ବେଲଗୁଣ୍ଠା,୦୬/୧୧(ପିପିଟି): ବେଲଗୁଣ୍ଠା ବ୍ଲକ୍ ବଡ଼ପଡ଼ା ପଞ୍ଚାୟତର ସମିତିସଭ୍ୟ ତଥା ଅଞ୍ଚଳର ଜଣାଶୁଣା ରାଜନେତା ପୀତବାସ ସାହୁଙ୍କ ଶୁକ୍ରବାର ସକାଳ ସାଢ଼େ ୬ଟା ସମୟରେ ବ୍ରହ୍ମପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବଡ଼ପଡ଼ା ସମେତ ସମଗ୍ର ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସ୍ୱର୍ଗତ ସାହୁ ୧୯୯୦ ମସିହାରୁ ସକ୍ରିୟ ରାଜନୀତିରେ ଯୋଗଦେଇ ଦୀର୍ଘ ୩୬ ବର୍ଷ ଧରି ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ବଡ଼ପଡ଼ା ପଞ୍ଚାୟତର ସରପଞ୍ଚ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ନିଜର ରାଜନୈତିକ ଅଭିଜ୍ଞତା ଓ ଜନସମ୍ପର୍କ ପାଇଁ ସେ ବେଲଗୁଣ୍ଠା ବ୍ଲକ୍ର ଜଣେ ଆଗଧାଡ଼ିର ରାଜନେତା ଭାବେ ପରିଚିତ ଥିଲେ।ତାଙ୍କ ବିୟୋଗରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ପୂର୍ବତନ ବଡ଼ପଡ଼ା ସମିତିସଭ୍ୟ ଅଶୋକ କୁମାର ଜେନା, ନେଟଙ୍ଗାର ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ସରପଞ୍ଚ ପ୍ରତିନିଧି ଦେବେନ୍ଦ୍ର ଗୌଡ଼, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ା, ବେଣୀପଲ୍ଲୀ ସରପଞ୍ଚ ଦୁର୍ଗାମାଧବ ନାୟକ, ଗୋବରାର ପୂର୍ବତନ ସମିତିସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ଭଞ୍ଜନଗର ବାର୍ ଆସୋସିଏସନ୍ ସଭାପତି ସନ୍ତୋଷ ନାୟକ, ଯୁବନେତା ରାଧାସ୍ୱାମୀ ରାଜୁ, ନିକୁଞ୍ଜ ଖଣ୍ଡୁଆଳ ଓ ବଡ଼ବୋର୍ସିଂର ପୂର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିବା ସହ ଗଭୀର ଶୋକବ୍ୟକ୍ତ କରିଥିଲେ।ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗ ବଡ଼ପଡ଼ା ପଞ୍ଚାୟତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶୋକବ୍ୟକ୍ତ କରିଥିବା ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି।
ରିପୋର୍ଟ -ସୁଶାନ୍ତ କୁମାର ବେହେରା