ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି: ଜିଲ୍ଲା ପରିଷଦରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ, ସମସ୍ତ ଲାଇନ ବିଭାଗକୁ ନେଇ ଜନସମ୍ପର୍କ ଯାତ୍ରା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ।

0 0

ମାଲକାନଗିରି,୧୧/୦୬(ପିପିଟି):ରାଜ୍ୟ ସରକାରଙ୍କ ସଫଳ ଶାସନର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ଜିଲ୍ଲାରେ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଏକ ମେଗା ବ୍ଲୁ-ପ୍ରିଣ୍ଟ ପ୍ରସ୍ତତ କରାଯାଇଛି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା, ସଫଳତା ଓ ପ୍ରଗତିର ଚିତ୍ରକୁ ପ୍ରତିଟି ଗାଁ ଏବଂ ପ୍ରତିଟି ପରିବାର ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ଏକ ବ୍ୟାପକ ଜନସମ୍ପର୍କ ଯାତ୍ରା ଓ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିଷଦର ମୁଖ୍ୟ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ସରକାରଙ୍କ ଦୁଇ ବର୍ଷର ସଫଳତାକୁ କେବଳ ପ୍ରଚାର ମଧ୍ୟରେ ସୀମିତ ନରଖି, ଏହା ମାଧ୍ୟମରେ ତୃଣମୂଳ ସ୍ତରର ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରାଯିବ। ବିଶେଷ କରି ଗ୍ରାମାଞ୍ଚଳରେ ଦୀର୍ଘ ଦିନ ଧରି ରହିଆସିଥିବା ବିଭିନ୍ନ ମୌଳିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକର ସ୍ଥାୟୀ ସମାଧାନ ଦିଗରେ ପ୍ରଶାସନ ତୁରନ୍ତ ଦୃଢ଼ ପଦକ୍ଷେପ ନେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।ଏହି ବ୍ୟାପକ ଜନସମ୍ପର୍କ ଅଭିଯାନ ଆଗାମୀ ୧୨ ତାରିଖରୁ ଗ୍ରାମ ପଞ୍ଚାୟତ ଏବଂ ବ୍ଲକ୍ ସ୍ତରରୁ ଆରମ୍ଭ ହେବାକୁ ଯାଉଛି। ତୃଣମୂଳ ସ୍ତରରେ ଲୋକଙ୍କୁ ଯୋଡ଼ିବା ପାଇଁ ପ୍ରତ୍ୟେକ ଦିନ କିଛି ନା କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହା ମାଧ୍ୟମରେ ସରକାରଙ୍କ ଯୋଜନାର ସଫଳ ରୂପାୟନ ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ବୁଝାଯିବ। ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ପରେ ଆଗାମୀ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ୍ ମାନ ପ୍ରସ୍ତତ କରାଯାଇ ଭବ୍ୟ ପ୍ରଦର୍ଶନୀର ଆୟୋଜନ କରାଯିବ। ଏହି ଷ୍ଟଲଗୁଡ଼ିକ ମାଧ୍ୟମରେ ସାଧାରଣ ଜନତା ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସଫଳତା ବିଷୟରେ ସହଜରେ ଜାଣିପାରିବେ ଏବଂ ଏହାର ଲାଭ କିଭଳି ନେବେ ସେ ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ। ଏହା ସହିତ ଏହି ମେଗା କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଯୋଜନାରେ ସାମିଲ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ପ୍ରକାରର ସରକାରୀ ସହାୟତା, ଭତ୍ତା ଓ ସୁବିଧା ସୁଯୋଗ ମଧ୍ୟ ସିଧାସଳଖ ବଣ୍ଟନ କରାଯିବ।ଏହି ସମାବେଶରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ଯୋଗଦେଇ ଆଗାମୀ ଜନସମ୍ପର୍କ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଯାତ୍ରା ସମୟରେ କେଉଁ କେଉଁ ଅଞ୍ଚଳକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ଏବଂ କିଭଳି ସରକାରଙ୍କ ସମସ୍ତ ଗ୍ରାମୀଣ ଯୋଜନାକୁ ଲୋକଙ୍କ ପାଖରେ ସହଜରେ ବୁଝାଯାଇପାରିବ, ସେ ସମ୍ପର୍କରେ ସେ ରଣନୀତି ଉପସ୍ଥାପନ କରିଥିଲେ।ଏହି ବୈଠକରେ ଜିଲ୍ଲାର ସମସ୍ତ ଲାଇନ ବିଭାଗର ମୁଖ୍ୟ, ଯେପରିକି ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ସମାଜ ମଙ୍ଗଳ ବିଭାଗର ବରିଷ୍ଠ ଅଧିକାରୀମାନେ ପୂର୍ଣ୍ଣ ସଂଖ୍ୟାରେ ଉପସ୍ଥିତ ଥିଲେ। ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି ପ୍ରଦର୍ଶନୀ, ହିତାଧିକାରୀଙ୍କୁ ସହାୟତା ବଣ୍ଟନ ଏବଂ ଜନସମ୍ପର୍କ ଯାତ୍ରାକୁ ଏକ ମେଗା ସଫଳତାରେ ପରିଣତ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.