ସରପଞ୍ଚଙ୍କୁ ତାଲା ପକାଇଲେ ମହାସଂଘ ।

0 1

ଯାଜପୁର୦୩/୦୭(ପିପିଟି):ଦାନଗଦି ବ୍ଲକ୍ ଅନ୍ତର୍ଗତ ମାଣତିରା ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମହାଲକ୍ଷ୍ମୀ ମହାସଂଘ ର ଶତାଧିକ ମହିଳା ମାନତୀରା ପଞ୍ଚାୟତ ସରପଞ୍ଚ ଓ ପିଇଓ ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଥିବାର ଦେଖିବାକୁ ମିଳିଛି।ସୂଚନା ମୁତାବକ ମହାଲକ୍ଷ୍ମୀ ମହାସଂଘ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଭିତରେ ଏକ ଗୃହରେ ଅଫିସ କାର୍ଯ୍ୟ କରି ଆସୁଥିଲା।ଉକ୍ତ ଗୃହରେ ମହାସଂଘ ୨୦୧୨ ମସିହାରୁ ନିଜର କାର୍ଯ୍ୟାଳୟ କରି ଆସୁଛି।ମାତ୍ର ଦିନକୁ ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଅନେକ ଅତିରିକ୍ତ ଗୃହ ହେବା ଦ୍ଵାରା ମହାସଂଘ ଅଫିସ ଘର ସଙ୍କୁଚିତ ଅବସ୍ଥାରେ ରହିଛି।ସେହି ଗୃହ ଏକ ପରିତ୍ୟକ୍ତ ଗୃହ ପାଲଟିଛି।ଯାହା କାର୍ଯ୍ୟାଳୟ ପାଇଁ ଉପଯୁକ୍ତ ନୁହେଁ।ମହାସଂଘ କୁ ଏକ ନୂତନ ଗୃହ ଯୋଗାଇ ଦେବାକୁ ସଂଘ ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କରିଛି।ମାତ୍ର ସରପଞ୍ଚ ଏହାକୁ ଭ୍ରୁକ୍ଷେପ କରିନାହାନ୍ତି।ପରେ ମହାସଂଘ ଏହି କଥାକୁ ନେଇ ଦାନଗଦି ବିଡ଼ିଓଙ୍କୁ ଜଣାଇଥିଲେ ବୋଲି ସଂଘ କହିଛି।ବିଡ଼ିଓ ମଧ୍ୟ ସଂଘକୁ ଏକ ଗୃହ ଦେବା ପାଇଁ ସରପଞ୍ଚ ଙ୍କୁ କହିଥିବାର ମହାସଂଘ ଦାବି କରୁଛି।ମାତ୍ର  ବିଡ଼ିଓ ଙ୍କ କଥା କୁ ସରପଞ୍ଚ ଶୁଣିନଥିଲେ ବୋଲି ସଂଘ ଅଭିଯୋଗ କରିଛି ।ଫଳରେ ନିଜ ଅଫିସ ଘର ପାଇଁ ସଂଘକୁ ବାର ଦ୍ୱାର ହେବାକୁ ପଡ଼ିଛି।ଫଳରେ ଆଜି  ମହାସଂଘର ଶତାଧିକ ମହିଳା ମାନେ ଉତ୍ୟକ୍ତ ହୋଇ  ସରପଞ୍ଚ ଓ ପିଇଓଙ୍କୁ ତାଙ୍କ  କାର୍ଯ୍ୟାଳୟ ଭିତରେ ତାଲା ପକାଇ ରଖିଥିଲେ। ଅନେକ ଘଣ୍ଟା ଧରି ସରପଞ୍ଚ କାର୍ଯ୍ୟାଳୟ ଭିତରେ ବନ୍ଦ ହୋଇ ରହିଥିବାର ଦେଖିବାକୁ ମିଳିଥିଲା।ପରେ ସୂଚନା ପାଇ ଜଖପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହାସଂଘର ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ସରପଞ୍ଚ ଓ ପିଇଓଙ୍କୁ ଉଦ୍ଧାର କରିଥିଲା।

Leave A Reply

Your email address will not be published.