ମନୁଷ୍ୟ ଜନମ ପାଇ ପଶୁ ଠାରୁ ହିନ
କର ତୁମେ ଅପରାଧ ବୁଦ୍ଧି ଜ୍ଞାନ ଶୂନ୍ୟ !!
କାହାକୁ କରୁଛ ହତ୍ୟା କରେ କରବାଳ
ପାଷାଣ ହୃଦୟ ତୁମ ବିବେକ କରାଳ !!
ନିର୍ମମ ପ୍ରହାର କରି କର ରକ୍ତ ସ୍ରାବ
ଦୟା ମାୟା ଶୂନ୍ୟ ଚିତ ରାକ୍ଷସ ସ୍ବଭାବ !!
ଅବଳା ଯୁବତୀ ଅବା ମାତୃ ଜାତି ପାଇଁ
କାହିଁକି କଠୋର ହୃଦେ ଦୟା ମିଳେ ନାହିଁ !!
କାହାର ଇଜ୍ଜତ ସହ ଖେଳୁଅଛ ଖେଳ
ଧିକ ଧିକ ନର ଜନ୍ମ ମନ୍ଦ ବୁଦ୍ଧି ଖଳ !!
ପରସ୍ବ ହରଣ କରି ଦେଖାଅ ବଳିଷ୍ଠ
ମାନବ ଖୋଳରେ ତୁମେ ପଶୁ ଠୁ ନିକୃଷ୍ଟ !!
ଠକ ଭଣ୍ଡ ସଇତାନ ମିଛୁଆ ଲାଞ୍ଚୁଆ
କପଟୀ କୃପଣ ପଣ ଅଟେ ଯେ ଖଚୁଆ !!
ମିଥ୍ୟାବାଦୀ ଈର୍ଷା ହିଂସା ପରଶ୍ରୀକାତର
ଦୁର୍ଗୁଣର ଗନ୍ତାଘର ପତିତ ଇତର !!
କୁଳାଙ୍ଗାର ପିତୃ ହନ୍ତା ଭାତୃର ବଇରୀ
ବଂଶ ନାଶ ପୁତ୍ର ଜାତ ନର୍କ ସମ ସରି !!
ମଦ ମାଂସ ଭକ୍ଷଣ କରଇ ବେଶ୍ୟା ପ୍ରୀତି
ଏମିତି ନର ସମାଜେ ଆଣେ ଅପକୀର୍ତ୍ତି !!
ନାନା ଅପରାଧେ ଯିଏ ହୋଇଣ ଜଡିତ
ସଂସାରେ ବଞ୍ଚି କି ଲାଭ କୁହ ହେ ପଣ୍ଡିତ !!
ନର ଜନ୍ମ ପାଇ ଯଦି ନଥିବ ସଂସ୍କାର
ସରୀସୃପ ପଶୁ ଭଳି ଅଟଇ ଇତର !!
ଏମିତି ମନୁଷ୍ୟର ଯଦି ହୁଅଇ ମରଣ
ଆନନ୍ଦରେ କରତାଳି ମାରନ୍ତି ତକ୍ଷଣ !!
ଭଲ ହେଲା ମୃତ୍ୟୁ ହେଲା ବୋଲି ଏକମୁଖ
ନାରାୟଣଙ୍କୁ ପ୍ରଣାମ କରନ୍ତି ଯେ ଲୋକ !!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)