“ନାରୀ ଅଧିକାର ଅଭିଯାନ” ବିଶାଳ ରାଲିରେ ସାମିଲ ହେଲେ ୩ ହଜାରରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ।

0 269

ପୋଲସରା,୨୯/୦୫ (ପିପିଟି) : ରାଜ୍ୟ ରେ ହେଉଥିବା ନାରୀ ପ୍ରତି ଅଣଦେଖା, ମହିଳା ସଂରକ୍ଷଣ ଅଧିନିୟମ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ମହିଳାଙ୍କ ପ୍ରତି ବଢିଚାଲିଥିବା ନୃଶଂସ ନିର୍ଯାତନା ବନ୍ଦ କରି ଦୃଢ ପଦକ୍ଷେପ ନେବାପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ। ପୂର୍ବତନ ମନ୍ତ୍ରୀ ତଥା ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶକ୍ରମେ ପୋଲସରା ବ୍ଲକ ସଭାପତି ସୁରେନ୍ଦ୍ରନାଥ ପ୍ରଧାନଙ୍କ ସଭାପତିତ୍ବରେ “ନାରୀ ଅଧିକାର ଅଭିଯାନ” ଜରିଆରେ ଏକ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଓ କୋଦଳା ଏନଏସି ର ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ଯୋଗଦେଇ ପୋଲସରାର ଖେଳ ପଡିଆ ଠାରୁ ଏକ ବିଶାଳ ରାଲିରେ ମୁଖ୍ୟ ସଡ଼କ ଦେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଜେପି ପାର୍ଲିଆମେଣ୍ଟରୁ ଆରମ୍ଭ କରି ବିଧାନସଭା ସବୁଆଡେ ନାରୀ ଅଧିକାର ଓ ସଶକ୍ତିକରଣ କରିଛି ବୋଲି ବଡ଼ ବଡ଼ ଭାଷଣ ବାଜି କରୁଛି। ୨୦୨୩ ମସିହାରେ ବିଜେଡି ସହମତିରେ ପାସ୍ ହୋଇଥିବା ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ କୁଆଡେ ଗଲା, ବିଜେପି ସରକାର ରାଜ୍ୟରେ ଆସିବା ପରେ ଦୁଇ ବର୍ଷ ଧରି ନାରୀ ପ୍ରତି ହିଂସା, ଯୌନ ଉତ୍ପୀଡନ ବୃଦ୍ଧି ପାଇଛି।ଏନସିଆରବି ରିପୋର୍ଟ ଅନୁଯାୟୀ ଯୌନ ନିର୍ଯାତନା କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନ, ପ୍ରତ୍ୟେକ ଦିନ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମହିଳାଙ୍କୁ ହତ୍ୟା ଭଳି ଅମାନୁଷିକ କାଣ୍ଡ ଘଟି ଚାଲିଛି। ରାଜ୍ୟ ସରକାରଙ୍କ ଅପାରଗତା,ବିଫଳତା ତଥା ଅପରାଧ ନିୟନ୍ତ୍ରଣ ଚରମ ଉଦାସୀନତା ହେତୁ ମହିଳା ହିଂସାକାଣ୍ଡ ଓ ଯୌନ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ୪୮ ହଜାର ରେକର୍ଡ କରାଯାଇଛି। ହିଞ୍ଜିଳିକାଟୁରେ ତିନି ବର୍ଷର ଶିଶୁ କନ୍ୟା ସାମ୍ନାରେ ମା କୁ ମାରିବା,ବାଲିଅନ୍ତାରେ ବୃଦ୍ଧା ମା ର ଏକମାତ୍ର ପୁଅକୁ ପୋଲିସ ସମ୍ମୁଖରେ ମାରିବା, ବରଗଡ଼ରେ କାର୍ଯ୍ଯରତ ଶିକ୍ଷୟିତ୍ରୀଙ୍କୁ ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ଯୌନ ନିର୍ଯାତନା, ବାଲିପାଟଣାରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯିବା ଭଳି ହିଂସା, ଦୈନଦିନ ବ୍ରହ୍ମପୁର ସହର ସହିତ ପୋଲସରା ସହରରେ ବଢୁଥିବା ଘଟଣାରେ ସରକାରଙ୍କ ଉପରୁ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ବାସ ଉଠି ଯାଇଛି।ଏହା ସହିତ ପୋଲସରା ନିର୍ବାଚନ ମଣ୍ଡଳୀରେ ବ୍ଳକ ଓ ପୋଲିସ ପ୍ରଶାସନ ଦ୍ବାରା ବିଜେଡି କର୍ମୀଙ୍କୁ ଅଯଥାରେ ଥାନାରେ ଅଟକ ରଖିବା, ପଞ୍ଚାୟତର ଜନପ୍ରତିନିଧିଙ୍କ ବିଲ୍ ନ କରିବା ଭଳି ବିଷୟ ପୋଲସରା ବିଧାୟକ ତଥା ମନ୍ତ୍ରୀ ଏବଂ ବିଜେପି କର୍ମୀ ମାନଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ନେଇ ପ୍ରକାଶ ପାଇଥିଲା।୨୦୨୩ ମସିହାରେ ପାର୍ଲ୍ୟାମେଣ୍ଟରେ ଗୃହିତ ମହିଳା ସଂରକ୍ଷଣ ବିଲକୁ ଆଇନରେ ପରିଣତ,ଗତ ଦୁଇ ବର୍ଷ ମଧ୍ୟରେ କ୍ରମାଗତ ଭାବେ ବଢିଚାଲିଥିବା ନାରୀ ନିର୍ଯାତନାରେ ରୋକ ଲଗାଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ଜରିଆରେ ଏକ ଦୁଇ କିତା ଲିଖିତ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡ଼ା, ଏନ୍ ଏ ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ,ଝୁନୁ ଦାସ, ବୁଗୁଡ଼ା ଏନ୍ ଏ ସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ, ବ୍ଳକ ସଭାପତି ଖଦାଳ ଖଟେଇ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ,ଜନପ୍ରତିନିଧି ସମେତ ୩ ହଜାରରୁ ଉର୍ଦ୍ଧ୍ବ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.