ମାଲକାନଗିରି,୦୩/୦୪(ପିପିଟି):ମାଲକାନଗିରି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆଜି ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲିଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଜିଲ୍ଲାରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଏକ ଦାବିପତ୍ର ପ୍ରଦନ କରାଯାଇଛି। ମାଲକାନଗିରି ଜିଲ୍ଲାରେ ୨୫ଟି ବାଲି ଘାଟ ମଧ୍ୟରୁ ମାତ୍ର ୮ଟି ଘାଟର ଲିଜ୍ ବୈଧ ରହିଛି । ଅନ୍ୟ ଘାଟର ଲିଜ୍ ଅବଧି ସରି ଯାଇଥିଲେ ମଧ୍ୟ ମାଫିଆମାନେ ଏହି ସବୁ ବାଲିଘାଟ ରୁ ଦିନକୁ ଦିନ ଶହ ଶହ ଗାଡ଼ି ବାଲି ଲୁଟ କରୁଛନ୍ତି । କିଛି ଅସାଧୁ ମେଣ୍ଟ ଏହି ରାକେଟକୁ ଚଲାଉଥିବା ବେଳେ ଖଣି ବିଭାଗର କର୍ମଚାରୀ ମାନଙ୍କ ସହିତ ସଲାସୁତୁରା ଯୋଗୁଁ ବାଲି ମାଫିଆଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । କର୍ମଚାରୀ ଅଭାବ ଦର୍ଶାଇ ଚଡଢାଉ କରାଯାଉନଥିବାରୁ ମାଫିଆମାନେ ବାଲି ଚୋରାଚାଲାଣ କରି ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି । କିଛି ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ବେଳେ ଖଣି ବିଭାଗ ଜବତ କରି ଗୋଟିଏ ସ୍ଥାନରେ ଗଚ୍ଛିତ କରି ସ୍ପଟ ଅକ୍ସନ ମାଧ୍ଯମରେ ପୁଣି ସେହି ବାଲିକୁ ରୟାଲଟି ଓ ପେନାଲ୍ଟି ରସିଦ କାଟି ମାଫିଆଙ୍କୁ ଦିଆ ଯାଉଛି । କିଛି ଘାଟ ଏମିତି ରହିଛି ଯାହା ଖଣି ବିଭାଗର ନଜରରେ ଓ ରେକର୍ଡରେ ନାହିଁ । ଜିଲ୍ଲାର ଶିଖପାଲ୍ଲୀ, କମଳାପଦର, ଚିତାପାରି, ଗୋବିନ୍ଦପାଲ୍ଲୀ, ଗୋଟିଗୁଡା, ଗଙ୍ଗରାଜଗୁମ୍ମା, ଖଇରାପାଲ୍ଲୀ ଏବଂ ଚାଉଳମେନ୍ଦି ବାଲି ଘାଟର ଟେଣ୍ଡର ହୋଇଥିବା ବେଳେ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ବୈଧ ରହିଛି । ଘାଟ ଗୁଡିକ ରେ ବାଲି ପରିମାଣ କମ ଥିବାରୁ ଅଧିକାଂଶ ଘାଟ ବନ୍ଦ ପଡିଛି। ଲିଜ୍ ହୋଇନଥିବା ମାଫିଆମାନେ ଘାଟରୁ ବାଲି ଅବାଧରେ ଚୋରାଚାଲାଣ କରୁଛନ୍ତି । ବିଳମ୍ବିତ ରାତିରେ ଶତାକ ଟିପର ବାଲି ଚୋରାଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କୁ ନିର୍ମାଣ କାର୍ଯ୍ୟ ଲାଗି ବାଲି ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଯେଉଁ ବାଲି ଚୋରାରେ ମିଳୁଛି ତାହାର ଆକାଶ ଛୁଆଁ ଦର ହୋଇଥିବାରୁ ସ୍ଥାନୀୟ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି କି ଆବାସ ଯୋଜନାରେ କୌଣସି ହିତାଧିକାରୀ ଟ୍ରାକ୍ଟରରେ ବାଲି ନେଉଥିବା ବେଳେ ପୋଲିସ ପ୍ରଶାସନ ଟ୍ରାକ୍ଟରକୁ ଜବତ କରୁଛି । ଫଳରେ ଆବାସ ଘର କାମ ଅଗ୍ରଗତି ହୋଇପାରୁନାହିଁ। ଅନ୍ୟପକ୍ଷେ ଜିଲ୍ଲାରେ ରହିଥିବା ଓର୍କେଲ, ଗିରକାନପଲ୍ଲୀ, ସାଧନା ପାଲ୍ଲୀ, ତମାନପାଲ୍ଲୀ, ତେଲିଗୁଡା, ଭେଙ୍କେଟପାଲମ,ମହେଶ୍ୱରପୁର, ଚିତୁପାଲ୍ଲୀ-ଏ, ଚିତୁପାଲ୍ଲୀ-ବି. କୋଡେଲ ମେଟଲା, ପୁଲିମେଟଲା, ମାଳିଗୁଡା, ପାଙ୍ଗାମ, ପୋଡାଗୁଡା, ମେକା, ଧୂଙ୍ଗିଆପୁଟ ଏବଂ ମୋଟୁ ବାଲିଘାଟର ଟେଣ୍ଡର ଖଣି ବିଭାଗ ଆଜି ପର୍ଯ୍ୟନ୍ତ କାହିଁକି କରୁନାହିଁ ,ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ମାଲକାନଗିରି ଜିଲ୍ଲା ଯୁବ ବିଜେଡି ଓ ଛାତ୍ର ବିଜେଡି ତରଫରୁ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ସଂପୃକ୍ତ ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । ନ ହେଲେ ଆଗାମୀ ୧୫ ଦିନ ମଧ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କୁହାଯାଇଛି । ଦାବି ପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ସମ୍ପାଦକ କେ .ରାହୁଲ , ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ , ମାଲକାନଗିରି ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଯୁବ ବିଜେଡି ନେତା ସୁଦର୍ଶନ କୋପେ ,ସତ୍ୟଜିତ ଗୌଡ଼ ,ରାକେଶ ମଣ୍ଡଳ ,ଗୌରଭ ଶଗଡ଼ିଆ ,ଅଜୟ ବାଘ , ଶୁଭ୍ରାଂଶୁ ପରିଛା ,ଦେବାନନ୍ଦ ଖିଲଙ୍କ ସହିତ ଯୁବ ବିଜେଡି ଓ ଛାତ୍ର ବିଜେଡିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)