ବୋଲଗଡ଼,୦୫/୦୬(ପିପିଟି):ବିଶ୍ୱ ପରିବେଶ ଦିବସରେ ତାଳଗଛ ଏବଂ ବାଇଚଢେଇ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗଭୀର ଏବଂ ପ୍ରେରଣା ଦାୟକ। ପରିବେଶ ସନ୍ତୁଳନ ଏବଂ ଜୈବ ବିବିଧତା ଦୃଷ୍ଟିରୁ ଏମାନଙ୍କ ମହତ୍ତ୍ୱ ବହୁ ଗୁରୁତ୍ବପୂର୍ଣ୍ଣ। କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ ପରିମାଣରେ ରୋକିଥାଏ। ପରିବେଶ ସୁରକ୍ଷା ଓ ସନ୍ତୁଳନର ଅଭାବ ଯୋଗୁ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି। ଏପରି ସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସହାୟକ ତାଳଗଛ ଲୋପ ପାଇବାରେ ଲାଗିଛି। ଗଛ କାଟିବା ଯୋଗୁ ପ୍ରକୃତି ଉପରେ ଗୁରୁତର ପ୍ରଭାବ ପଡୁଛି। ପ୍ରକୃତିର କୋପରେ ବାତ୍ୟା ବନ୍ୟା ହେବା ସହିତ ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅଞ୍ଚଳରେ ତାଳଗଛ ରୋପଣ ପାଇଁ ‘ତାଳମିଶନ’ ଆରମ୍ଭ କରିଥିଲେ। କିନ୍ତୁ ସରକାରୀ ଯୋଜନା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଗଛଗୁଡ଼ିକ ଲୋପ ପାଇବାରେ ଲାଗିଛି। ତାଳଗଛ କେବଳ ପ୍ରାକୃତିକ ସୁରକ୍ଷା ନୁହେଁ, ଓଡ଼ିଆ ସଂସ୍କୃତିର ମଧ୍ୟ ପ୍ରତୀକ। ବିଶେଷ କରି ରଜ, ସାବିତ୍ରୀ ପର୍ବରେ ତାଳ ସଜକୁ ଭୋଗ ଭାବେ ବ୍ୟବହାର କରାଯାଇଥାଏ। ଗ୍ରୀଷ୍ମ ସମୟରେ ତାଳସଜ ପଥଚାରୀଙ୍କ ଭୋକଶୋଷ ମେଣ୍ଟାଇଥାଏ। ତାଳପତ୍ରରେ ବିଞ୍ଚଣା, ଛତା ଭଳି ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ପାଚିଲା ତାଳରୁ ମଧ୍ୟ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ମାତ୍ର ଆଧୁନିକତାର ଛାପରେ ବର୍ତ୍ତମାନର ପିଢ଼ି ଏହି ପ୍ରକୃତି ଦତ୍ତ ଖାଦ୍ୟ ଖାଉ ନାହାନ୍ତି। ମାତ୍ର ଜୀବଜଗତର ସୁରକ୍ଷା ପାଇଁ ପ୍ରକୃତିର ସୁରକ୍ଷା ଅତ୍ୟାବଶ୍ୟକ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି। ପକ୍ଷୀ ପ୍ରେମୀ ମାନଙ୍କ କହିବା ଅନୁସାରେ ସାଧାରଣତଃ ବାଇଚଢେଇ ମାନେ ତାଳ ଗଛର ବାହୁଙ୍ଗା ବରଡା ପତ୍ରରେ ନିଜର ଚମତ୍କାର ଏବଂ କଳାତ୍ମକ ବସା ତିଆରି କରି ଥାଆନ୍ତି। ଝଡ଼ ବର୍ଷା ସମୟରେ ତାଳଗଛର ଦୃଢ଼ତା ଏହି ଚଢେଇ ମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ। ତାଳଗଛ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରି ପରିବେଶକୁ ସ୍ୱଚ୍ଛ ରଖେ ଏବଂ ବାଇଚଢେଇ ମାନେ କୀଟପତଙ୍ଗ ଖାଇ ଫସଲକୁ ସୁରକ୍ଷା ଦେଇଥାନ୍ତି। ବର୍ତ୍ତମାନ ପରିବେଶରେ ତାଳଗଛ କମିଯିବା ଫଳରେ ବାଇଚଢେଙ୍କ ବସା ନିର୍ମାଣରେ ବାଧା ସୃଷ୍ଟି ହେଉଛି। ତେଣୁ ପରିବେଶ ସୁରକ୍ଷା ପାଇଁ ତାଳଗଛ ସଂରକ୍ଷଣ ଓ ବୃକ୍ଷରୋପଣ ଅତ୍ୟନ୍ତ ଜରୁରୀ ଅଟେ। ପରିବେଶ ହେଉଛି ଆମ ଜୀବନର ମୂଳ ଆଧାର, ସ୍ୱଚ୍ଛ ବାୟୁ, ନିର୍ମଳ ଜଳ ଏବଂ ସବୁଜ ପ୍ରକୃତିର ସୁରକ୍ଷା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ବ ହେବା ଆବଶ୍ୟକ ହେବା ସହିତ ବିଶ୍ୱ ପରିବେଶ ଦିବସରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା। ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ହିଁ ଆଗାମୀ ପିଢ଼ି ପାଇଁ ଆମର ସର୍ବୋତ୍ତମ ଉପହାର ହେବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।