌଳିକ ତୃଟିର ମୂଳ ଉତ୍ସ ହେଉଛି ଏନଇପି- ୨୦୨୦ ଆଧାରରେ ଏନ୍ସିଇଆରଟି ଦ୍ଵାରା ପ୍ରକାଶିତ ପାଠ୍ୟପୁସ୍ତକ।
ପୁନଶ୍ଚ ସଂପ୍ରତି କେନ୍ଦ୍ର ସରକାରଙ୍କ ନିଷ୍ପରି ଅନୁଯାୟୀ ଆପଣଙ୍କ ସରକାର ଷଷ୍ଠ ଶ୍ରେଣୀରୁ ତ୍ରିଭାଷୀ ନୀତି ଲାଗୁ କରିବା ପାଇଁ ସମସ୍ତ ସ୍କୁଲ ଗୁଡିକୁ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହା ଆହୁରି ଉଦ୍ବେଗଜନକ । ଏହି ଭାଷା ନୀତି ଅନୁଯାୟୀ ଓଡିଆ ଏବଂ ଇଂରାଜୀ ଭାଷା ଶିକ୍ଷାକୁ ସଂପୂର୍ଣ ଇଚ୍ଛାଧ୍ୱନ କରାଯାଇଛି । ଓଡିଆ ଅସ୍ମିତାର କଥା କହି କ୍ଷମତାକୁ ଆସିଥିବା ଆପଣଙ୍କ ସରକାର ଏକ ଦିଗରେ ମାତୃଭାଷା ଓଡିଆକୁ ନେଇ ଗୁରୁତର ସଂକଟ ସୃଷ୍ଟି କରିଛନ୍ତି ଓ ଅନ୍ୟଦିଗରେ ଇଂରାଜୀକୁ ସଂପୂର୍ଣ ଗୁରୁତ୍ୱହୀନ କରିଛନ୍ତି। ଏହା ସର୍ବଜନ ସ୍ଵୀକୃତ ଯେ ଭାଷା ହେଉଛି ଚିନ୍ତାର ବାହାକ। ଏଣୁ ଭାଷା ଶିକ୍ଷାକୁ ଗୁରୁତ୍ବହୀନ କରାଯିବା ଦ୍ଵାରା ଛାତ୍ରଛାତ୍ରମାନଙ୍କ ଚିନ୍ତା ପ୍ରକ୍ରିୟା ଏବଂ ଭବିଷ୍ୟତ ପାଠପଢା ସଂପୂର୍ଣ ଧ୍ୱଂସ ହେବ ବୋଲି ଦୃଢୋକ୍ତି ପ୍ରକାଶ ପାଉଛି ।
ତେଣୁ ଚଳିତ ବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ନଦେଇ ଅବିଳମ୍ବେବିକୃତ ତ୍ରୁଟିଯୁକ୍ତ ପାଠ୍ୟପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା, ଚଳିତ ବର୍ଷ ପୁରୁଣା ବହିରେ ପାଠ ପଢା ଆରମ୍ଭ କରିବା,ଅବୈଜ୍ଞାନିକ ଭାଷା ଶିକ୍ଷା ନୀତିକୁ ତୁରନ୍ତ ପ୍ରତ୍ୟାହାର କରିଵା,ଆସନ୍ତା ଶିକ୍ଷା ବର୍ଷ ପାଇଁ ଅବିଳମ୍ବେ ଗଣତାନ୍ତ୍ରିକ ପଦ୍ଧତିରେ ବିଷୟଭିତ୍ତିକ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରି ବିଜ୍ଞାନସମ୍ମତ ତୃଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଇ ଦେବା, ଏନ୍.ଇ.ପି-୨୦୨୦ କୁ ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଆମେ ଦୃଢ ଭାବେ ଦାବି ଉପସ୍ଥାପନ କରୁଅଛୁ।ଶେଷରେ ଏକ ସ୍ମାରକ ପତ୍ର ବି.ଡ଼ି.ଓ. ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରଦାନ କରାଯାଇଥିଲା।