ପୋଲସରା,୨୧/୦୬(ପିପିଟି): ପୋଲସରା ସ୍ଥିତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଦ୍ବାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏନସିସି ଲେଫ୍ଟନାଣ୍ଟ୍ ବିନତା କୁମାରୀ ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦିଲ୍ଲୀପ କୁମାର ନାୟକ ଏବଂ ବର୍ତ୍ତିନୀ ବିଜ୍ଞାନ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ଯୋଗ ପ୍ରଶିକ୍ଷକ ମନୋଜ କୁମାର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମୁଖ୍ୟଅତିଥି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଉପସ୍ଥିତ ଏନସିସି ଛାତ୍ରୀମାନଙ୍କୁ ନିୟମିତ ବ୍ୟାୟାମ କରିବା ଦ୍ଵାରା ଶରୀର ସୁସ୍ଥ ଓ ନିରୋଗ ରହିବା ସହିତ ବ୍ୟକ୍ତିର ଧୈର୍ଯ୍ୟ, ସାହାସ ଓ ଶୃଙ୍ଖଳା ଜ୍ଞାନ ବଢିଥାଏ ବୋଲି କହିଥିବା ବେଳେ ଲେଫ୍ଟନାଣ୍ଟ୍ ଦାସ ଏବଂ ଅଧ୍ୟାପକ ସାହୁ ଯୋଗର ମହତ୍ତ୍ଵ ଏବଂ ଲାଭ ଉପରେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ମାଧ୍ୟମରେ ଦିଗଦର୍ଶନ ଦେଇଥିଲେ। ପରେ ଅତିଥୀ ତଥା ଅଧ୍ୟାପକ ସାହୁ ଛାତ୍ରୀ ଏବଂ ଅନ୍ୟମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ପ୍ରତିଦିନ ଅନ୍ତତଃ ପ୍ରାତଃ ଓ ସନ୍ଧ୍ୟା ସମୟରେ ନିୟମିତ ଯୋଗାଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଦୀପକ କୁମାର ସ୍ୱାଇଁ, ବାଇଲୋଜି ଡେମୋନଷ୍ଟେଟର ସୁଜତା ରାଣୀ ବେହେରା , ଗଣିତ ବିଭାଗ ଅଧ୍ୟାପିକା ସୁମିତା ରାଉତ ଯୋଗଦାନ କରି ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ଶେଷରେ ଲେଫ୍ଟନାଣ୍ଟ୍ ଦାସ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା